Home News in Odia ପାରାଦୀପ ବନ୍ଦରକୁ ଅଚଳ କରିଦେବୁ

ପାରାଦୀପ ବନ୍ଦରକୁ ଅଚଳ କରିଦେବୁ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କଠାରୁ ଲିଜ୍‍ରେ ନେଇଥିବା ଜମିର ବିକ୍ରି ବନ୍ଦ ନକଲେ ପାରାଦୀପ ବନ୍ଦର ବିରୋଧରେ ବଡଧରଣର ଆନ୍ଦୋଳନ ସହିତ ଏହାକୁ ଅଚଳ କରିଦିଆଯିବ । ଆଜି ବିଧାନସଭାରେ ଏଭଳି ଧମକ ଦେଇଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ରାଉତରାୟ କହିଥିଲେ ଯେ ପାରାଦୀପ ବନ୍ଦର ଗଠନ ବେଳେ ରାଜ୍ୟ ସରକାର ଏହାକୁ ଲିଜ୍‍ ସୂତ୍ରରେ ୬୩୨୫ ଏକର ଜମି ଯୋଗାଇ ଦେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ପାରାଦୀପ ବନ୍ଦର ଏବେ ବିଭିନ୍ନ କମ୍ପାନୀକୁ ଏଥିରୁ ୫୦୦ ଏକର ଜମି ବିକ୍ରି କରିସାରିଲାଣି । ଆଗାମୀ ଦିନରେ ଆହୁରି ଜମି ବିକ୍ରି କରିବାକୁ ମସୁଧା ଚଳାଇଛି ।

ଜମି କିଣିଥିବା ବାହାରର କମ୍ପାନୀଗୁଡିକ ଇତିମଧ୍ୟରେ ଷଣ୍ଢକୁଦ ଅଞ୍ଚଳରେ ଜମି ଅକ୍ତିଆର ସହିତ ଡ୍ରେନ୍‍ ଆଦି ନିର୍ମାଣ କରୁଛନ୍ତି । ଏଠାରେ ୧୫ ହଜାରରୁ ଅଧିକ ଲୋକ ବସ୍ତିରେ ବସବାସ କରୁଛନ୍ତି । ସ୍ଥାନୀୟ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ସହ ପରାମର୍ଶ ନ କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କିଭଳି ଏହି ଜମି ବିକିଦେଲେ ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଯଦି ଓଡ଼ିଶା ସରକାରଙ୍କଠାରୁ ଲିଜ୍‍ରେ ପାଇଥିବା ଜମିକୁ ଜମି ବିକ୍ରିରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କ୍ଷାନ୍ତ ନ ରୁହନ୍ତି, ତେବେ ଆଗାମୀ ଦିନରେ ବନ୍ଦର ବିରୋଧରେ ବଡଧରଣର ଆନ୍ଦୋଳନ ହେବା ସହ ତାହାକୁ ଅଚଳ କରିଦିଆଯିବ । (ତଥ୍ୟ)