ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପନ୍ଦର ଦିନ ମଧ୍ୟରେ ଏହା କିଲୋପ୍ରତି ୧୦ ଟଙ୍କା ବଢିଥିବାବେଳେ ଆଗାମୀ ଦିନରେ ଏହି ଦର ଆହୁରି ବଢିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି ।
ରାଜ୍ୟରେ ଏବେ ପିଆଜ ଦର କିଲୋ ପ୍ରତି ୪୦ ଟଙ୍କାରେ ପହଞ୍ଚିଛି । ପିଆଜ ଆମଦାନୀ ହ୍ରାସ ପାଇଥିବାରୁ ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି । ଉଲ୍ଲେଖନୀୟ ଯେ ଯଦିଓ ରାଜ୍ୟରେ ଚାହିଦା ଅନୁଯାୟୀ ପିଆଜ ଉତ୍ପାଦନ ହେଉଛି ତଥାପି ଏହାର ସଂରକ୍ଷଣ ଅଭାବରୁ ବର୍ଷ ସାରା ପିଆଜ ପାଇଁ ଅନ୍ୟ ରାଜ୍ୟ ବିଶେଷକରି ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି ।
ରାଜ୍ୟରେ ବାର୍ଷିକ ୪ଲକ୍ଷ ଟନ୍ ପିଆଜ ଆବଶ୍ୟକ ହେଉଥିବାବେଳେ ଅନୁରୂପ ପରିମାଣର ପିଆଜ ଉତ୍ପାଦିତ ହେଉଛି । ରାଜ୍ୟ ସରକାର ପିଆଜ ମିଶନ କାର୍ଯ୍ୟକାରୀ କରିବାପରେ ପିଆଜ ଉତ୍ପାଦନ ବଢିଛି । ତେବେ ରାଜ୍ୟରୁ ଉତ୍ପାଦିତ ପିଆଜର ଠିକଣା ଭାବେ ସଂରକ୍ଷଣ ହେଉଥିବାରୁ ଚାଷୀମାନେ ଅମଳ ସମୟରେ ଏହାକୁ ଅତି ଶସ୍ତା ଦରରେ ରାଜ୍ୟ ବାହାରର ବ୍ୟବସାୟୀମାନଙ୍କୁ ଟେକି ଦେଉଛନ୍ତି ।
ଅବସ୍ଥା ଏଭଳି ହୋଇଛି ଯେ ଓଡିଶାରେ ପିଆଜ ଉତ୍ପାଦନ ସମୟରେ ରାଜ୍ୟ ବାହାରର ବେପାରୀମାନେ ଏଠାରେ ଡେରା ପକାଇବା ସହିତ କିଲୋପ୍ରତି ୪/୫ ଟଙ୍କା ଦରରେ କିଣି ନେଉଛନ୍ତି । ସେହି ପିଆଜ ଅନ୍ୟ ରାଜ୍ୟରେ ସଂରକ୍ଷିତ ହୋଇ ତିରୋଟ ସମୟରେ ୧୦ଗୁଣାରୁ ଅଧିକ ଦରରେ ଓଡିଶାକୁ ଆସୁଛି ।
ରାଜ୍ୟରେ ପିଆଜ ସଂରକ୍ଷଣ ପାଇଁ ୨୦୦୯ ମସିହାରୁ ଉଦ୍ୟାନ କୃଷି ଜରିଆରେ ଚାଷୀମାନଙ୍କୁ ସବସିଡି ଅର୍ଥ ଯୋଗାଇ ଦିଆଯାଉଛି । ପିଆଜ ସଂରକ୍ଷଣ ପାଇଁ ପିଆଜ ଭାଡି ପ୍ରସ୍ତୁତ ଲାଗି ୫୦ ପ୍ରତିଶତ ସବସିଡି ବାବଦରେ ପ୍ରାୟ ୧୪ହଜାର ଟଙ୍କା ଯୋଗାଇ ଦେଉଥିଲେ । ଏହା ସତ୍ୱେ ବି ଓଡିଶାରୁ ଉତ୍ପାଦିତ ପିଆଜ ସଂରକ୍ଷିତ ହୋଇନପାରିବାରୁ ରାଜ୍ୟର ଖାଉଟିମାନେ ବର୍ଷ ତମାମ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି ଓ ଓଡିଶା ଖାଉଟିଙ୍କ ପକେଟରୁ କୋଟି କୋଟି ଟଙ୍କା ରାଜ୍ୟ ବାହାରକୁ ଚାଲିଯାଉଛି ।
ଓଡିଶାର ଜଳବାୟୁ ପିଆଜ ଚାଷ ପାଇଁ ଅନୁକୂଳ ହୋଇଥିବାବେଳେ ରାଜ୍ୟ ସରକାର ପିଆଜ ମିଶନ ଜରିଆରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଏହା ସତ୍ୱେ ବି ରାଜ୍ୟର ପିଆଜ ବଜାରକୁ ବାହାର ରାଜ୍ୟର ବ୍ୟବସାୟୀମାନେ ନିୟନ୍ତ୍ରଣ କରିବା ବିଶେଷକରି ଅନ୍ୟ ରାଜ୍ୟରେ ବର୍ଷା, ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଲେ ଓଡିଶାରେ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି । (ତଥ୍ୟ)