Home Administration ପଞ୍ଚାୟତକୁ ମିଳିନି ସବୁ କ୍ଷମତା

ପଞ୍ଚାୟତକୁ ମିଳିନି ସବୁ କ୍ଷମତା

ଭୁବନେଶ୍ୱର : ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଯେତେ ସବୁ ସରକାରୀ କାର୍ଯ୍ୟକ୍ରମ ହସ୍ତାନ୍ତର ହେବାକଥା ଏଯାବତ୍‍ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ । ପାଖପାଖି ଚାରି ଦଶନ୍ଧି ଧରି ଟଣାଓଟରା ଲାଗି ରହିଥିବା ପରିପେକ୍ଷୀରେ ଧିରେ ସୁସ୍ଥେ କିଛି କିଛି ବିଭାଗର କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ଅନୁଷ୍ଠାନ ହାତରେ ଦିଆଯାଉଛି ।

ଏଠାରେ ଉଲ୍ଲେଖନୀୟ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୭୩ତମ ସମ୍ବିଧାନ ସଂଶୋଧନ ପରେ ପଞ୍ଚାୟତଗୁଡିକୁ ସ୍ୱାୟତ୍ତଶାସନ କ୍ଷମତା ପ୍ରଦାନ ଲାଗି ରାଜ୍ୟ ସରକାର ସମ୍ବିଧାନର ୨୪୩ (ଛ) ଧାରାର ଏକାଦଶ ଅନୁଚ୍ଛେଦରେ ଥିବା ୨୯ଟି ବିଷୟ ମଧ୍ୟରୁ ଏବେ ବି ୮ଟିକୁ ପଞ୍ଚାୟତିରାଜ ଅନୁଷ୍ଠାନ ହାତରେ ଦିଆଯାଇ ନାହିଁ ।

ସିଏଜିଙ୍କ ସର୍ବଶେଷ ରିପୋର୍ଟ ଏବଂ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି । ସାମାଜିକ ବନୀକରଣ ଓ ଫାର୍ମ ବନୀକରଣକୁ ପଞ୍ଚାୟତିରାଜ ଅନୁଷ୍ଠାନ ହାତରେ ନ୍ୟସ୍ତ କରିବାପାଇଁ ଓଡିଶା ସରକାର ପୂର୍ବରୁ ପ୍ରସ୍ତାବ ରଖିଥିଲେ । ତେବେ ଏପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମ ପଞ୍ଚାୟତିରାଜ ସଂସ୍ଥା ହାତକୁ ଦିଆଯାଇ ନାହିଁ । ଜଙ୍ଗଲ ବିଭାଗ ଆଜିର ଦିନରେ ଏହି କାର୍ଯ୍ୟ ନିଜ ହାତରେ ରଖିଛି । ଏହା ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ହାତକୁ ଆସିଲେ ସାମାଜିକ ବନୀକରଣ ଓ ଫାର୍ମ ବନୀକରଣ କାର୍ଯ୍ୟ ବ୍ୟାପକ ହୋଇପାରିବ ବୋଲି ପରିବେଶବିତ୍‍ମାନେ ଆଶାପ୍ରକାଶ କରୁଛନ୍ତି ।

ସେହିଭଳି ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ଖଦି ଏବଂ ଗ୍ରାମ୍ୟ କୁଟୀରଶିଳ୍ପ ସହିତ କ୍ଷୁଦ୍ରଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଆଦିକୁ ମଧ୍ୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ଅଧିନରେ ରଖିବାପାଇଁ ଥିବା ପ୍ରସ୍ତାବ କେବଳ ନଥିପତ୍ରରେ ରହିଯାଇଥିବାରୁ ଏ କ୍ଷେତ୍ରରେ ବିକାଶ ପାଇଁ ଯେତେ ସମ୍ଭାବନା ରହିଛି ତାହାର ସୁଫଳ ଲୋକେ ପାଉନାହାନ୍ତି । ଅନ୍ୟ ପକ୍ଷରେ ୩୦ବର୍ଷ ତଳେ ଓଡିଶାରେ ଯେତେ ଖଦି ଉତ୍ପାଦିତ ହେଉଥିଲା ଏବେ ତାହା ଢେର କମିଛି । ଅନେକ ସହରରେ ଖଦି ଦୋକାନ ମାନ ବନ୍ଦହୋଇ ଗଲାଣି । ଓଡିଶାରେ ଯେତିକି ବି ଖଦି ମିଳୁଛି ସେଥିରୁ ଅଧିକାଂଶ ଅନ୍ୟ ରାଜ୍ୟରୁ ଅଣାଯାଉଛି । ଫଳରେ ସୂତା କାଟି ଲୁଗା ବୁଣି ଓ ଏହାର ବିପ୍ପଣନ କରି ଗ୍ରାମାଞ୍ଚଳର ଲୋକେ ଯେତେ ଫାଇଦା ପାଇବାକଥା ତାହା ଅନ୍ୟ ରାଜ୍ୟକୁ ପଳାଉଛି ।

ଜାଳେଣି ଓ ଗୋଖାଦ୍ୟ ଦାୟିତ୍ୱ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ନିୟନ୍ତ୍ରଣରେ ରଖିବାପାଇଁ ଥିବା ପ୍ରସ୍ତାବ ଓଡିଶାରେ କେବେ କାର୍ଯ୍ୟକାରୀ ହେବ ତାହା ଜଣାନାହିଁ । ଏଥିରୁ ଫାଇଦା ନେଇ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଗୋଖାଦ୍ୟ ଉତ୍ପାଦନ କରି ଓଡିଶା ବଜାରରେ ବିକି ବେଶ୍‍ ମୁନାଫା ଉଠାଉଛନ୍ତି । ଓଡିଶାରେ ବିଦ୍ୟୁତ୍‍ ବଣ୍ଟନ ଲାଗି କମ୍ପାନୀ ପରେ କମ୍ପାନୀ ବଦଳୁଥିବାବେଳେ ଗ୍ରାମ୍ୟ ବିଦ୍ୟୁତିକରଣ ସମେତ ବିଦ୍ୟୁତ୍‍ ବଣ୍ଟନର ଦାୟିତ୍ୱ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ଉପରେ ନ୍ୟସ୍ତ କରିବାଲାଗି ଥିବା ପ୍ରସ୍ତାବ ଏକ ପ୍ରକାର ଶୀଳତଭଣ୍ଡାରରେ ପଡିଥିବା ଭଳି ଲାଗୁଛି ।

ବୈଷୟିକ ତାଲିମ ଓ ଧନ୍ଦାମୂଳକ ଶିକ୍ଷାକୁ ବ୍ୟାପକ କରିବା କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଏକଦା ଆଶା ରଖାଯାଉଥିଲା । କିନ୍ତୁ ଏଯାବତ୍‍ ବୈଷୟିକ ତାଲିମ କିମ୍ବା ଧନ୍ଦାମୂଳକ ଶିକ୍ଷା ପରିଚାଳନାର ଦାୟିତ୍ୱ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ମିଳିନାହିଁ । ସେହିପରି ଗ୍ରାମୀଣ ପାଠାଗାର ସହିତ ଗ୍ରାମାଞ୍ଚଳରେ ସାଂସ୍କୃତି କାର୍ଯ୍ୟକ୍ରମର ସୁରକ୍ଷା,ବିକାଶ ଏବଂ ପ୍ରସାର ଦାୟିତ୍ୱ ବି ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଦେବାଲାଗି ଏକଦା ପ୍ରସ୍ତାବ ଥିଲା । କିନ୍ତୁ ଏହି ପ୍ରସ୍ତାବ କେବେ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ ସମସ୍ତେ ନିରବ । (ତଥ୍ୟ)