Home General ପଛୁଆବର୍ଗଙ୍କ ସ୍ଥାନ ସଂରକ୍ଷଣ ବିବାଦ

ପଛୁଆବର୍ଗଙ୍କ ସ୍ଥାନ ସଂରକ୍ଷଣ ବିବାଦ

ଭୁବନେଶ୍ୱର : ଆଇନ୍‍ ଅଦାଲତରେ ଗଡ଼ୁଥିବା ମାମଲର ଫଇସଲା ସହ କେନ୍ଦ୍ର ସରକାର ସମ୍ବିଧାନର ନବମ ଅନୁଚ୍ଛେଦରେ ଓଡ଼ିଶାର ସ୍ଥାନ ସଂରକ୍ଷଣ ପ୍ରସଂଗ ସ୍ଥାନିତ ନକରିବା ପର୍ଯ୍ୟନ୍ତ ରାଜ୍ୟରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ସମ୍ବବପର ହେବନାହିଁ । ଯେଉଁମାନେ ଏ ପ୍ରସଂଗ ଉଠାଉଛନ୍ତି ସେମାନେ ଏହି ମାମଲାରେ ପକ୍ଷଭୁକ୍ତ ହୋଇ ଯୁକ୍ତି ବାଢ଼ିବା ସହ କେନ୍ଦ୍ର ସରକାରଙ୍କ ଉପରେ ନିର୍ଦ୍ଦିଷ୍ଟ ଫୋରମ୍‍ରେ ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଆଇନଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ମଣ୍ଡଳ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବା ନେଇ ସାରା ଦେଶରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ଏହି ମାମଲାରେ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତରୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦେବା ସହ ଅତ୍ୟାବଶ୍ୟକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହୋଇପାରେ ବୋଲି ମଧ୍ୟ ସୂଚାଇଥିଲେ । ୯୦ ଦଶକରେ ଓଡ଼ିଶା ସରକାର ଏହି ସମ୍ବେଦନଶୀଳ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜଷ୍ଟିସ ନବ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ ଏବଂ ଏହି କମିଶନ ମଧ୍ୟ ସ୍ଥାନ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ପାଇଁ ମତ ଦେଇଥିଲେ ।

ଓଡ଼ିଶାରେ ସେତେବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୩୮ ପ୍ରତିଶତ ଆସନ ସଂରକ୍ଷିତ ରହିଥିବା ପରିପ୍ରେକ୍ଷୀରେ ପଛୁଆବର୍ଗଙ୍କ ପାଇଁ ରାଜ୍ୟ ସରକାର ୧୨ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରି ମୋଟ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିଥିଲେ । ତେବେ ସେ ସମୟରେ ଜାତୀୟ ସ୍ତରରେ ଏସ୍‍ସି ଓ ଏସ୍‍ଟିଙ୍କ ଲାଗି ଜନସଂଖ୍ୟା ଭିତ୍ତିରେ ୨୨.୫ ପ୍ରତିଶତ ଆସନ ସଂରକ୍ଷିତ ରହିଥିବାରୁ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷିତ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିଥିଲେ । ସେବେଠାରୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ଆସନ ସଂରକ୍ଷଣ ରହି ଆସୁଛି ।

ଏହାପରେ ୧୯୯୫ରେ ନିର୍ବାଚନ ପୂର୍ବରୁ ପଛୁଆବର୍ଗଙ୍କ ଲାଗି ଆସନ ସଂରକ୍ଷଣ ଓଡ଼ିଶାରେ ୨୭ ପ୍ରତିଶତକୁ ବଢ଼ାଯାଇଥିଲା ଏବଂ ତାହା ସ୍ୟାଟ୍‍, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନାକଚ ହୋଇଯିବାରୁ ସରକାର ପୁଣି ଏସ୍‍ଇବିସିଙ୍କ ସଂରକ୍ଷଣ ହାର ୧୧.୨୫ ପ୍ରତିଶତକୁ ଖସାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଜେପି-ବିଜେଡି ମିଳିତ ସରକାର ସମୟରେ ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ ହୋଇଥିଲା । ଏହି ଆଇନ୍‍ର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ ଏସ୍‍ଇବିସି ବର୍ଗର ଜଣେ ଚାକିରି ପ୍ରତ୍ୟାଶୀ ଅମର ଛାଟୋଇ ରୁଜୁ କରିଥିବା ମାମଲାରେ ସ୍ୟାଟ୍‍ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଅଗ୍ରାହ୍ୟ କରିଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ ।

ହାଇକୋର୍ଟରେ ହାରିବା ପରେ ରାଜ୍ୟ ସରକାର ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏହି ମାମଲା ଏବେ ବିଚାରାଧୀନ ରହିଛି । ଆଇନ୍‍ଗତ ବ୍ୟବସ୍ଥା ସତ୍ତ୍ୱେ ସେତେବେଳେ ଓଡ଼ିଶା ସରକାର ଏସ୍‍ଇବିସିଙ୍କ ସ୍ଥାନ ସଂରକ୍ଷଣ ୨୭ ପ୍ରତିଶତ କରାଗଲେ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ସୀମାକୁ ଉଲ୍ଲଂଘନ କରୁଥିବାରୁ ସମ୍ବିଧାନର ୩୧ ଧାରା ମୁତାବକ ଏହାକୁ ନବମ ଅନୁଚ୍ଛେଦରେ ସ୍ଥାନିତ କରିବା ଲାଗି ନିବେଦନ କରିଥିଲେ । ପ୍ରାୟ ୧୬ବର୍ଷ ଧରି ଏହି ପ୍ରସଂଗ କେନ୍ଦ୍ର ସରକାରଙ୍କ ନିକଟରେ ଝୁଲୁଛି । ଇତିମଧ୍ୟରେ ଆଉ କେତେକ ରାଜ୍ୟର ଅନୁରୂପ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟକୁ ବଳବତ୍ତର ରଖି ଆସନ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିବାକୁ ବାରମ୍ବାର କହିଆସୁଛନ୍ତି ।

ନିର୍ବାଚନ ସମୟରେ ଏବଂ ବିଧାନସଭା ଚାଲିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ବାରମ୍ବାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି ଦୋହରାଇଥାନ୍ତି । ଆଇନ୍‍ ବିଶେଷଜ୍ଞମାନେ କହୁଛନ୍ତି, ଓଡ଼ିଶା ସରକାର ଯଦି ଏସ୍‍ଇବିସିଙ୍କ ପାଇଁ ପୁଣି ସ୍ଥାନ ସଂରକ୍ଷଣ ସୀମା ୨୭ ପ୍ରତିଶତକୁ ବଢ଼ାଇବେ ତାହା ଅଦାଲତ ଅବମାନନା ହେବ ଏବଂ ପୂର୍ବରୁ ଦୁଇଥର ଯେପରି ୨୭ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଆଇନ୍‍ ଅଦାଲତରେ କାଟ ଖାଇଯାଇଛି ତାହାର ପୁନରାବୃତ୍ତି ଘଟିପାରେ । ତେଣୁ ଏ ପରିପ୍ରେକ୍ଷୀରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଥିବା ବ୍ୟକ୍ତି, ଦଳ ଓ ସଂଗଠନମାନେ ଏହି ମାମଲାରେ ପକ୍ଷଭୁକ୍ତ ହେବା ସହ ଉକ୍ତ ପ୍ରସଂଗକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ଯେପରି କେନ୍ଦ୍ର ସରକାର ସ୍ଥାନିତ କରନ୍ତି ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ । (ତଥ୍ୟ)