Home General ପଡୋଶୀଙ୍କ ସହିତ ବିବାଦ ବଢୁଛି

ପଡୋଶୀଙ୍କ ସହିତ ବିବାଦ ବଢୁଛି

ଭୁବନେଶ୍ୱର : ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୯୦ବର୍ଷ ପୂରଣ ହୋଇଥିବାବେଳେ ପଡୋଶୀ ରାଜ୍ୟମାନଙ୍କ ସହିତ ଓଡିଶାର ସୀମା ବିବାଦ କିନ୍ତୁ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ସହିତ ଏହି ବିବାଦ ଲାଗି ରହିଥିବାବେଳେ ତାହାର ସନ୍ତୋଷଜନକ ସମାଧାନ ହୋଇପାରୁନାହିଁ ।

ରାଜ୍ୟର ଅନ୍ୟୁନ ୧୦ଟି ଜିଲ୍ଲାର ୯୫ଟି ଗାଁ ଦୀର୍ଘବର୍ଷ ଧରି ଏହି ସୀମା ବିବାଦରେ ଫସି ରହିଥିବାବେଳେ କେତେକ ସ୍ଥାନରେ ପଡୋଶୀ ରାଜ୍ୟର ଅଧିକାରୀ ଓ ରାଜନେତାମାନେ ଓଡିଶା ସୀମା ଭିତରକୁ ଅନୁପ୍ରବେଶକରି ଦ୍ୱୈତ ଶାସନ ଚଳାଉଛନ୍ତି ଏବଂ ଏଥିରେ ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାର କେତେକ ଜମି ଓ ଜଙ୍ଗଲକୁ ନେଇ ଆନ୍ଧ୍ର ବିବାଦ ଉପୁଜାଉଥିବାବେଳେ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପଶ୍ଚିମବଙ୍ଗ ବିବାଦ ସୃଷ୍ଟି କରୁଛି । ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କେତେକ ଗ୍ରାମକୁ ନେଇ ଝାଡଖଣ୍ଡ ସହିତ ବିବାଦ ରହିଛି । ଏହାଛଡା ନବରଙ୍ଗପୁର ଓ ଝାରସୁଗୁଡା ଜିଲ୍ଲାର କେତେକ ଅଞ୍ଚଳକୁ ନେଇ ଛତିଶଗଡ ମଧ୍ୟ ବିବାଦ ସୃଷ୍ଟି କରୁଛି । କେବଳ ଗ୍ରାମପୁଞ୍ଜ ନୁହେଁ, ସୀମାନ୍ତ ଅଞ୍ଚଳର ସଂରକ୍ଷିତ ଜଙ୍ଗଲ, ପାହାଡ ଓ ଖଣି ଉପରେ ମଧ୍ୟ ଏମାନେ ମାଲିକାନା ଜାହିର କରିବାପାଇଁ ବାରମ୍ବାର ଉଦ୍ୟମ କରୁଛନ୍ତି ।

ଓଡିଶାର ଜୀବନରେଖା ହେଉଛି ସର୍ବବୃହତ୍‍ ନଦୀ ମହାନଦୀ । ମହାନଦୀର ଉପରମୁଣ୍ଡରେ ଛତିଶଗଡରେ ବହୁ ସଂଖ୍ୟକ ବନ୍ଧ କମ୍ପାନୀମାନଙ୍କ ସୁବିଧା ପାଇଁ ନିର୍ମାଣ କରାଯାଇଥିବାରୁ ଅଣମୌସୁମୀ ଋତୁରେ ମହାନଦୀ ଶଯ୍ୟା ଶୁଖିଲା ପଡୁଛି । ଏହାର ପ୍ରଭାବ ମହାନଦୀର ଶାଖାନଦୀଗୁଡିକ ଉପରେ ପଡୁଛି । ଜଳସେଚନ ବ୍ୟବସ୍ଥା ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛି । ଏହାଛଡା ହୀରାକୁଦର ଜଳବିଦ୍ୟୁତ୍‍ ଉତ୍ପାଦନ ଉପରେ ବି ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ମହାନଦୀ ଜଳ ବିବାଦ ପରିପ୍ରେକ୍ଷୀରେ ବସିଥିବା କମିଶନ କେବେ ଓଡିଶାକୁ ନ୍ୟାୟ ଦେବେ ତାହା ନିର୍ଦ୍ଦିଷ୍ଟ ଭାବେ ଜଣାନାହିଁ ।

କେନ୍ଦ୍ରୀୟ ସହାୟତାରେ ଆନ୍ଧ୍ର ପୋଲାଭରମ ଜାତୀୟ ପ୍ରକଳ୍ପ ନିର୍ମାଣ କରୁଥିବାରୁ ଓଡିଶାର କେତେକ ଗାଁ ଓ ଗାଁ ସମେତ ବ୍ୟାପକ ପରିମାଣର ଚାଷଜମି ଓ ଜଙ୍ଗଲ ଉଜୁଡିବାର ଆଶଙ୍କା ରହିଛି । ଏହି ସମସ୍ୟାର ବି ସମାଧାନ ହୋଇପାରୁନାହିଁ ।

ସେହିଭଳି କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ୨୧ଟି ଓ ବରାମୁଥା ଗ୍ରାମପୁଞ୍ଜର ୧୩ଟି ଗାଁ ଉପରେ ଆନ୍ଧ୍ର ମାଲିକାନା ଜାହିର କରୁଛି । ଏ ସଂକ୍ରାନ୍ତରେ ୧୯୬୮ମସିହାରୁ ସୁପ୍ରିମକୋର୍ଟରେ ଆଇନ୍‍ଗତ ବିବାଦ ଲାଗି ରହିଛି । ଏମିତିକି ଏହି ଅଞ୍ଚଳର ଅନେକ ଲୋକଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ରଖାଯାଇଛି । ଏହି ଗ୍ରାମଗୁଡିକ ଉପରେ ବାରମ୍ବାର ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ କୁଦୃଷ୍ଟି ପକାଉଥିବାରୁ ନାହିଁନଥିବା ସମସ୍ୟା ଉପୁଜୁଛି ।

ମୋଟାମୋଟି ଭାବେ ଆନ୍ତଃରାଜ୍ୟ ସୀମା ବିବାଦରେ ପ୍ରାୟ ୧୩ହଜାର ଏକର ଚାଷଜମି ଓ ୧୫ହଜାର ଏକରରୁ ଅଧିକ ଓଡିଶାର ଜଙ୍ଗଲ ଜମି ଫସି ରହିଛି । ବାଲେଶ୍ୱର ଜିଲ୍ଲା ସୀମାନ୍ତରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀଶଯ୍ୟା ଉପରେ ବାରମ୍ବାର ପଶ୍ଚିମବଙ୍ଗର ବାଲିମାଫିଆମାନେ ଆକ୍ରମଣ କରୁଛନ୍ତି । ଏଥିଯୋଗୁଁ ସୁବର୍ଣ୍ଣରେଖା ତଟବର୍ତ୍ତୀ ଓଡିଶାର ଅନେକ ଗାଁ ପ୍ରତି ବିପଦ ଦେଖାଦେଇଛି ।

ଆଉ ୧୦ବର୍ଷ ପରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତାବ୍ଦୀ ସମାରୋହ ପାଳିତ ହେବାକୁ ଥିବାବେଳେ ରାଜ୍ୟର ସୀମାନ୍ତବର୍ତ୍ତୀ ଗାଁ ଗୁଡିକର ନିରାପତ୍ତା ଉପରେ ପ୍ରଶ୍ନବାଚୀ ରହିଛି । ଏମିତିକି ଅନେକ ଓଡିଆ ଗାଁରେ ପଡୋଶୀ ରାଜ୍ୟ ପ୍ରଶାସନ ଶିକ୍ଷକ ନିଯୁକ୍ତ କରି ସେମାନଙ୍କ ଭାଷାରେ ପାଠ ପଢାଇବା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ବି ସାମିଲ କରୁଛନ୍ତି । ଫଳରେ ଗୋଟିଏ ଗୋଟିଏ ପରିବାରକୁ ଦୁଇ ଦୁଇଟି ରାଜ୍ୟ ସହାୟତା ରାଶି ବାଣ୍ଟୁଛନ୍ତି । ଏହି ସମସ୍ୟାର ଆପୋଷ ସମାଧାନପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହିତ ଆଲୋଚନା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)