Home Infrastructure ପୌରାଞ୍ଚଳରେ ଶୌଚାଳୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ପୌରାଞ୍ଚଳରେ ଶୌଚାଳୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର : ସ୍ୱଚ୍ଛ ଭାରତ ମିଶନର (ସହରୀ)ର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟଲକ୍ଷ ପୂରଣ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ତଥା ସ୍ୱଚ୍ଛ ଭାରତ ମିଶନର ନୋଡାଲ ଅଫିସର ସମସ୍ତ ପୌରସଂସ୍ଥାକୁ ପତ୍ରଲେଖି ଅବଗତ କରିଛନ୍ତି ।

ପୌରସଂସ୍ଥାଗୁଡିକ ବ୍ୟକ୍ତିଗତ ଶୌଚାଳୟ, ଗୋଷ୍ଠି ଶୌଚାଳୟ, ସର୍ବସାଧାରଣ ଶୌଚାଳୟ ଏବଂ ପରିସ୍ରାଗାରମାନ ନିର୍ମାଣ କରିବେ । ଏଥିପାଇଁ ପୌରସଂସ୍ଥାଗୁଡିକ ସେମାନଙ୍କର ଆବଶ୍ୟକତା ଜଣାଇଥିବାବେଳେ ତାହାକୁ ରାଜ୍ୟ ସ୍ତରୀୟ ବୈଷୟିକ କମିଟି ଅନୁମୋଦନ କରିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରଥମ ପର୍ଯ୍ୟାୟ ପାଣ୍ଠି ମିଳିଥିବାବେଳେ ରାଜ୍ୟ ସରକାର ମଧ୍ୟ ତାଙ୍କର ଅଂଶଧନ ଯୋଗାଇ ଦେଇଛନ୍ତି ।

ଅର୍ଥ ମହଜୁଦ ଥିବାରୁ ଚଳିତବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ କୁହାଯାଇଛି । ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ପୌରସଂସ୍ଥାଗୁଡିକରେ ୮୪,୫୮୭ଟି ବ୍ୟକ୍ତିଗତ ଶୌଚାଳୟ, ୩୭୦୧ଟି ଗୋଷ୍ଠି ଶୌଚାଳୟ, ୪୭୧୬ଟି ସର୍ବସାଧାରଣ ଶୌଚାଳୟ ଏବଂ ୫୩୩୦ଟି ପରିସ୍ରାଗାର ନିର୍ମାଣ ରହିଛି ।

ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ କଟକ ମହାନଗର ନିଗମରେ ସର୍ବାଧିକ ୫୯୦୦ଟି ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ଥିବାବେଳେ ବରଗଡ ପୌରପାଳିକାରେ ୫୨୦୦ଟି ଓ ଝାରସୁଗୁଡାରେ ୩୭୦୦ଟି ରହିଛି । ମାଲକାନଗିରିରେ ୩୨୦୦ଟି ବ୍ୟକ୍ତିଗତ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ଥିବାବେଳେ ଯୋଡା ପୌରାଞ୍ଚଳରେ ୩୦୬୩ଟି, ଦିଗପହଣ୍ଡିରେ ୨୮୦୦, ଭଦ୍ରକ ମ୍ୟୁନିସିପାଲିଟିରେ ୨୩୧୭ଟି ଓ ରାୟଗଡାରେ ୨୦୦୦ଟି ନିର୍ମାଣ କରାଯିବ । ସେହିଭଳି ପରିସ୍ରାଗାର ନିର୍ମାଣ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ସବୁଠାରୁ ଆଗରେ ରହିଛି । ଏଠାରେ ୨୫୦୦ଟି ପରିସ୍ରାଗାର ନିର୍ମାଣର ଯୋଜନା ଥିବାବେଳେ କଟକ ମହାନଗର ନିଗମରେ ୧୧୮୦ଟି ନିର୍ମାଣ କରାଯିବ ।

ତେବେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଶୌଚାଳୟଗୁଡିକ ନିର୍ମାଣ ପାଇଁ କେନ୍ଦ୍ର ସରକାର ତାଙ୍କର ପ୍ରଥମ କିସ୍ତି ପ୍ରଦାନ କରିଥିବା ଓ ରାଜ୍ୟ ସରକାର ତାଙ୍କର ଅଂଶଧନ ପ୍ରଦାନ କରିଥିବା ନୋଡାଲ ଅଫିସର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ୨୦୨୨-୨୩ ବର୍ଷରେ ସ୍ୱଚ୍ଛ ଭାରତ ମିଶନ (ସହରୀ) ପାଇଁ ଦିଆଯାଇଥିବା ଅର୍ଥରୁ ଯେତିକି ବଳକା ରହିଛି ତାହାକୁ ନୂତନ ଶୌଚାଳୟ ନିର୍ମାଣ କ୍ଷେତ୍ରରେ ବିନିଯୋଗ ପାଇଁ କୁହାଯାଇଛି । ଉଲ୍ଲେଖ କରାଯାଇପାରେ ଯେ ୨୦୨୨-୨୩ ବର୍ଷରେ ଏହି ଯୋଜନାରେ ରାଜ୍ୟର ସମସ୍ତ ପୌରସଂସ୍ଥାକୁ ପ୍ରାୟ ୩୪୨ କୋଟି ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ସେଥିପାଇଁ ପାଖପାଖି ୫୨.୪୮ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଥିଲା । ଚଳିତ ଆର୍ଥିକ ବର୍ଷରେ ବଳକା ଥିବା ୨୮୯.୫୦ କୋଟି ଟଙ୍କା ବ୍ୟୟ କରାଯାଇ ପାରିବ ।

ରାଜ୍ୟର ସହରାଞ୍ଚଳଗୁଡିକରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏଠାରେ ସୁସ୍ଥ ଜୀବନ ଯାପନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବ୍ୟକ୍ତିଗତ ଶୌଚାଳୟ ସହିତ ସର୍ବସାଧାରଣ ଶୌଚାଳୟ ଓ ପରିସ୍ରାଗାର ନିର୍ମାଣ ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି । ଏହାଦ୍ୱାରା ପରିବେଶକୁ ସୁରକ୍ଷା ଦିଆଯାଇ ପାରିବା ସହିତ ଲୋକଙ୍କୁ ବିଭିନ୍ନ ରୋଗରୁ ଦୂରେଇ ରଖାଯାଇ ପାରିବ । ତେବେ ଆଉ ଆଠ ମାସ ମଧ୍ୟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ପୌରସଂସ୍ଥାଗୁଡିକ କିଭଳି ପୂରଣ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । (ତଥ୍ୟ)