Home General ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୨୬୩୧୧.୯୫ କୋଟି

ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୨୬୩୧୧.୯୫ କୋଟି

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ବସବାସ କରୁଥିବା ୮୮.୫୬ ଲକ୍ଷ ଗ୍ରାମୀଣ ପରିବାର ପାଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ପହଞ୍ଚାଇ ସେମାନଙ୍କୁ ବିକାଶ ସ୍ରୋତରେ ସାମିଲ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ସେହି ମର୍ମରେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟୟ ଅଟକଳ ୨୬୩୧୧.୯୫ କୋଟି ଟଙ୍କା ରଖା ଯାଇଛି, ଯାହା ଗତବର୍ଷ ବଜେଟ ତୁଳନାରେ ୧୬ ପ୍ରତିଶତ ଅଧିକ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବା ଅବସରରେ ପ୍ରକାଶ କରିଛନ୍ତି ।

ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ, ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ କର୍ମନିଯୁକ୍ତି, ଗ୍ରାମୀଣ କାରିଗର ଓ ଉତ୍ପାଦକମାନଙ୍କ ଦକ୍ଷତା ବିକାଶ ତାଲିମ ଏବଂ ବଜାର ସହାୟତା ଯୋଗାଇ ମହିଳା ସଶକ୍ତିକରଣ, ସ୍ଥାୟୀ ଆୟ ଉପାର୍ଜନକାରୀ ସଂପତ୍ତି ସୃଷ୍ଟି ଆଦି କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏସବୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ସୁଦୃଢ଼ ନେତୃତ୍ୱ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଗ୍ରାମୀଣ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ନିଜସ୍ୱ ପାଣ୍ଠିରୁ ୧୦୦୦ କୋଟି ଟଙ୍କାର ଘୂର୍ଣ୍ଣୟମାନ ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୨୦ଟି ଦାଦାନପ୍ରବଣ ବ୍ଲକ୍‌ରେ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ବିଜ୍ଞାପିତ ଦୈନିକ ମଜୁରୀ ୩୩୩ ଟଙ୍କା ହାରରେ ଦିଆଯାଉଛି । ଏହି ଆର୍ଥିକ ବର୍ଷରେ ଏହି ସହାୟତାକୁ ଆଉ କିଛି ବ୍ଲକ୍‌କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୬.୮୧ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଛି । ଏଥିରେ ୫୦% ତଫସିଲଭୁକ୍ତ ଜାତି ଓ ଉପଜାତି, ୪୭.୯% ମହିଳା ସହଭାଗିତା ରହିଛି । ୩୭.୭୪ ଲକ୍ଷ ପରିବାରର ୪୯.୧୧ ଲକ୍ଷ ଉପଭୋକ୍ତା କର୍ମନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩,୩୬,୨୮୨ ପରିବାର ୧୦୦ ଦିନର କର୍ମନିଯୁକ୍ତି ପାଇଛନ୍ତି । ବିଭିନ୍ନ ଉତ୍ପାଦନକାରୀ ସଂପତ୍ତି ଯଥା ୨୮,୮୨୯ ଫାର୍ମ ପୋଖରୀ, ୧,୭୩୮ ଅଙ୍ଗନବାଡ଼ି କେନ୍ଦ୍ର, ୫,୩୫୬ କୂଅ, ୨,୭୦୫ ଖେଳ ପଡ଼ିଆ, ୫୩୭ ଗ୍ରାମ୍ୟ ଉଦ୍ୟାନ, ୧,୧୧୯ ଗ୍ରାମ ପଞ୍ଚାୟତ ମଡେଲ ପୋଖରୀ, ୧୭ ଜଳ ସଂରକ୍ଷଣ ପ୍ରକଳ୍ପ ଏବଂ ୭,୫୮୦ ଜଳାଶୟ ନିର୍ମାଣ ହୋଇଛି । ୪.୨୪ ଲକ୍ଷ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏବଂ ୫.୩୨ ଲକ୍ଷ କାର୍ଯ୍ୟ ଚାଲୁ ରହିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ଜଳ ଜୀବନ ମିଶନ ଯୋଜନା ପାଇଁ ୫,୭୫୦ କୋଟି, ବସୁଧା ଯୋଜନା ପାଇଁ ୩,୭୫୦ କୋଟି ଏବଂ ଆର୍‌ଆଇଡିଏଫ୍‌ ଯୋଜନା ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆସନ୍ତା ୨୦୨୪ ମସିହା ସୁଦ୍ଧା ସମସ୍ତ ପରିବାରଙ୍କୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ୫୭,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଛି । ଅଦ୍ୟାବଧି ରାଜ୍ୟର ମୋଟ ୮୮,୫୬,୩୮୭ ଗୋଟି ଗ୍ରାମୀଣ ପରିବାର ମଧ୍ୟରୁ ୫୦,୭୧,୦୦୦ ପରିବାରକୁ ଟ୍ୟାପ ସଂଯୋଗ କରାଯାଇଛି । ପାନୀୟ ଜଳର ମାନ ନିର୍ଦ୍ଧାରଣ ପାଇଁ ଗୋଟିଏ ରାଜ୍ୟସ୍ତରୀୟ, ୩୦ ଗୋଟି ଜିଲ୍ଲାସ୍ତରୀୟ ଓ ୪୬ ଗୋଟି ଉପଜିଲ୍ଲାସ୍ତରୀୟ (ମୋଟ ୭୭ ଗୋଟି) ଜଳ ପରୀକ୍ଷାଗାର କାର୍ଯ୍ୟକ୍ଷମ କରାଯାଇଛି ।

‘ସଭିଙ୍କୁ ଆଶ୍ରୟ ସୁରକ୍ଷା’ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳର ସମସ୍ତ ଗୃହହୀନ ଓ କଚ୍ଚା ଘରେ ବସବାସ କରୁଥିବା ପରିବାରବର୍ଗଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ହିତାଧିକାରୀଙ୍କୁ ସେମାନଙ୍କ ଘର ଶୀଘ୍ର ସମାପ୍ତ କରିବା ପାଇଁ ରାଜ୍ୟ ସରକାର ୮.୨୦ ଲକ୍ଷ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୧୩୪୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିଭନ୍ନ ଗ୍ରାମୀଣ ଗୃହନିର୍ମାଣ ଯୋଜନାରେ ଘର ତିଆରି ସଂପୂର୍ଣ୍ଣ କରିଥିବା ୨୭.୨୭ ଲକ୍ଷ ପରିବାରଙ୍କୁ ବିଜୁ ପକ୍କାଘର ଯୋଜନା ପାଣ୍ଠିରୁ ଗୃହ ମରାମତି ଅନୁଦାନ ବାବଦରେ ପ୍ରତି ପରିବାର ପିଛା ୩୦୦୦ ଟଙ୍କା ହିସାବରେ ମୋଟ ୮୧୮ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଗୃହ ମଂଜୁର ପାଇଁ ରାଜ୍ୟ ୯.୫୯ ଲକ୍ଷ (୧.୪୨ ଲକ୍ଷ ଫନୀ ବାତ୍ୟାପୀଡ଼ିତଙ୍କୁ ମିଶାଇ) ସମ୍ଭାବ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏହି ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ସ୍ଥାନୀୟ ସ୍ୱାୟତ ଶାସନ ସଂସ୍ଥାମାନଙ୍କର ସଶକ୍ତିକରଣ, ଗ୍ରାମାଞ୍ଚଳର ଭିତ୍ତିଭୂମି ନିର୍ମାଣ ଏବଂ ଏହାର ରକ୍ଷଣବେକ୍ଷଣ ନିମନ୍ତେ ପଞ୍ଚଦଶ କେନ୍ଦ୍ର ଅର୍ଥ ଆୟୋଗ ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ତି୍ରସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଯଥା ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଆସୁଛନ୍ତି । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୧୭୪୭ କୋଟି ଟଙ୍କାର ଅର୍ଥ ଅନୁଦାନ ବ୍ୟବସ୍ଥା କରାଯାଇଛି ।

ଏଥି ସହିତ ପଞ୍ଚଦଶ କେନ୍ଦ୍ର ଅର୍ଥ ଆୟୋଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ଓ ବିକାଶ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ରଗୁଡ଼ିକର ଉନ୍ନତି ସାଧନ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହା ଜିଲ୍ଲା ପରିଷଦସ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ କାର୍ଯ୍ୟକାରୀ ହେଉଛି । ଏଥି ନିମନ୍ତେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ୩୭୨.୧୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଆର୍ଥିକ ବର୍ଷ ୨୦୨୩-୨୪ ନିମନ୍ତେ ମୋଟ ୯୧୫.୦୯ କୋଟି ଟଙ୍କା ହସ୍ତାନ୍ତରୀକରଣ ଅର୍ଥ ସୁପାରିଶ କରିଛନ୍ତି । ଏହି ହସ୍ତାନ୍ତରୀକରଣ ଅର୍ଥ ରାଜ୍ୟର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦମାନଙ୍କ ମଧ୍ୟରେ ୬୦:୩୦:୧୦ ଅନୁପାତରେ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଛି ଏବଂ ରାଜ୍ୟର ଅନୁସୂଚିତ ଅଞ୍ଚଳରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବରେ ୨୫ ପ୍ରତିଶତ ଅଧିକ ଅର୍ଥ ଅନୁଦାନର ବନ୍ଦୋବସ୍ତ କରାଯାଇଛି । ଗ୍ରାମାଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଉନ୍ନତିମୂଳକ କାର୍ଯ୍ୟ ସଂପାଦନ ନିମନ୍ତେ ଏହି ହସ୍ତାନ୍ତରୀକରଣ ଅର୍ଥ ବିନିଯୋଗ କରାଯାଇପାରିବ ।

ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ରାଜ୍ୟ ସରକାର ‘ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିକୁ ସହଯୋଗ-ଦକ୍ଷତା, ଜୀବିକା ଓ ବିପଣନ’ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେଥିପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆର୍‌ଜିଏସ୍‌ଏ) ଯୋଜନା ଅଧୀନରେ ପଞ୍ଚାୟତିରାଜ ସଦସ୍ୟ ତଥା ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ୭୦ କୋଟି ଟଙ୍କା ବରାଦ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୫୪୩୧୦ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ୩୨.୭୯ କୋଟି ଟଙ୍କା ବ୍ୟୟରେ ତାଲିମ ଦିଆଯାଇଛି । ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର, ପ୍ରାଣୀଧନ ସହାୟତା କେନ୍ଦ୍ର ସହ ଅଧିକାରୀ ଏବଂ ପଞ୍ଚାୟତିରାଜ ସଦସ୍ୟଙ୍କ ଆବାସିକ ଓ ଅଣଆବାସିକ ଗୃହଗୁଡ଼ିକର ରକ୍ଷଣାବେକ୍ଷଣ ଓ ଉନ୍ନତି ସାଧନ ପାଇଁ ୨୧୨.୮୭ କୋଟି ଓ ୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବନସୁରକ୍ଷା ସମିତି ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପ୍ରତ୍ୟେକ ଗ୍ରାମପଞ୍ଚାୟତସ୍ତରରେ ଭିସି ସୁବିଧା ଏବଂ ଡାଟା କେନ୍ଦ୍ର ସୃଷ୍ଟି ପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରାଥମିକତା ଆଧାରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ଏହାର ବିଜ୍ଞାପନ ଓଏସ୍‌ଏସ୍‌ସି ଦ୍ୱାରା ପ୍ରକାଶିତ ହୋଇସାରିଛି ।
ସହରାଞ୍ଚଳରେ ଉପଲବ୍ଧ ସମସ୍ତ ସୁବିଧାସୁଯୋଗ ଗ୍ରାମାଞ୍ଚଳରେ ଉପଲବ୍ଧ କରାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । କଚ୍ଚାଘରଠାରୁ ପMାଘର ଯାଏଁ, ଶିକ୍ଷାଠାରୁ ସ୍ୱାସ୍ଥ୍ୟ ଏବଂ ଗମନାଗମନ ଯାଏଁ ପ୍ରତି କ୍ଷେତ୍ରରେ ଏହାର ସାଫଲ୍ୟ ଆପଣମାନେ ଉପଲବ୍ଧ କରିପାରୁଥିବେ ବୋଲି ସେ କହିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।