Home Banking ପଡିଛି ୬୦ ହଜାର ଏସଏଚଜି ଋଣ ଆବେଦନ

ପଡିଛି ୬୦ ହଜାର ଏସଏଚଜି ଋଣ ଆବେଦନ

ଭୁବନେଶ୍ୱର : ସ୍ୱୟଂ ସହାୟିକ ଗୋଷ୍ଠିଗୁଡିକର ୬୦ ହଜାରରୁ ଉର୍ଦ୍ଧ୍ୱ ଋଣ ଆବେଦନ ବିଭିନ୍ନ ବ୍ୟାଙ୍କ୍‍ ଶାଖାରେ ପଡିରହିଛି । ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ରାଜ୍ୟ ସରକାର ନିୟମିତ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଋଣ ଯୋଗାଣର ଅନୁଧ୍ୟାନ କରୁଥିବାବେଳେ ଲକ୍ଷ୍ୟ କରାଯାଇଛି ଯେ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କ୍‍ମାନେ ଏସଏଚ୍‍ଜିମାନଙ୍କୁ ବାର୍ଷିକ ଋଣ ପ୍ରଦାନର ୫୦ପ୍ରତିଶତ ଲକ୍ଷ୍ୟ ପୂରଣରେ ବିଫଳ ହୋଇଛନ୍ତି । ୨୦୨୨-୨୩ରେ ରାଜ୍ୟରେ ୩.୫୦ ଲକ୍ଷ ସ୍ୱୟଂ ସହାୟିକ ଗୋଷ୍ଠି ପାଇଁ ଏହି ଲକ୍ଷ୍ୟ ୮୭୫୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା । ଆର୍ଥିକ ବର୍ଷର ପ୍ରଥମ ଛଅମାସ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ଅତି କମ୍‍ରେ ୫୦ପ୍ରତିଶତ ପୂରଣ ହେବାକଥା ।

ତେବେ ମାତ୍ର ୧.୫୮ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠି ୪୨୭୩ କୋଟି ଟଙ୍କାର ଋଣ ପାଇଛନ୍ତି ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପଛରେ ବୋଲି ଅଧିକାରୀମାନେ କହିଛନ୍ତି । ରାଜ୍ୟ ଅର୍ଥ ବିଭାର ପ୍ରମୁଖ ସଚିବ ବିଶାଳ ଦେବ ନିକଟରେ ଏ ନେଇ ଚିନ୍ତା ପ୍ରକଟ କରିବା ସହିତ ପଡି ରହିଥିବା ସମସ୍ତ ଆବେଦନର ଯାଞ୍ଚ ଓ ଫଏସଲା ପାଇଁ ବ୍ୟାଙ୍କ୍‍ଗୁଡିକୁ କହିଛନ୍ତି ।

ସ୍ୱୟଂ ସହାୟିକ ଗୋଷ୍ଠିଗୁଡିକର ପ୍ରାୟ ୬୦,୭୫୧ ଋଣ ଆବେଦନ ବିଭିନ୍ନ ବ୍ୟାଙ୍କ୍‍ ଶାଖାରେ ପଡିରହିଛି । ଲକ୍ଷ୍ୟ ପୂରଣ ପାଇଁ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ଶ୍ରୀ ଦେବ କହିଛନ୍ତି । ତ୍ୱରିତ ଭାବେ ଋଣ ଆବେଦନର ଫଏସଲା ପାଇଁ ନଭେମ୍ବର ମାସରେ ସ୍ୱତନ୍ତ୍ର ଅଭିଯାନ ଚଳାଯାଉଥିବାବେଳେ ଏହାକୁ ଡିସେମ୍ବର ମାସରେ ଜାରି ରଖିବାପାଇଁ ସେମାନଙ୍କୁ କୁହାଯାଇଛି ।

ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ସହିତ ସମନ୍ୱୟ ରକ୍ଷାକରି ଋଣ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ବ୍ୟାଙ୍କ୍‍ଗୁଡିକୁ ପରାମର୍ଶ ଦିଆଯାଇଛି । ଏସଏଚଜିମାନଙ୍କୁ ଦିଆଯାଉଥିବା ଋଣ ପରିମାଣ ବୃଦ୍ଧି ସହିତ ୨୦୨୨-୨୩ ରେ ମିଶନ ଶକ୍ତି ଋଣର ସୁଧ ବାବରେ ବ୍ୟାଙ୍କ୍‍ଗୁଡିକୁ ୨୦୦ କୋଟି ଟଙ୍କା ପ୍ରଦାନ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ମାତ୍ର ୪୦.୪୨ କୋଟି ଟଙ୍କା ଦିଆଯାଇଛି ।

ଅନୁରୂପ ଭାବେ ରାଜ୍ୟ ସରକାର ଏସଏଚଜିମାନଙ୍କୁ ଅଧିକରୁ ଅଧିକ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବାବେଳେ ବ୍ୟାଙ୍କ୍‍ମାନେ କିନ୍ତୁ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଉଛନ୍ତି । ପ୍ରତି ଏସଏଚଜିକୁ ଅତି କମ୍‍ରେ ୪ଲକ୍ଷ ଟଙ୍କାର ଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଥିବାବେଳେ ୨୦୨୨-୨୩ରେ ଏସଏଚଜିମାନଙ୍କୁ କିନ୍ତୁ ହାରାହାରି ୨.୭୦ଲକ୍ଷ ଟଙ୍କାର ଋଣ ମିଳୁଛି । ଋଣ ପ୍ରଦାନ ଏବଂ ସୁଧ ଦାଖଲ ଲାଗି ନିୟମିତ ଭାବେ ତଥ୍ୟ ଆଦାନ ପ୍ରଦାନ ପାଇଁ ଦୁଇଟି ବ୍ୟାଙ୍କ୍‍କୁ ବାଦ ଦେଲେ ମିଶନ ଶକ୍ତି ପକ୍ଷରୁ ଅନ୍ୟ ସମସ୍ତ ବ୍ୟାଙ୍କ୍‍ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । (ତଥ୍ୟ)