ଭୁବନେଶ୍ୱର : ଆସନ୍ତା ୫ବର୍ଷ ପାଇଁ ଓଡିଶା ବର୍ଷକୁ ୧୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇବାକୁ ଯାଉଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଆଜି ୫୦୦ କୋଟି ଟଙ୍କାର କେନ୍ଦ୍ର ଅନୁଦାନ ପାଇଛି । ଏହାକୁ ମିଶାଇ ୨୦୨୧-୨୨ ବର୍ଷରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ ରାଜ୍ୟ ସରକାର ୮୩୪.୫୦ କୋଟି ଟଙ୍କା ପାଇଲେଣି ।
ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ବ୍ୟୟ ବିଭାଗ ପକ୍ଷରୁ ଆଜି ୨୫ଟି ରାଜ୍ୟର ପଞ୍ଚାୟତିରାଜ ସଂସ୍ଥାଗୁଡିକ ପାଇଁ ୧୩,୩୮୫.୭୦କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଓଡିଶା ଭାଗରେ ୫୦୦.୭ କୋଟି ଟଙ୍କା ପଡିଛି । ଏହି ଅନୁଦାନ ୨୦୨୧-୨୨ ବର୍ଷରେ ପ୍ରଥମ ପର୍ଯ୍ୟାୟ ଟାଏଡ ଗ୍ରାଣ୍ଟ ଭାବେ ମଞ୍ଜୁର ହୋଇଥିାବବେଳେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ ଏହ ପ୍ରଦାନ କରାଯାଉଛି ।
ମୋଟ୍ ୧,୪୨,୦୮୪ କୋଟି ଟଙ୍କାରୁ ଓଡିଶା ଏହି ପାଞ୍ଚବର୍ଷରେ ମୋଟ୍ ୫୨୮୦କୋଟି ଟଙ୍କା ପାଇବ । ଗାଁ ଗହଳରେ ପରିମଳ ଏବଂ ପାଇଖାନା ମରାମତି ଏବଂ ପାନୀୟଜଳ ଯୋଗାଣ, ବର୍ଷାଜଳ ସଂରକ୍ଷଣ ଓ ଜଳର ପୁନଃ ବ୍ୟବହାର ଆଦି ପାଇଁ ବ୍ୟୟ ହେବ । ଗ୍ରାଣ୍ଟ-ଇନ୍-ଏଡ୍ ଆକାରରେ ମିଳୁଥିବା ଅର୍ଥର ୬୦ ପ୍ରତିଶତ ହେଉଛି ଟାଏଡ ଗ୍ରାଣ୍ଟ ।
ଜାତୀୟ ସ୍ତରରେ ପାନୀୟଜଳ ଯୋଗାଣ, ବର୍ଷାଜଳ ସଂରକ୍ଷଣ ଏବଂ ପରିମଳକୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକ ସ୍ଥାନରେ ପଞ୍ଚାୟତିରାଜ ଅନୁଷ୍ଠାନ ସୁପାରିଶ୍ରେ ଅନଟାଏଡ ଗ୍ରାଣ୍ଟ ଆକାରରେ ଥିବା ୪୦ ପ୍ରତିଶତ ବ୍ୟୟ ହେବ । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟଗୁଡିକୁ ପରିମଳ ଏବଂ ପାନୀୟଜଳ ଯୋଗାଣ ପାଇଁ ମିଳିଥିବା ଅର୍ଥ ପଞ୍ଚାୟତିରାଜ ସଂସ୍ଥା ନିକଟରେ ଟାଏଡ ଗ୍ରାଣ୍ଟ ଆକାରରେ ରହିବ । କେନ୍ଦ୍ରରୁ ଅର୍ଥ ପାଇଲା ପରେ ୧୦ଦିନ ମଧ୍ୟରେ ରାଜ୍ୟ ସରକାର ଏହାକୁ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ପ୍ରଦାନ କରିବେ । ଦଶ ଦିନ ପରେ ଅର୍ଥ ପ୍ରଦାନ କଲେ ଏ ବାବଦୀୟ ସୁଧ ଦେବାକୁ ପଡିବ ।
ଗ୍ରାମାଞ୍ଚଳରେ ପରିମଳ ଓ ପାନୀୟଜଳ ଯୋଗାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ପଞ୍ଚଦର୍ଶ ଅର୍ଥ କମିଶନ ଅଦୁନାନ ଯୋଗାଣ ନିଶ୍ଚିତ କରିଛନ୍ତି । ୭୩ତମ ସମ୍ବିଧାନ ସଂଶୋଧନରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଯେଉଁ କ୍ଷମତା ଦିଆଯାଇଥିଲା ଏହା ସେ ଦିଗରେ ଏକ ବଡ ପଦକ୍ଷପ । ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ପଞ୍ଚଦଶ ଅର୍ଥ କମିଶନ ଯୋଗାଇ ଦେଉଥିବା ଅର୍ଥ କିଭଳି ବ୍ୟୟ ହେବ ସେଥିପାଇଁ କେନ୍ଦ୍ର ସରକାର ମାର୍ଗନିର୍ଦ୍ଦେଶିକା ଜାରି କରିଚନ୍ତି ।
ଗ୍ରାମାଞ୍ଚଳରେ ପଞ୍ଚଦଶ ଅର୍ଥ କିଭଳି ବ୍ୟୟ ହେବ ସେଥିପାଇଁ ଜଳଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହି ବିଭାଗ ପକ୍ଷରୁ ପାନୀୟଜଳ ଏବଂ ପରିମଳ ପାଇଁ ହୋଇଥିବା ସୁପାରିଶ୍ ଆଧାରରେ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ କରାଯାଇଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାର ୫୦ହଜାର କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିବାବେଳେ ଜଳ ଜୀବନ ମିଶନ ପାଇଁ ରାଜ୍ୟର ଅଂଶ ୩୦ହଜାର କୋଟି ଟଙ୍କା ରହିଛି ।
ଚଳିତବର୍ଷ ୨୮ହଜାର କୋଟି ଟଙ୍କା ପାନୀୟଜଳ ଓ ପରିମଳ ପାଇଁ ଟାଏଡ ଗ୍ରାଣ୍ଟ ଆକାରରେ ଦିଆଯାଇଥିବାବେଳେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣି୍ଠ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ଜଳଯୋଗାଣ ପାଇଁ ରହିଛି । ଏହା ଗ୍ରାମ୍ୟ ଅର୍ଥନୀତି ଉପରେ ଏକ ବଡ ପ୍ରଭାବ ପକାଇବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)