Home General ପରୀକ୍ଷା ହେଉନି ପାନୀୟଜଳ

ପରୀକ୍ଷା ହେଉନି ପାନୀୟଜଳ

ଭୁବନେଶ୍ୱର : ରାଜଧାନୀରେ ପାନୀୟଜଳ ସଂଯୋଗ ହୋଇଥିବା ସବୁ ହିତାଧିକାରୀଙ୍କ ଘରେ ପାଣି ମିଟର ବସିଥିବା ନେଇ ୱାଟ୍‍କୋ ଦାବି କରୁଥିବାବେଳେ ଏଥିରୁ ଅନେକ କାମରେ ଆସୁନି । ବିଶେଷକରି ସରକାରୀ କ୍ୱାଟର୍ସରେ ଲାଗିଥିବା ପାଣି ମିଟରର ରିଡିଂ ନିଆଯାଉ ନାହିଁ କି ସେହି ଅନୁଯାୟୀ ଅର୍ଥ ଆଦାୟ ହେଉନାହିଁ । ସେହିଭଳି ନିୟମିତ ପାଣି ପରୀକ୍ଷା ବି ହେଉନାହିଁ ।

ରାଜଧାନୀର ପ୍ରାୟ ସମସ୍ତ ହିତାଧିକାରୀଙ୍କ ଘରେ ପାଣିମିଟର ଲାଗିଛି । ବ୍ୟବସ୍ଥା ଅନୁଯାୟୀ ମିଟର ରିଡିଂ ଅନୁଯାୟୀ ଲୋକଙ୍କ ଠାରୁ ବିଲ୍‍ ଆଦାୟ ହେବାକଥା । ହେଲେ ଯେଉଁ ସରକାରୀ କର୍ମଚାରୀଙ୍କ ଘରେ ପାଣି ମିଟର ଲାଗିଛି ତାହା କୌଣସି କାମରେ ଲାଗୁନାହିଁ । କାରଣ ସେମାନଙ୍କର ଦରମାରୁ ପାଣି ବିଲ୍‍ କଟିଯାଉଛି । ସେହିଭଳି ଅଧିକାଂଶ କ୍ୱାଟର୍ସରୁ ପାଣି ମିଟର ବି ଚୋରି ହୋଇ ଗଲାଣି । ଯେହେତୁ ମିଟର ରିଡିଂ ନିଆଯାଉ ନାହିଁ ତେଣୁ ଲୋକେ ବି ଏହାର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦେଉନାହାନ୍ତି ।

ସେହଭଳି ଲୋକେ ଯେଭଳି ଉନ୍ନତମାନର ପାନୀୟଜଳ ପାଇବେ ସେଥିପାଇଁ ନିମୟିତ ଭାବରେ ପାଣି ପରୀକ୍ଷା କରାଯିବା କଥା । ଏଥିପାଇଁ ମହିଳା ଗୋଷ୍ଠିଙ୍କୁ ତାଲିମ ସହିତ ଆନୁଷଙ୍ଗିକ ସାଜ ସରଞ୍ଜାମ ଯୋଗାଇ ଦିଆଯାଉଛି । ହେଲେ କାଁ ଭାଁ ପାଣି ପରୀକ୍ଷାକୁ ଛାଡିଦେଲେ ଅଧିକାଂଶ ସ୍ଥାନରେ ଏହାର ଚିହ୍ନ ବର୍ଣ୍ଣ ନାହିଁ । ପାଣି ପରୀକ୍ଷା ବାବଦରେ ମହିଳା ଗୋଷ୍ଠିଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା ଥିଲେ ସେମାନେ କାହିଁକି ଏଥିପ୍ରତି ଆକୃଷ୍ଟ ହେଉନାହାନ୍ତି ତାହା ପ୍ରଶ୍ନବାଚୀ ହୋଇଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୪ଘଣ୍ଟିଆ କାର୍ଯ୍ୟ କରୁଥିବା ୱାଟ୍‍କୋର କଣ୍ଟ୍ରୋଲରୁମ୍‍ ଅଧିକାରୀମାନେ ମଧ୍ୟ ପାଣି ପରୀକ୍ଷା ସଂକ୍ରାନ୍ତରେ ଅଜ୍ଞ । ସେମାନେ ଖୋଲାଖୋଲି କହୁଛନ୍ତି ଯେ ଏଠାରେ ପାଣି ପରୀକ୍ଷା ସଂକ୍ରାନ୍ତରେ ଅଭିଯୋଗ ରଖାଯାଉନାହିଁ । ଏଥିପାଇଁ ନିଜ ନିଜ ଅଞ୍ଚଳରେ ଥିବା ଜଳ ଯୋଗାଣ କେନ୍ଦ୍ରରେ ଅଭିଯୋଗ କରନ୍ତୁ ନହେଲେ ସ୍ଥାନୀୟ ଜଳସାଥୀଙ୍କୁ କୁହନ୍ତୁ । କଣ୍ଟ୍ରୋଲରୁମ୍‍ କର୍ମଚାରୀଙ୍କ ଏଭଳି ଉତ୍ତର ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ସେହିଭଳି ରାଜଧାନୀର ଅନେକ ଅଞ୍ଚଳରେ ଏବେ ବି ୨୪ ଘଣ୍ଟିଆ ଜଳଯୋଗାଣ ହୋଇପାରୁ ନାହିଁ । ପୂର୍ବରୁ ଯେଉଁଠାରେ ୨୪ଘଣ୍ଟିଆ ଜଳଯୋଗାଣ ହେଉଛି ସେଠାରେ ୱାଟ୍‍କୋ ଯୋଗାଉଥିବା ଆକ୍ୱାଗାର୍ଡମାନର ପାଣିର ସିଂହଭାଗ ଲୋକଙ୍କ ବାଡି ବଗିଚା ଓ ଗାଡି ଧୁଆରେ ଲାଗୁଛି । ରୋଷେଇବାସ ଓ ପାନୀୟଜଳ ଭାବେ ଖୁମ୍‍ କମ୍‍ ପାଣି ଖର୍ଚ୍ଚ ହେଉଛି । ଯେହେତୁ ନିୟମିତ ପାଣି ପରୀକ୍ଷା ହେଉନାହିଁ ତେଣୁ ଲୋକେ ଏବେ ବି ଏହି ଗୁଣାତ୍ମକ ଜଳ ଉପରେ ଶତ ପ୍ରତିଶତ ଭରସା କରିପାରୁ ନାହାନ୍ତି ।

ସରକାରୀ ତାଲିକାରେ ୱାଟ୍‍କୋ ଏକ ଲାଭଜନକ ସଂସ୍ଥା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜଧାନୀର ସମସ୍ତ ଅଞ୍ଚଳକୁ ୨୪ ଘଣ୍ଟିଆ ଜଳଯୋଗାଣ ନହେବା ଓ ଯେଉଁସବୁ ଅଞ୍ଚଳକୁ ଜଳ ଯୋଗାଣ ହେଉଛି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ତାହାର ନିୟମିତ ପରୀକ୍ଷା କରାନଯିବା ଏବେ ଏହି ସଂସ୍ଥାର ପାରଦର୍ଶିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । (ତଥ୍ୟ)