Home News in Odia ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ଖସିଲା

ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ଖସିଲା

ଭୁବନେଶ୍ୱର : ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରିତାରେ ଓଡିଶା ପଛରେ ପଡିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ଆଇନ ଶୃଙ୍ଖଳା ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇପଡୁଥିବା ବେଳେ, ନ୍ୟାୟ ସଂହିତା କାର୍ଯ୍ୟକାରିତା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଢେର ପଛରେ ରହିବା, ରାଜ୍ୟ ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ନ୍ୟାୟ ସଂହିତା କାର୍ଯ୍ୟକାରୀ କ୍ଷେତ୍ରରେ ଜାତୀୟ ରାଙ୍କିଙ୍ଗରେ ଗତ ନଭେମ୍ୱର ମାସରେ ଓଡିଶା ୧୪ତମ ସ୍ଥାନରେ ଥିବାବେଳେ ଗତ ୩ ମାସରେ ୨୮ତମ ସ୍ଥାନକୁ ଖସି ଆସିଛି । ୨୦୨୬ ଫେବୃଆରୀର ରିପୋର୍ଟ ଅନୁଯାୟୀ, ଜାତୀୟ ହାର ୬୦.୩୫ ଥିଲାବେଳେ, ଓଡିଶା ଏହାଠାରୁ ୮ ପଏଣ୍ଟ ପଛରେ ରହିଛି । ପୂର୍ବରୁ ୧୪ତମ ସ୍ଥାନରେ ଥିବା ଓଡିଶା ଉପରକୁ ଉଠିବା ପରିବର୍ତ୍ତେ ମାତ୍ର ୩ ମାସରେ ୧୪ଟି ରାଜ୍ୟର ପଛକୁ ଚାଲିଯିବା, ରାଜ୍ୟର ପୋଲିସ୍ ବିଭାଗର ଅପାରଗତା ସହିତ ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଫଳତାକୁ ପଦାରେ ପକାଇଛି । 

ଡ଼ ମହାନ୍ତି କହିଥିଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ବିଜୁ ଜନତା ଦଳ ବାରମ୍ୱାର ସ୍ୱର ଉତ୍ତୋଳନ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରାଭଙ୍ଗ ହେଉନଥିଲା, ଯାହାଫଳରେ ଓଡ଼ିଶା ଆଜି ୨୮ତମ ସ୍ଥାନକୁ ଖସିଆସିଲା । ଓଡିଶାକୁ ଏକ ନମ୍ୱର ରାଜ୍ୟରେ ପରିଣତ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ସମୟରେ ବାସ୍ତବରେ ସମସ୍ତ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ନିମ୍ନଗାମୀ ହୋଇଛି । ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବା ସହିତ ଗୃହ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କ ଅଧୀନରେ ରହିଛି ।

କିନ୍ତୁ ଗତ ୧୮ ମାସରେ ଟ୍ରାଇବଲ ଆଟ୍ରୋସିଟି ମାମଲା ଅହେତୁକ ବୃଦ୍ଧି ପାଇଛି । ଏନସିଆରବି ତଥ୍ୟ ଅନୁଯାୟୀ, ଓଡ଼ିଶାର ଟ୍ରାଇବଲ ଆଟ୍ରୋସିଟି ମାମଲା ସଂଖ୍ୟା ୭୭୩ ଥିବାବେଳେ ଗତ ୧୮ ମାସରେ ୨୪୮୩ଟି ମାମଲା ହୋଇଛି, ଯାହା ରାଜ୍ୟର କରୁଣ ସ୍ଥିତିକୁ ଦର୍ଶାଉଛି । ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ପ୍ରସଙ୍ଗରେ, ନିକଟରେ ପ୍ରକାଶିତ ରିପୋର୍ଟ ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଫଳତାକୁ ପଦାରେ ପକାଇଥିବାରୁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଡ଼ ମହାନ୍ତି ଦାବି କରିଛନ୍ତି ।