Home Excise ପାନୀୟ ନିଗମର ଉଲ୍ଲେଖନୀୟ ଆୟ ବୃଦ୍ଧି

ପାନୀୟ ନିଗମର ଉଲ୍ଲେଖନୀୟ ଆୟ ବୃଦ୍ଧି

ଭୁବନେଶ୍ୱର : ଓଡିଶା ରାଜ୍ୟ ପାନୀୟ ନିଗମର ଆୟରେ ଗତ କିଛିବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ୨୦୧୩-୧୪ ବର୍ଷ ବେଳକୁ ଏହି ନିଗମର ଆୟ ୧୭୬୬ କୋଟି ୬୨ଲକ୍ଷ ଟଙ୍କା ଥିବାବେଳେ ୨୦୨୧-୨୨ ବେଳକୁ ତାହା ୬୫୧୬ କୋଟି ଟଙ୍କାକୁ ଟପିଥିଲା ଏବଂ ୨୦୨୨୨-୨୩ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ନିଗମର ଆୟ ପରିମାଣ ପାଖାପାଖି ୬୦୪୦ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ତାହା ୭ହଜାର କୋଟି ଟଙ୍କା ଛୁଇଁଥିବ ବୋଲି ଅନୁମାନ କରାଯାଉଛି ।

ସରକାରୀ ତଥ୍ୟ ମୁତାବକ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ପାନୀୟ ନିଗମ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକୁ ପାଇକାରୀ ଦରରେ ବିଦେଶୀ ଓ ଦେଶୀ ମଦ ଯୋଗାଇଥାଏ । ଏହି ନିଗମ ଅବକାରୀ ଶୁଳ୍କ, ବିକ୍ରିକର, ଭାଟ୍‍ ଇତ୍ୟାଦି ବିଭିନ୍ନ ଟିକସ ମଧ୍ୟ ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ।

ଅବକାରୀ ବିଭାଗର ହିସାବ ମୁତାବକ ପାନୀୟ ନିଗମର ମଦ କାରବାର ଯୋଗୁଁ ୨୦୧୨-୧୪ ବର୍ଷରେ ୧୨୬୨ କୋଟି ଟଙ୍କାର ଅବକାରୀ ଶୁଳ୍କ ଓଡିଶା ସରକାର ପାଇଥିବାବେଳେ ୨୦୧୬-୧୭ରେ ତାହା ୨୦୦୦ କୋଟି ଟଙ୍କାକୁ ଟପିଥିଲା । ୨୦୧୯-୨୦ରେ ରାଜ୍ୟର ଅବକାରୀ ଶୁଳ୍କ ପରିମାଣ ୩୭୧୮ କୋଟି ୬୯ଲକ୍ଷ ଟଙ୍କା ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ୪୪୨୨ କୋଟି ଟଙ୍କାକୁ ଟପିଥିଲା । ଗତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ପାନୀୟନିଗମ ମାଧ୍ୟମରେ ରାଜ୍ୟ ସରକାର ୪୧୯୩ କୋଟି ୭୯ ଲକ୍ଷ ଟଙ୍କାର ଅବକାରୀ ଶୁଳ୍କ ପାଇଥିବାବେଳେ ମାର୍ଚ୍ଚ ଶେଷ ବେଳକୁ ଏହି ପରିମାର ୬ହଜାର କୋଟିକୁ ଟପିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଥିଲେ ।

ସେହିଭଳି ପାନୀୟ ନିଗମର ହିସାବ ମୁତାବକ ପ୍ରବେଶ କର ସମେତ ଭାଟ୍‍ ଆକାରରେ ୨୦୧୩-୧୪ ବର୍ଷରେ ରାଜ୍ୟ ସରକାରଙ୍କ ଆୟ ୫୦୪ କୋଟି ୬୨ଲକ୍ଷ ଟଙ୍କା ଥିବାବେଳେ ଏହା ବଢି ବଢି ୨୦୨୧-୨୨ ବର୍ଷରେ ୨୧୯୪ କୋଟି ଟଙ୍କାରେ ଥିଲା । ୨୦୨୨-୨୩ ଶେଷ ବେଳକୁ ମଦ ବେପାରରୁ ରାଜ୍ୟ ସରକାର ପାଖାପାଖି ୨୫୦୦ କୋଟି ଟଙ୍କାର ଟିକସ ପାଇଛନ୍ତି । ମୋଟାମୋଟି ଭାବେ ଅବକାରୀ ଶୁଳ୍କ, ପ୍ରବେଶ କର, ଭାଟ୍‍ ଆଦିକୁ ମିଶାଇ ୨୦୨୦-୨୧ ବର୍ଷରେ ୫୪୦୦ କୋଟି ଟଙ୍କାର ରାଜସ୍ୱ ମିଳିଥିବାବେଳେ ଗତବର୍ଷ ଏହାର ପରିମାଣ ୮୭୬୭ କୋଟି ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୦-୨୧ ବର୍ଷରେ ରାଜ୍ୟ ପାନୀୟ ନିଗମ ୪୮.୮୯ ଲକ୍ଷ ଲିଟର ଦେଶୀ ମଦ ଉଠାଣ କରିଥିବାବେଳେ ୨୦୨୨-୨୩ ବର୍ଷରେ ଏହି ପରିମାଣ ୧୨୦ଲକ୍ଷ ଲିଟରକୁ ଟପିଛି । ସେହିପରି ପାନୀୟ ନିଗମ ୨୦୧୬-୧୭ ବର୍ଷରେ ପ୍ରାୟ ୪୫୬ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ ଓ ୫୩୦ଲକ୍ଷ ଲିଟର ବିୟର ଉଠାଇଥିବାବେଳେ ୨୦୨୧-୨୨ ବର୍ଷରେ ଏହି ପରିମାଣ ଯଥାକ୍ରମେ ୫୨୭ଲକ୍ଷ ଓ ୭୪୬ଲକ୍ଷ ଲିଟର ଥିଲା । ଗତ ଆର୍ଥିକବର୍ଷରେ ରାଜ୍ୟ ପାନୀୟ ନିଗମ ପ୍ରାୟ ୭୦୦ ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ ଓ ୧୦୦୦ ଲକ୍ଷ ଲିଟରରୁ ଅଧିକ ପରିମାଣର ବିୟର ମଦୁଆମାନଙ୍କ ପାଇଁ ଉଠାଇଛି । ଓଡିଶାର ନିଜସ୍ୱ ଟିକସ ଆୟ କ୍ଷେତ୍ରରେ ଖଣି ଓ ଅବକାରୀ ବିଭାଗର ପ୍ରମୁଖ ଯୋଗଦାନ ରହୁଥିବା ଜଣାପଡିଛି । (ତଥ୍ୟ)