ଭୁବନେଶ୍ୱର : ତ୍ରୁଟି ଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଣ ଓ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଦାବିରେ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଥିବା ଅନଶନ ୨୪ ଦିନରେ ପହଞ୍ôଚଛି ।
ଏହି ଦାବିରେ ନବନିର୍ମାଣ ଯୁବ-ଛାତ୍ର ସାମ୍ମୁଖ୍ୟର ଆବାହକ ମହମ୍ମଦ ମନୱାର ଅଲ୍ଲୀ ୧୮ଦିନ ଅନଶନରେ ବସିବା ପରେ ବିଜେଡି, କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ସର୍ବୋଦୟ କର୍ମୀମାନଙ୍କ ଅନୁରୋଧକ୍ରମେ ଶ୍ରୀ ଅଲ୍ଲୀ ତାଙ୍କର ଅନଶନ ସାମୟିକ ଭାବେ ପ୍ରତ୍ୟାହାର କରିଥିବାବେଳେ ତାଙ୍କ ସ୍ଥାନରେ ନବନିର୍ମାଣ କୃଷକ ସମାଜର ମୁଖ୍ୟ ଅକ୍ଷୟ କୁମାର ଆଜକୁ ୬ଦିନ ହେବ ସେହି ସ୍ଥାନରେ ଅନଶନ ଚଳାଇ ରଖିଛନ୍ତି ।
ଦୀର୍ଘଦିନ ଧରି ରାଜଧାନୀର ରାଜରାସ୍ତା କଡ଼ରେ ଅନଶନ ଚାଲିଥିବାବେଳେ ସରକାରଙ୍କ ପକ୍ଷରୁ ଏଯାବତ୍ କେହି ଅନଶନକାରୀଙ୍କ ସହିତ ଆଲୋଚନା କରିବାକୁ ଆସିନାହାନ୍ତି । ତେବେ ଅନଶନସ୍ଥଳ ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଛି । ଅନଶନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ନିୟମିତ ଯାଞ୍ଚ ହେଉଛି । ଏହି ପ୍ରସଂଗରେ ରାଜ୍ୟ ସରକାର ସକରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ପ୍ରତିବାଦ ସମାବେଶ କରାଯିବ ଏବଂ ତାହା ପୂର୍ବରୁ ଜିଲ୍ଲା ସ୍ତରରେ ମଧ୍ୟ ଧାରଣା, ଧର୍ମଘଟ ଆଦି ଚାଲିବ । ଏହି ଆନ୍ଦୋଳନକୁ ବିଜେଡି, କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳମାନେ ଖୋଲା ସମର୍ଥନ ଜଣାଇଛନ୍ତି । ବିଭିନ୍ନ ଦଳର ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ଏଥିଲାଗି ମିଳିତ କାର୍ଯ୍ୟକ୍ରମ ପ୍ରସ୍ତୁତି ଲାଗି ଅନଶନ ସ୍ଥଳୀରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ମାସରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା ଜଣାପଡିଛି । ଏହାକୁ ବିଭାଗୀୟ ମନ୍ତ୍ରୀ ସାମାନ୍ୟ ତ୍ରୁଟି ବୋଲି କହି ସଂଶୋଧନ କରି ପିଲାଙ୍କୁ ପାଠ ପଢ଼ାଯିବ ବୋଲି ପୂର୍ବରୁ କହିଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା କରିବା ସହିତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଦେଖି ପିଲାମାନଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇବା ସହିତ ଏହି ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଥିଲେ । ପ୍ରଥମେ ପୁଲିସ ଏ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ନ୍ୟସ୍ତ କରିଛନ୍ତି ଏବଂ କ୍ରାଇମ୍ବ୍ରାଞ୍ଚ ମଧ୍ୟ କେତେକ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଉଛି ଯେ ସରକାର ପିଲାମାନଙ୍କୁ ତ୍ରୁଟିଶୂନ୍ୟ ଉପାଦେୟ ପାଠ୍ୟପୁସ୍ତକ ଯୋଗାଇବାରେ ଏଯାବତ୍ ବ୍ୟର୍ଥ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ଛାତ୍ର, ଯୁବକ, ମହିଳା, ଅଭିଭାବକ, ଶିକ୍ଷାବିତ୍ ଏବଂ ଦଳମତ ନିର୍ବିଶେଷରେ ରାଜନୈତିକ ଦଳଗୁଡ଼ିକ ସମ୍ମିଳିତ ହୋଇ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ଉପରେ ଚାପ ପ୍ରୟୋଗ ଲାଗି ଆନ୍ଦୋଳନ ଚଳାଇବା ଜରୁରୀ ।
ଗୋଟିଏ ପଟେ ପାଠ୍ୟପୁସ୍ତକରେ ମାଳମାଳ ମୁଦ୍ରଣଜନିତ ତ୍ରୁଟି ସହିତ ଆହୁରି ଅନେକ ଗୁରୁତର ସମସ୍ୟା ରହିଥିବାବେଳେ ଅନ୍ୟପଟେ ଅନେକ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀଗୃହ ଓ ଅନ୍ୟୁନ ଜଣେକରି ଶିକ୍ଷକ ବ୍ୟବସ୍ଥା ହୋଇପାରି ନାହିଁ । ହାଇସ୍କୁଲ, +୨, +୩ ଓ ସ୍ନାତକୋତ୍ତର ଶ୍ରେଣୀରେ ମଧ୍ୟ ଉତ୍କଟ ଶିକ୍ଷକ ସମସ୍ୟା ଲାଗି ରହିଛି । ଏମିତିକି ମେଡିକାଲ୍, ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମରେ ବି ସରକାରୀ ସଂସ୍ଥାନରେ ମାଳମାଳ ଶିକ୍ଷକ ପଦବୀ ଖାଲି ପଡିଛି । ଏହି ସମସ୍ୟାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେବା ପାଇଁ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବି କରାଯାଇଛି । (ତଥ୍ୟ)

