ଭୁବନେଶ୍ୱର : ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡିଶା ସରକାର ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ୨୯ରୁ ୨୧ଟି କ୍ଷମତା ପ୍ରଦାନ କରିଛନ୍ତି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ।
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପଞ୍ଚାୟତିରାଜ ୭୩ତମ ସମ୍ବିଧାନ ସଂଶୋଧନକୁ ଓଡିଶା ସରକାର ଗ୍ରହଣ କରିଛନ୍ତି । ସମ୍ବିଧାନର ଧାରା ୨୪୩ଜି ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାର କ୍ଷମତା ବୃଦ୍ଧି ପାଇଁ ଥିବା ୨୯ଟି ବିଷୟ ମଧ୍ୟରୁ ଓଡିଶା ସରକାର ୨୧ଟିକୁ ଲାଗୁ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ସଂସଦରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି ।
ନିକଟରେ ଓଡିଶା ସରକାର ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚନ କରିବା ସହିତ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ପଞ୍ଚାୟତିରାଜ ଅନୁଷ୍ଠାନର ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଓଡିଶା ସରକାର ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି । ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସ୍ଏ) କାର୍ଯ୍ୟକାରୀ କରୁଛନ୍ତି ।
ଯୋଜନା କାର୍ଯ୍ୟକାରୀ ହେବା ସମୟରୁ ଅର୍ଥାତ୍ ୨୦୧୮-୧୯ ରୁ ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନର ୧,୬୭,୨୧୨ଜଣ ର୍ନିବାଚିତ ପ୍ରତିନିଧି ତାଲିମ ନେଇ ସାରିଲେଣି । ରାଜ୍ୟ ସରକାର ମଧ୍ୟ ଏକାଧିକ ଷ୍ଟାଣ୍ଡିଂ କମିଟି ଗଠନ ସହିତ ନିମୟିତ ବ୍ୟବଧାନରେ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରୁଛନ୍ତି । ସମସ୍ତ ୬୭୯୮ ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ବ୍ୟବସ୍ଥା ଥିବା ନିଜସ୍ୱ ପଞ୍ଚାୟତ ଦପ୍ତର ରହିଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୋଜନା ପ୍ରସ୍ତୁତି, ବଜେଟ୍, ଆକାଉଣ୍ଟିଂ, ମନିଟରିଂ ଏବଂ ସମ୍ବଳ ପରିଚାଳନା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୍ବାରା ପ୍ରସ୍ତୁତ ଇ-ଗ୍ରାମସ୍ୱରାଜ ଆକାଉଣ୍ଟିଂ ଆପ୍ଲିକେଶନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ।
ରାଜ୍ୟର ୬୭୯୮ଟି ପଞ୍ଚାୟତ ୨୦୨୧-୨୨ ବର୍ଷ ପାଇଁ ସେମାନଙ୍କର ବିକାଶ ଯୋଜନାକୁ ଇ-ଗ୍ରାମସ୍ୱରାଜ ଆପ୍ଲିକେଶନରେ ଅପଲୋଡ କରିଥିଲେ ଏବଂ ୬୭୬୬ ପଞ୍ଚାୟତ ୨୦୨୨-୨୩ ବର୍ଷ ପାଇଁ ସେମାନଙ୍କର ଯୋଜନା ଅପଲୋଡ୍ କରିଛନ୍ତି । ରାଜ୍ୟର ୮୦ ପ୍ରତିଶତ ଗ୍ରାମପଞ୍ଚାୟତ ଅନ୍ଲାଇନ୍ରେ ଦେୟ ପ୍ରଦାନ କରୁଥିବାବେଳେ ୯୭ ପ୍ରତିଶତ ପଞ୍ଚାୟତ ସେମାନଙ୍କର ୨୦୨୧-୨୨ ବର୍ଷର ଆକାଉଣ୍ଟ ବନ୍ଦ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅନୁରୂପ ଭାବେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍ ଅନୁଯାୟୀ ପ୍ରତିଶତ ୧୦୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ୨୦୨୦-୨୧ ବର୍ଷ ପାଇଁ ଅଡିଟ୍ ସରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଓଡିଶା ସଫଳତାର ସହ ଜାତୀୟ ପଞ୍ଚାୟତିରାଜ ପୁରସ୍କାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ୬୪ତମ ପୁରସ୍କାର ଜିଣିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ମଡେଲ ସିଟିଜେନ ଚାର୍ଟର ଅନୁଯାୟୀ ରାଜ୍ୟ ସରକାର ସିଟିଜେନ ଚାର୍ଟର ପ୍ରସ୍ତୁତ କରିନଥିବା ସେ କହିଛନ୍ତି । (ତଥ୍ୟ)