Home Environment ପଲିଥିନ୍‍ ଆସୁଛି କେଉଁଠୁ ?

ପଲିଥିନ୍‍ ଆସୁଛି କେଉଁଠୁ ?

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ଦୋକାନ ବଜାର ଅଳ୍ପ ସମୟ ପାଇଁ ଖୋଲୁଥିଲେ ମଧ୍ୟ ବଜାରରେ ଏବେ ପଲିଥିନ୍‍ ଓ ଅନ୍ୟାନ୍ୟ ଜରିମୁଣା ହାଉଜାଉ । କଟକଣା ସମୟରେ ଏତେ ପରିମାଣରେ ପଲିଥିନ୍‍ କେଉଁଠୁ ଆସୁଛି ତାହା ବଡ ପ୍ରଶ୍ନ ହୋଇଥିବାବେଳେ ଏହା ଉପରେ ତୁରନ୍ତ କଟକଣା ନଲଗାଇଲେ ମୌସୁମୀ ଆଗମନ ସହିତ ଏହା ସହରର ବିଭିନ୍ନ ନାଳ ନର୍ଦ୍ଦମା ଜାମ୍‍ କରି ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିବ ।

ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୦୧୯ ଅକ୍ଟୋବର ୨ତାରିଖରୁ ପଲିଥିନ୍‍ ଉପରେ କଡା କଟକଣା ଲାଗିଛି । ୫୦ ମାଇକ୍ରୋନରୁ କମ୍‍ ମାନଦଣ୍ଡର ପଲିଥିନ୍‍ ମୁଣା ପ୍ରସ୍ତୁତ, ମହଜୁଦ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି । ଏଥି ସହିତ ରିସାଇକ୍ଲିଂ ପଲିଥିନ୍‍ ଉପରେ ବି କଟକଣା ଲାଗିଛି ।

ତେବେ ଏହି କଟକଣା ଲାଗିବା ଦିନଠାରୁ ଏହାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ମଝିରେ ମଝିରେ ବିଏମ୍‍ସି ସ୍କ୍ୱାଡ୍‍ ବିଭିନ୍ନ ସ୍ଥାନରେ ଚଢାଉ କରି ବସ୍ତା ବସ୍ତା ପଲିଥିନ୍‍ ଜବତ କରିଥାନ୍ତି । ତେବେ କରୋନା ସମୟରେ ଏବେ ଚଢଉ ଏକ ପ୍ରକାର ବନ୍ଦ । ଫଳରେ ବଜାରରେ ଏବେ ଏହି ନିମ୍ନମାନର ପଲିଥିନ୍‍ ହାଉଜାଉ ହେଉଛି । କେବଳ ପଳିଥିନ୍‍ ନୁହେଁ ୨୦୦ ମିଲିଗ୍ରାମରୁ କମ୍‍ ପାନୀୟ ରହୁଥିବା ପ୍ଲାଷ୍ଟିକ ବୋତଲ ଉପରେ ବି ସରକାର କଟକଣା ଲଗାଇଛନ୍ତି । ହେଲେ ତାହାର ଅବସ୍ଥା ବି ପଲିଥିନ୍‍ ଭଳି ।

ବଜାରରେ ଏବେ ପଲିଥିନ୍‍ ହାଉଜାଉ ହେଉଥିବାବେଳେ ଆଗାମୀ ବର୍ଷାଋତୁରେ ପଲିଥିନ୍‍ ଯୋଗୁଁ ନାଳ ନର୍ଦ୍ଦମା ଜାମ୍‍ ହେବାର ଆଶଙ୍କା କରି ନଗର ଉନ୍ନୟନ ବିଭାଗ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବର୍ତ୍ତମାନ ଏହି ନିର୍ଦ୍ଦେଶକୁ କିଏ ଓ କିଭଳି ପାଳନ କରିବ ତାହା ଉପରେ ସମସ୍ତଙ୍କ ନଜର । କାରଣ କରୋନା ସଂକ୍ରମଣ ଭୟରେ ସୀମିତ ସଂଖ୍ୟକ କର୍ମଚାରୀରେ କାର୍ଯ୍ୟ ଚାଲିଥିବାବେଳେ ଯେଉଁ କର୍ମଚାରୀମାନେ ବି ଅଛନ୍ତି ସେମାନେ କରୋନା ନିୟନ୍ତ୍ରଣରେ ଲାଗିଛନ୍ତି ।

ଲକଡାଉନ୍‍ ସମୟରେ ବଜାର ଘାଟରେ ଗହଳି ରୋକିବାପାଇଁ ପୁଲିସ୍‍କୁ କ୍ଷମତା ଦିଆଯାଇଛି । ସେମାନେ କେବଳ ଲୋକଗହଳି ଓ ମାସ୍କପିନ୍ଧା ଉପରେ ନଜର ରଖୁଛନ୍ତି । ହେଲେ ବଜାରରେ ବିପୁଳ ପରିମାଣର ପଲିଥିନ୍‍ ବ୍ୟବହାରୁ ନିୟନ୍ତ୍ରଣ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ତେବେ କରୋନା ସମୟରେ କାରଖାନା ବନ୍ଦ ସହିତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଥିବାବେଳେ ଏତେ ପରିମାଣର ପଲିଥିନ୍‍ କେଉଁଠୁ କିଭଳି ଆସୁଛି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । ତୁରନ୍ତ ଏହାକୁ ରୋକାନଗଲେ ବର୍ଷା ଆରମ୍ଭ ମାତ୍ରେ ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ଏହା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିବା ଏକପ୍ରକାର ନିଶ୍ଚିତ । (ତଥ୍ୟ)