Home Environment ପରିବେଶ ସୁରକ୍ଷା ପାଇଁ ଯୁବପୀଢି ଆଗେଇ ଆସନ୍ତୁ

ପରିବେଶ ସୁରକ୍ଷା ପାଇଁ ଯୁବପୀଢି ଆଗେଇ ଆସନ୍ତୁ

ଭୁବନେଶ୍ବର : ଇକୋସେଭର୍ସର  ୟୁଥ ନେଟୱର୍କର ସଦସ୍ୟ ସଦସ୍ୟା ମାନଙ୍କ ପାଇଁ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ  ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଦୁଇଦିନିଆ  ରାଜ୍ୟସ୍ତରୀୟ କର୍ମଶାଳା ଗତ ୩୦ ସେପ୍ଟେମ୍ବର ରୁ ୧ ଅକ୍ଟୋବର ପର୍ଯ୍ଯନ୍ତ ଭିୱାଇଡ଼ିଏସଏସ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି I  

ଏହି ଦୁଇଦିନିଆ  କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ  ଯୁବପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ I ଏହି କର୍ମଶାଳାର ଉଦଘାଟନ ସମାରୋହରେ ଓଡିଶା ରାଜ୍ୟ ଶିଶୁସୁରକ୍ଷା ଆୟୋଗର ର ସଦସ୍ୟା ଶ୍ରୀମତୀ  ଛବି ମାହାଲି ଯୋଗଦେଇ ଇକୋସେଭର୍ସ ୟୁଥ ନେଟୱର୍କର ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହିତ ଯୁବଗୋଷ୍ଟୀ ଦ୍ଵାରା ପରିବେଶ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ  ଏହା ଆଗାମୀ ପିଢ଼ିକୁ ପାଇଁ ଏକ ନୂତନ ଦିଗଦର୍ଶନ ଯୋଗାଇବ ବୋଲି ମତ ରଖିଥିଲେ I 

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଇକୋସେଭର୍ସର ସଦସ୍ୟ ସଦସ୍ୟା ମାନଙ୍କୁ ଜଳବାୟୁ ପରିବର୍ତ୍ତନରେ ଯୁବପିଢିଙ୍କର ପ୍ରମୁଖ ଦାୟିତ୍ୱ ନେଇ ଜନସଚେତନତା ସୃଷ୍ଟି କରିବା ତଥା ବିଭିନ୍ନ ପରିବେଶ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ହାତକୁ ନେବାପାଇଁ ଆହ୍ୱାନ ଦେଇଥିଲେ I ଯୁବଗୋଷ୍ଟୀ ସଂଗଠିତ ହୋଇ କାର୍ଯ୍ୟକଲେ ଏକ ସୁସ୍ଥ ପରିବେଶ ଗଠନ ହୋଇପାରିବ ବୋଲି ସେ ନିଜର ମତ ରଖିଥିଲେ । 

ଏହି ଦୁଇଦିନିଆ କର୍ମଶାଳାକୁ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶୀକା ଅନୁରାଧା ମହାନ୍ତି ପରିଚାଳନା କରିଥିଲେ ଓ ପରିବେଶର ସୁରକ୍ଷା ପାଇଁ ଯୁବପିଢି ଆଗେଇ ଆସିବା  ଉଚିତ ବୋଲି ସେ ମତଦେଇଥିଲେ I ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ଯୁବପ୍ରତିନିଧି ମାନେ ସେମାନଙ୍କର ଗତବର୍ଷର ସଫଳ କାହାଣୀ ତଥା ପରିବେଶର ସୁରକ୍ଷା ନିମନ୍ତେ ନେଇଥିବା ବିଭିନ୍ନ ପଦକ୍ଷେପ ଯଥା କୁତ୍ରିମ ପକ୍ଷୀବସା ନିର୍ମାଣ କରିବା, ବୃକ୍ଷରୋପଣ, ଝରଣା ସରକ୍ଷଣ ନିମନ୍ତେ ଆଡିବନ୍ଧ ନିର୍ମାଣ, ଗ୍ରାମ ସଫେଇ କାର୍ଯ୍ୟକର୍ମ, ପ୍ଲାଷ୍ଟିକ ବର୍ଜନ, ପୋଖରୀ, ନଳକୂପର ଓ ଅନ୍ୟାନ ଜଳଉତ୍ସର ସଫେଇ, ଗ୍ରୀଷ୍ମରତୁରେ ଜଳଛତ୍ର ଖୋଲିବା, ଐତିହାସିକ ପୀଠସ୍ଥଳୀରେ ସଫେଇ କାର୍ଯ୍ୟକ୍ରମ, ବର୍ଜ୍ୟବସ୍ତୁରର ପରିଚାଳନା, ଜୈବିକକୃଷିକାମ ଓ ଜୈବିକ ବଗିଚା, ତମାଖୁ ସେବନ ବିରୁଦ୍ଧରେ ଜନସଚେତନତା ଓ ତମାଖୁ ବର୍ଜନ, ସ୍ଥାନୀୟ ଖାଦ୍ୟର ପ୍ରଚାର ଉପରେ ଅଭିଯାନ ଇତ୍ୟାଦିକୁ ଏହି କର୍ମଶାଳାରେ ବର୍ଣ୍ଣନା କରିଥିଲେ ।  ଏହି ଛୋଟ ଛୋଟ ଉଦ୍ୟମ ପରିବେଶ ଉପରେ ହାତଚିହ୍ନ ଛାଡିବା ସହ ଅନ୍ୟାନ ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ ।      

ଏହି କର୍ମଶାଳାରେ ଡଃ ଅଶୋକ କୁମାର ସାହୁ ନେତୃତ୍ୱ ବିକାଶ  ଓ  ପରିବେଶବିଦ ଦୀପକ କୁମାର ମିଶ୍ର ଜଳବାୟୁ ପରିବର୍ତ୍ତନ ଓ ଯୁବପିଢିର ଭୂମିକା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ I ଇକୋସେଭର୍ସର ୟୁଥ ନେଟୱର୍କର ରାଜ୍ୟସ୍ତରୀୟ ଏକ ୧୫ ଜଣିଆ କୋରଟିମ୍, ଯୁବ ପ୍ରତିନିଧି ମାନଙ୍କ ଦ୍ୱାରା ମନୋନୀତ ହୋଇଥିଲେ I ସଭାପତି ଭାବରେ ସ୍ତୁତିରଞ୍ଜନ ପ୍ରଧାନ ଏବଂ ଉପସଭାପତି ଭାବରେ ଜ୍ୟୋତିରଞ୍ଜନ ମହନ୍ତ ଏବଂ ତୃପ୍ତିମୟୀ  ବେହେରା ଙ୍କୁ ଚୟନ କରାଯାଇଥିଲା । ଶେଷରେ ପିକକ୍ ର ଆଲପନା ଦାସ  ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିକକ୍ ର ରତ୍ନା ଦାଶ ଏବଂ ଜ୍ୟୋତିଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ I  ଏହି କାର୍ଯ୍ୟକ୍ରମର ପରିଚାଳନାରେ ବିଷ୍ନୁପ୍ରିୟ ମହାପାତ୍ର, ଉପମା ମହାନ୍ତି, ପ୍ରିୟଦର୍ଶିନୀ ସ୍ୱାଇଁ, ବାମଦେବ ଜେନା , ନାରାୟଣ ଦାସ ଏବଂ ଦ୍ରୌପଦୀ ବେଜ ମିଳିତ ଭାବରେ ସହଯୋଗ ପ୍ରଦାନ କରିଥିଲେ I