Home Environment ପର୍ଯ୍ୟଟନ ଋତୁରେ ହୋଟେଲ ଖାଁ ଖାଁ

ପର୍ଯ୍ୟଟନ ଋତୁରେ ହୋଟେଲ ଖାଁ ଖାଁ

କରୋନା ମାଡରେ କୋମାକୁ ଚାଲିଯାଇଥିବା ଓଡିଶାର ପର୍ଯ୍ୟଟନ ଶିଳ୍ପର ସ୍ୱାସ୍ଥ୍ୟ ଏବର୍ଷ ଶୀତଋତୁରେ ଅଧିକ ବିଗିଡିବା ଆଶଙ୍କା କରାଯାଉଛି । ପ୍ରାୟ ୮ମାସ ଧରି କାରବାର ଶୂନ୍ୟ ହୋଇପଡିଥିବା ତାରକା ହୋଟେଲଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତ ଦୂରରକଥା ନିଜର କର୍ମଚାରୀମାନଙ୍କୁ ବି ବେତନ ଦେବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତି ଜାରି ରହିଲେ ସଂଖ୍ୟାଧିକ ତାରକା ହୋଟେଲର ଆର୍ଥିକ ବୋଝ ଅଣାୟତ ଅବସ୍ଥାକୁ ଚାଲଯିବାର ଆଶଙ୍କା ଉପୁଜିଛି ।

ସାଧାରଣତଃ ଶୀତଋତୁରେ ରାଜ୍ୟକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଏହାଛଡା ନଭେମ୍ବରରୁ ଏପ୍ରିଲ ମଧ୍ୟରେ ଅନେକ ରାଜ୍ୟସ୍ତରୀୟ ଏବଂ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ବିଭିନ୍ନ ସମ୍ମିଳନୀ ବି ଅନୁଷ୍ଠିତ ହୋଇଥାଏ । ସେହିଭଳି ଏହି ଋତୁରେ ମଧ୍ୟ ବଡ ବଡ କ୍ରିକେଟ ଓ ଅନ୍ୟାନ୍ୟ କ୍ରୀଡା ହୋଇଥାଏ । ଏହାଛଡା ବ୍ୟବସାୟିକ ଓ ପ୍ରଶାସନିକ କାର୍ଯ୍ୟକଳାପରେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟର ବିଭିନ୍ନ ହୋଟେଲ ଆତିଥେୟତା ଯୋଗାଇଥାନ୍ତି । ଏବେ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି ପର୍ଯ୍ୟଟକ ନଥିବାରୁ ସବୁଠି ଖାଁ ଖାଁ ଅବସ୍ଥା ।

ବଡ ହୋଟେଲଗୁଡିକ କେବଳ ହୋଟେଲ ପ୍ରକୋଷ୍ଠ ଓ ପରିସରକୁ ସଫାସୁତୁରା ରଖିବା ଏବଂ ଜଗିବାପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି । ଏମିତିକି ଗୋଟିଏ ଗୋଟିଏ ହୋଟେଲର ଯେତିକି ବିଦ୍ୟୁତ୍‍ ବିଲ୍‍ ଆସୁଛି ଏବଂ ନେଇଥିବା ଋଣର ମାସିକ କିସ୍ତି ଯାହା ରହୁଛି ସେତିକି ବି ରୋଜଗାର ହେଉନାହିଁ । ଓଡିଶାକୁ ବାର୍ଷିକ ପାଖାପାଖି ଦେଢ କୋଟି ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସିଥାନ୍ତି । ଏଥି ମଧ୍ୟରୁ ପ୍ରାୟ ୮୫ଲକ୍ଷ ରାଜ୍ୟ ଭିତରର ପର୍ଯ୍ୟଟକ ଥିବାବେଳେ ରାଜ୍ୟ ବାହାରୁ ପାଖାପାଖି ୬୦ଲକ୍ଷ ଆସୁଥିଲେ । ଏହାଛଡା ଓଡିଶାକୁ ବି ବର୍ଷକୁ ଲକ୍ଷାଧିକ ବିଦେଶୀ ପର୍ଯ୍ୟଟକ ଆସନ୍ତି । ଏହି ଦେଶୀ, ବିଦେଶୀ ଓ ରାଜ୍ୟ ଭିତରର ସଂଖ୍ୟାଧିକ ପର୍ଯ୍ୟଟକ ବିଶେଷକରି ଶୀତ ଓ ଖରାଦିନେ ପର୍ଯ୍ୟଟନସ୍ଥଳୀଗୁଡିକରେ ଭିଡ ଲଗାଇଥାନ୍ତି ।

ଶୀତଦିନେ ଚିଲିକା, ଭିତରକନିକା, ହୀରାକୁଦ, ଅଂଶୁପା ସମେତ ବିଭିନ୍ନ ସ୍ଥାନକୁ ବହୁ ବିଦେଶୀ ପକ୍ଷୀ ଆସିବାରେ ଲାଗିଛନ୍ତି । ଝଡବତାସ କି ଟାଣ ଖରା ନଥିବାବେଳେ ଅନୁକୂଳ ପାଣିପାଗ ପରିପରିପ୍ରେକ୍ଷୀରେ ଏତେ ବେଳକୁ ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ନେଇ ହଜାର ହଜାର ଡଙ୍ଗା ଆତଯାତ ହେଉଥାନ୍ତା ଏବଂ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡିକରେ ବି ପ୍ରକୋଷ୍ଠ ସବୁ ପ୍ରାୟ ଭର୍ତ୍ତିହୋଇ ଯାଇଥାନ୍ତା । କିନ୍ତୁ ଏବେ ଚାରିଆଡେ ଖାଁ ଖାଁ ଅବସ୍ଥା ।

ପର୍ଯ୍ୟଟକମାନଙ୍କ ପରିବହନ ପାଇଁ ଯେତେସବୁ ଟ୍ରାଭେଲ ସଂସ୍ଥା ଖୋଲିଥିଲା ଓ ଋଣ କରି ଏଥିରେ ଯେଉଁମାନେ ଗାଡି ଲଗାଇଥିଲେ ସେମାନଙ୍କ ଚିନ୍ତା ବଢିଯାଇଛି । ସଂଖ୍ୟାଧିକ ଟ୍ରାଭେଲ୍ସ ଗାଡିର ମାଲିକମାନେ ସେମାନଙ୍କ ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନଙ୍କୁ କରୋନା ସରିବା ପର୍ଯ୍ୟନ୍ତ ବିଦାକରି ଦେଇଥିବାବେଳେ ଅଧିକାଂଶ ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ଜଗାରଖା ପାଇଁ ଅଳ୍ପ ସଂଖ୍ୟକ କର୍ମଚାରୀ ରଖି ଅନ୍ୟମାନଙ୍କୁ ବିନା ବେତନରେ ଛୁଟି ଦେଇଛନ୍ତି । ପର୍ଯ୍ୟଟକମାନଙ୍କୁ ରାସ୍ତାକଡରେ ବିଭିନ୍ନ ସାମଗ୍ରୀ ବିକି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ଦୁରବସ୍ଥା କହିଲେ ନସରେ । ସରକାରୀ ହିସାବ ମୁତାବକ ରାଜ୍ୟ ଜିଏସ୍‍ଡିପିର ୯.୭୨ ପ୍ରତିଶତ ୨୦୧୩-୧୪ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରୁ ଆସିଥିବାବେଳେ ତାହା ବଢି ବଢି ୧୧ ପ୍ରତିଶତରେ ପହଞ୍ଚିଥିଲା । କରୋନା ଯୋଗୁଁ ଏବର୍ଷ ତାହା ୨/୩ ପ୍ରତିଶତ ହେବ କି ନାହିଁ ସେଥିଘେନି ସନ୍ଦେହ ପ୍ରକାଶ ପାଇଛି ।