Home News in Odia ପଦ୍ମ ଧରିଲେ ଅମରେନ୍ଦ୍ର

ପଦ୍ମ ଧରିଲେ ଅମରେନ୍ଦ୍ର

ଭୁବନେଶ୍ୱର : ବିଜେଡିର ପୂର୍ବତନ ଜଗତ୍‍ସିଂହପୁର ଜିଲ୍ଲା ସଭାପତି ତଥା କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଆଜି ନିଜର ଦଳ ବଳ ସହିତ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । ଶ୍ରୀ ଦାସ ଦୁଇ ଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଜଗତ୍‍ସିଂହପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା ପାଇଁ ଶ୍ରୀ ଦାସ ଅନ୍ୟତମ ଦାବିଦାର ଥିବାବେଳେ କିଛିଦିନ ଧରି ନିର୍ବାଚନମଣ୍ଡଳୀରେ ସେ ବିଜେଡି ବ୍ୟାନରରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିଲେ । ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଅନୁରୂପ ଭାବେ ଦଳୀୟ ସଭା ସମିତି ଚଳାଇଥିଲେ ।

ତେବେ ନିଜର ଜନସମ୍ପର୍କକୁ ଆଧାର କରି ଶ୍ରୀ ଦାସ ଏଥର ନିଶ୍ଚିତ ଦଳୀୟ ଟିକଟ ପାଇବେ ବୋଲି ଆଶା ରଖିଥିବାବେଳେ ବିଜେଡି କିନ୍ତୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କିନ୍ତୁ ପୁର୍ନବାର ଏଠାରୁ ପ୍ରାର୍ଥୀ କରିଛି । ଫଳରେ ଶ୍ରୀ ଦାସ ବିଜେଡିରୁ ଇସ୍ତଫା ଦେବା ସହିତ ବିଜେପି ମୁହାଁ ହୋଇଥିଲେ ।

ଆଜି ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ନାଉଁଗା ଓ ଜଗତ୍‍ସିଂହପୁର ବ୍ଲକର ଶତାଧିକ ବିଜେଡି କର୍ମୀ ଓ ଅମରେନ୍ଦ୍ରଙ୍କ ସମର୍ଥକମାନେ ସାମିଲ ହୋଇଥିଲେ । କର୍ମୀମାନେ ଏକ ବିଶାଳ ପଟୁଆରରେ ଆସି ଦଳୀୟ କାର୍ଯ୍ୟାଳୟ ଠାରେ ପହଞ୍ଚିବା ସହିତ ବିଜେପିରେ ସାମିଲ ହୋଇଛନ୍ତି ।

ଉଲ୍ଲେଖନୀୟ ଯେ ୨୦୧୯ ନିର୍ବାଚନରେ ଅମରେନ୍ଦ୍ର ବିଜେଡି ଟିକଟ ପାଇଁ ପ୍ରମୁଖ ଦାବିଦାର ଥିବାବେଳେ ଦଳ କିନ୍ତୁ ପ୍ରଶାନ୍ତ ମୁଦୁଲିଙ୍କୁ ବାଲିକୁଦା-ଏରସମାରୁ ଆଣି ଏଠାରେ ଲଢାଇଥିଲା । ସେତେବେଳେ ଅମରେନ୍ଦ୍ର ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିରବ ରହିଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ କାଜୁ ନିଗମର ଅଧ୍ୟକ୍ଷ କରାଯାଇଥିଲା । ଏଥର କିନ୍ତୁ ଅମରେନ୍ଦ୍ର ସିଧାସଳଖ ଭାବେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ଅମରେନ୍ଦ୍ର ବିଜେପିରେ ସାମିଲ ହେବାପରେ ସେ ଜଗତ୍‍ସିଂହପୁରରୁ ବିଜେପି ଟିକଟରେ ଲଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ତେଣୁ ଏଥର ତାଙ୍କର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ସହିତ ସିଧାସଳଖ ଲଢେଇ ହେବ । କାରଣ ଜଗତ୍‍ସିଂହପୁର କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଇତି ମଧ୍ୟରେ ବିଜେଡିରେ ସାମିଲ ହୋଇଛନ୍ତି ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଜଗତ୍‍ସିଂହପୁର ଆସନରୁ ୭୦,୧୧୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ୬୧,୪୭୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ତଥା ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ୨୮,୬୩୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ଏଥର ନିର୍ବାଚନରେ ଚିରଞ୍ଜୀବ ଜଗତ୍‍ସିଂହପୁର ଆସନରୁ ଲଢିବାର ବାଟ ଏକ ପ୍ରକାର ବନ୍ଦ ହୋଇଥିବାବେଳେ କଂଗ୍ରେସ କାହାକୁ ଏଠାରେ ପ୍ରାର୍ଥୀ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ବିଶେଷକରି କଂଗ୍ରେସ କର୍ମୀମାନେ କେଉଁ ଆଡକୁ ମୁହାଁଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କଂଗ୍ରେସ ଭୋଟ ହିଁ ଏଥର ଜଗତ୍‍ସିଂହପୁରରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି ।