Home Covid ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ଖୋଲ

ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ଖୋଲ

ସୁନ୍ଦରଗଡ : ଜିଲ୍ଲାର ଗାଁ ଗହଳରେ ସଂକ୍ରମଣ ବ୍ୟାପୁଥିବାରୁ ତୁରନ୍ତ ସୁନ୍ଦରଗଡ ଜିଲ୍ଲାର ପ୍ରତି ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ଓ ସଂଗରୋଧ କେନ୍ଦ୍ର ଖୋଲିବାକୁ ବିଧାୟିକା କୁସୁମ ଟେଟେ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଅନୁରୋଧ କରିବା ସହିତ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ଏହା ଅତି ଜରୁରୀ ବୋଲି ଶ୍ରୀମତୀ ଟେଟେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ବିଧାୟିକା ଦର୍ଶାଇଛନ୍ତି ଯେ କରୋନା ସଂକ୍ରମଣ ଏବେ ଗାଁ ଗହଳରେ ପହଞ୍ଚିଲାଣି । ଗାଁରେ ଘର ଗୁଡିକ ଲାଗି ଲାଗି ରହିଥିବାରୁ ଏଠାରେ ସଂକ୍ରମଣ ତୀବ୍ର ହେବାର ଆଶଙ୍କା ରହିଛି । ତେଣୁ ପ୍ରଥମ ଲହର ସମୟରେ ଗତବର୍ଷ ଯେଭଳି ପଞ୍ଚାୟତ ସ୍ତରରେ କୋଭିଡ କେୟାର ସେଣ୍ଟର ଓ ସଙ୍ଗରୋଧ କେନ୍ଦ୍ର ଖୋଲିଥିଲା ଅନୁରୂପ ଭାବେ ଏଥର ଖୋଲିବାକୁ ସେ ମତ ଦେଇଛନ୍ତି ।

ପଞ୍ଚାୟତ ସ୍ତରରେ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ସହିତ ଏଠାରେ ଚିକିତ୍ସା, ମାଗଣା ଖାଦ୍ୟ, ମାଗଣା ଔଷଧ, ପାନୀୟଜଳ, ମାସ୍କ ଓ ସାନିଟାଇଜର ଆଦି ଯୋଗାଇଦେବାକୁ ଶ୍ରୀମତୀ ଟେଟେ ଜିଲ୍ଲାପାଳଙ୍କୁ କହିଛନ୍ତି । ଏହାଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ବ୍ୟାପୁଥିବା କରୋନାକୁ ନିୟନ୍ତ୍ରଣ କରାପାରିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସୁନ୍ଦରଗଡ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍‍ ୨୭,୫୨୪ଜଣ ସଂକ୍ରମିତ ହୋଇଥିବାବେଳେ ଏମାମନଙ୍କ ମଧ୍ୟରୁ ୨୧,୨୫୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୬ହଜାର ଟପିଥିବାବେଳେ ୧୮୭ଜଣ କରୋନାରେ ପ୍ରାଣ ହରାଇଲେଣି । ସମଗ୍ର ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କ୍ଷେତ୍ରରେ ସୁନ୍ଦରଗଡ ଏବେ ଅଧିକାଂଶ ଦିନ ଦ୍ୱିତୀୟ ସ୍ଥାନରେ ରହୁଛି ।

ତେଣୁ ଏହି ଆଦିବାସୀ ବହୁଳ ଜିଲ୍ଲାରେ ତୁରନ୍ତ କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ପୂର୍ବବର୍ଷ ଭଳି ପଞ୍ଚାୟତ ସ୍ତରରେ କୋଭିଡ କେୟାର ସେଣ୍ଟର ଓ ସଂଗରୋଧ କେନ୍ଦ୍ର ସ୍ଥାପନ ଜରୁରୀ ହୋଇଥିବେଳେ ଦ୍ୱିତୀୟ ଲହରୀ ସମୟରେ ପ୍ରଥମଥର ପାଇଁ ଜଣେ ଲୋକପ୍ରତିନିଧି ଭାବେ ଶ୍ରୀମତୀ ଟେଟେ ଜିଲ୍ଲା ପ୍ରଶାସନ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ।