ଭୁବନେଶ୍ୱର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତଥର ଅପେକ୍ଷା ଅଧିକ ଆସନ ଦଖଲ ପାଇଁ ବିଜୁ ଜନତା ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ବିଜେଡିକୁ ରୋକିବା ଲାଗି ବିଜେପି ଓ କଂଗ୍ରେସ ଭଳି ଦୁଇଟି ଜାତୀୟ ରାଜନୈତିକ ଦଳ ଓଡ଼ିଶାରେ ସେମାନଙ୍କ ଅଭିଯାନ ବଳବତ୍ତର ରଖିଛନ୍ତି । ନିର୍ବାଚନ ଘୋଷଣା ହୋଇନଥିଲେ ମଧ୍ୟ ଗାଁ ଗହଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏବେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି ।
ବର୍ଷାଧିକ କାଳ ଧରି ବିଜେଡି ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନକୁ ଆଖିଆଗରେ ରଖି ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚଳାଇଛି । ବିଶେଷକରି ତିନୋଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିର ବିଜୟ ଦଳୀୟ କର୍ମୀମାନଙ୍କୁ ବେଶ୍ ଉତ୍ସାହିତ କରିଛି । ଏବେ ନିର୍ବାଚନ ଦୃଷ୍ଟିରୁ ୱାର୍ଡସ୍ତରରେ ବିଜେଡିର ଅଭିଯାନ ବଳବତ୍ତର ରହିଥିବା ବେଳେ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟା ଘଟଣାକୁ ଆଧାରକରି ସମଗ୍ର ରାଜ୍ୟରେ ସରକାରୀ ବିରୋଧୀ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଗତ ନିର୍ବାଚନରେ ବିଜେପି ୯ଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ବିଜେଡି ଖାତାରେ ୨୦ଟି ଥିଲା । ଏଥର ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ ଲାଗି ପ୍ରସ୍ତୁତି ପର୍ବ ଚଳାଇଥିବା ବେଳେ କଂଗ୍ରେସ ଓ ବିଜେପି ଗତଥର ଅପେକ୍ଷା ଏଥର ସେମାନଙ୍କ ସଂଖ୍ୟା ବଢ଼ାଇବାକୁ ମଧ୍ୟ ଲାଗିପଡିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ କେବଳ ଜିଲ୍ଲା ପରିଷଦ ଜୋନ୍ଗୁଡିକ ଲାଗି ଦଳୀୟ ଭିତ୍ତିରେ ନିର୍ବାଚନ ହୋଇଥାଏ । ତେବେ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆଦି ପଦବୀ ପାଇଁ ଦଳୀୟ ଚିହ୍ନରେ ଭୋଟ ହେଉନଥିଲେ ମଧ୍ୟ ଗାଁ ଗହଳରେ କିଏ କେଉଁ ଦଳର ପ୍ରାର୍ଥୀ ତାହା ସହଜରେ ବାରି ହୋଇଯାଏ ।
ଗତ କିଛିମାସ ଧରି ବିଜେପି, କଂଗ୍ରେସ ସମେତ ବିଭିନ୍ନ ଦଳର ବହୁ ଛାମୁଆ ନେତାଙ୍କୁ ମିଶ୍ରଣ ପର୍ବ ମାଧ୍ୟମରେ ବିଜେଡି ନିଜ ଶିବିରରେ ସାମିଲ କରିଛି । ଅବଶ୍ୟ ବିଜେଡିର ଅଳ୍ପ କିଛି ନେତା ବି ଭିନ୍ନ ଦଳକୁ ଇତିମଧ୍ୟରେ ଯାଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଜୋରଦାର ଚାଲିଛି । ଦଳତ୍ୟାଗୀମାନଙ୍କ ପାଇଁ ବିଜେଡି ପ୍ରଥମ ପସନ୍ଦ ଥିବାଭଳି ମନେ ହେଉଛି । ଭିନ୍ନ ଦଳରୁ ଯେତେ ସଂଖ୍ୟକ ନେତା ବିଜେଡିକୁ ଛୁଟୁଛନ୍ତି ସେ ସମସ୍ତଙ୍କୁ ପଞ୍ଚାୟତ ନିର୍ବାଚନ ବେଳେ କିଭଳି ସନ୍ତୁଷ୍ଟ କରାଯାଇପାରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।
ବିଜେଡିର ପର୍ଯ୍ୟବେକ୍ଷକମାନେ ଦାୟିତ୍ୱରେ ଥିବା କ୍ଷେତ୍ରକୁ ଘନଘନ ଗସ୍ତକରି ନିଜ ଦଳର ସଂଗଠନ ବଢ଼ାଇବା ସହିତ ପ୍ରତିପକ୍ଷ ଦଳଗୁଡିକୁ କେତେ ମାତ୍ରାରେ ଦୁର୍ବଳ କରାଯାଇପାରିବ ସେହି କାମରେ ମାତିଛନ୍ତି । ଏହାଛଡା ଯେଉଁ ବିଧାୟକ, ସାଂସଦ ଓ ପର୍ଯ୍ୟବେକ୍ଷକମାନଙ୍କ ଇଲାକାରେ ଦଳ ଭଲ ପ୍ରଦର୍ଶନ ନ କରିବ ସାଧାରଣ ନିର୍ବାଚନରେ ସେମାନଙ୍କ ଟିକେଟ ଉପରେ ଭୟ ଥିବାରୁ ରାଜନୈତିକ ଉଷ୍ମତା ଅଧିକ ଜମିବାରେ ଲାଗିଛି ।
ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ସବୁ ସଂସଦୀୟ କ୍ଷେତ୍ର ବିଜେପି ପୋଛିନେବା ସହ ମୟୂରଭଞ୍ଜ, ବାଲେଶ୍ୱର ଓ ଭୁବନେଶ୍ୱର ଲୋକସଭା ଆସନ ମଧ୍ୟ ଦଖଲ କରିଥିଲା । ବିଧାନସଭାରେ କଂଗ୍ରେସକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନରେ ଉପନୀତ ହୋଇ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହାସଲ କରିବାକୁ ସମର୍ଥ ହୋଇଥିଲା ।
ବିଜେପିର ଏହି ପତିଆରାକୁ ଭାଙ୍ଗିବା ପାଇଁ ବିଜେଡି ପ୍ରାୟ ଦେଢ଼ବର୍ଷ ଧରି ଯୋଜନାବଦ୍ଧ ଉଦ୍ୟମ ଚଳାଇଥିବା ବେଳେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଚଳାଇ ଉଭୟ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ କାଠଗଡାରେ ଛିଡା କରିବାକୁ ଲାଗି ପଡିଛନ୍ତି ।
ତେବେ ଇତିମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧାରୁ ଅଧିକ ଜିଲ୍ଲା ଗସ୍ତକରି ତାଙ୍କ ଦଳ ସପକ୍ଷରେ ଜନମତକୁ ସୁଦୃଢ଼ କରିବା ଲାଗି ଯେଭଳି ପ୍ରୟାସ କରୁଛନ୍ତି, ସେ କ୍ଷେତ୍ରରେ କିନ୍ତୁ ଅନ୍ୟ ଦଳମାନେ ପଛରେ ପଡିଥିବା ଭଳି ମନେ ହେଉଛି । (ତଥ୍ୟ)