Home Judiciary ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ କ୍ୟାଭିଏଟ୍‍

ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ କ୍ୟାଭିଏଟ୍‍

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣ କରାଯାଉଥିବା ବହୁ ଚର୍ଚ୍ଚିତ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଓଡିଶା ହାଇକୋର୍ଟଙ୍କ ଶୁଣାଣି ପରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ଏକ କ୍ୟାଭିଏଟ୍‍ ପିଟିସନ ଦାଖଲ କରିଛନ୍ତି । ଫଳରେ ପରିକ୍ରମା ପ୍ରକଳ୍ପକୁ ବେଆଇନ୍‍ ଦର୍ଶାଇ ଓଡିଶା ହାଇକୋର୍ଟରେ ରିଟ୍‍ ପିଟିସନ ରୁଜୁ କରିଥିବା ଦିଲ୍ଲୀପ କୁମାର ବରାଳ ଯଦି ଅନ୍ତରୀରଣ ଆଦେଶ ପାଇଁ ସୁପ୍ରିମ୍‍କୋର୍ଟକୁ ଯାଆନ୍ତି ତେବେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାର ସୁଯୋଗ ଦେବାପରେ ସୁପ୍ରିମ୍‍କୋର୍ଟ କୌଣସି ମାମଲାର ଶୁଣାଣି କରିପାରିବେ ।

ଏଠାରେ ଉଲ୍ଲେଖନୀୟ ଯେ ବହୁ ଚର୍ଚ୍ଚିତ ପରିକ୍ରମା ପ୍ରକଳ୍ପରେ ବ୍ୟାପକ ବେଆଇନ୍‍ କାର୍ଯ୍ୟ ହୋଇଥିବା ଏବଂ ଏଥିଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଆଶଙ୍କା କରି ଆବେଦନକାରୀ ଦିଲ୍ଲୀପ କୁମାର ବରାଳ ଓଡିଶା ହାଇକୋର୍ଟରେ ଏକ ରିଟ୍‍ ପିଟିସନ ଦାଖଲ କରିଥିଲେ । ଏହି ମାମଲାଟିକୁ ବିଚାରପାଇଁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି କହିବା ସହିତ ପୂର୍ବରୁ ନିର୍ଦ୍ଦିଷ୍ଟ ଭାବେ ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାକୁ କେତେକ ପ୍ରସଙ୍ଗରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏଏସ୍‍ଆଇ ପକ୍ଷରୁ ସତ୍ୟପାଠ ସହ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦାଖଲ କରାଯାଇଥିଲା ଏବଂ ଏଥିରେ ଏଏସ୍‍ଆଇର ବିନାନୁମୋଦନରେ ପରିକ୍ରମା ପ୍ରକଳ୍ପ ଲାଗି ନିର୍ମାଣ ଚାଲିଥିବା କୁହାଯାଇଥିଲା । ତେବେ ହାଇକୋର୍ଟ ନିର୍ମାଣ ଚାଲୁରଖିବା ଏହା ବନ୍ଦ କରିବାପାଇଁ କୌଣସି ଆଦେଶ ଦେଇନଥିଲେ । ଏହାର ତର୍ଜମା କରି ବିରୋଧିଦଳଗୁଡିକ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିବାବେଳେ ବିଜେଡିର ପୁରୀ ସାଂସଦ ପିନାକୀ ମିଶ୍ର ବକ୍ତବ୍ୟ ରଖିଥିଲେ ଯେ ପରିକ୍ରମା ପ୍ରକଳ୍ପ କାମ ବନ୍ଦ ଲାଗି ହାଇକୋର୍ଟ କୌଣସି ଅନ୍ତରୀଣ ଆଦେଶ ଦେଇନଥିବାରୁ କାମ ଉପରେ ରୋକ୍‍ ଲାଗିନାହିଁ ।

ଏହିଭଳି ରାଜନୈତିକ କାଦୁଅଫିଙ୍ଗା ଚାଲିଥିବାବେଳେ ଗତ ୧୨ତାରିଖରେ ଆଇନ୍‍ ବିଭାଗ ପୂର୍ତ୍ତ ବିଭାଗକୁ ପତ୍ରଲେଖି ଆଗତୁରା ସୁପ୍ରିମ୍‍କୋର୍ଟରେ କ୍ୟାଭିଏଟ୍‍ ଆବେଦନ ଦାଖଲ କରିବାପାଇଁ କହିଥିଲେ । ତଦନୁଯାୟୀ ପୂର୍ତ୍ତ ବିଭାଗ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ତଥା ଓଡିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ସୁପ୍ରିମ୍‍କୋର୍ଟରେ କ୍ୟାଭିଏଟ୍‍ ଦାଖଲ ପାଇଁ ଗତ ୧୩ତାରିଖରେ ଜଣାଇ ଦେଇଥିଲେ । ଏହି ପତ୍ରରେ ସୁପ୍ରିମ୍‍କୋର୍ଟର ଆଡଭୋକେଟ ଅନ୍‍ ରେକର୍ଡ ଥିବା ଗୌରବ ଖାନ୍ନାଙ୍କ ସହ ଯୋଗାଯୋଗ କରି କ୍ୟାଭିଏଟ୍‍ ପିଟିସନ ଦାଖଲ କରିବାକୁ କୁହାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଏକ କ୍ୟାଭିଏଟ୍‍ ପିଟିସନ ସୁପ୍ରିମ୍‍କୋର୍ଟରେ ଦାଖଲ କରାଯାଇଛି ।

ଇତି ମଧ୍ୟରେ ହାଇକୋର୍ଟରେ ମଧ୍ୟ ଏ ପ୍ରସଙ୍ଗରେ ଆଉ କେତେକ ମାମଲା ରୁଜୁ ହୋଇଥିବାବେଳେ ପ୍ରକଳ୍ପର ଡିଜାଇନ୍‍ ନେଇ କେତେକ ପରିବର୍ତ୍ତନ ଅଣାଯାଇଥିବା ସୂଚନା ମିଳିଛି । ହାଇକୋର୍ଟରେ ରିଟ୍‍ ପିଟିସନ ଦାଖଲ କରିଥିବା ଦିଲ୍ଲୀପ କୁମାର ବରାଳ ମଧ୍ୟ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଅନୁଯାୟୀ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି ।

ତେବେ ଉଭୟ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟରେ ଗ୍ରୀଷ୍ମାବକାଶ ଆସିଯାଇଥିବାରୁ ଛୁଟି ଖୋଲିବା ପୂର୍ବରୁ ଏଭଳି ସମ୍ବେଦନଶୀଳ ମାମଲା ହାଇକୋର୍ଟ କି ସୁପ୍ରିମ୍‍କୋର୍ଟଙ୍କ ଅବକାଶକାଳୀନ ବେଞ୍ଚରେ ଶୁଣାଯାଇ ପାରୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)