Home Judiciary ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁଙ୍କୁ ଗୁରୁତ୍ୱ

ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁଙ୍କୁ ଗୁରୁତ୍ୱ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ କିଶୋର ନ୍ୟାୟ ବ୍ୟବସ୍ଥାରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅଧିକ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରିଛନ୍ତି। କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ଦିବ୍ୟାଙ୍ଗ ଶିଶୁଙ୍କ ସୁରକ୍ଷା ସମ୍ପର୍କିତ ନବମ ବାର୍ଷିକ ଅଂଶୀଦାର ପରାମର୍ଶ ଆଲୋଚନାଚକ୍ରରେ ଭର୍ଚୁଆଲ ଭାବେ ଯୋଗଦେଇ ମୁଖ୍ୟ ବିଚାରପତି ଏପରି ଶିଶୁମାନଙ୍କର ଅନନ୍ୟ ଆବଶ୍ୟକତା ଓ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେ କହିଛନ୍ତି ଆମକୁ ସ୍ୱୀକାର କରିବାକୁ ହେବ ଯେ ଦିବ୍ୟାଙ୍ଗ ଶିଶୁମାନେ କେତେକ ସ୍ବତନ୍ତ୍ର ସମସ୍ୟା ଏବଂ ଦୁର୍ବଳତାର ସମ୍ମୁଖୀନ ହୁଅନ୍ତି ଯେଉଁଥିପାଇଁ ବିଶେଷ ଧ୍ୟାନ ଏବଂ ଯତ୍ନ ଆବଶ୍ୟକ । ଦିବ୍ୟାଙ୍ଗ ଶିଶୁଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂପୃକ୍ତ ଆଇନର ଧାରାଗୁଡ଼ିକର ପ୍ରଭାବଶାଳୀ ରୂପାୟନ ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରାଯିବା ଆବଶ୍ୟକ ।

“ଆମେ ଏକ ନ୍ୟାୟସମ୍ପନ୍ନ ଓ ସମାନ ସମାଜ ଦିଗରେ କାର୍ଯ୍ୟ କରୁଥିବା ବେଳେ ଆସନ୍ତୁ ସମସ୍ତ ଶିଶୁ, ବିଶେଷ କରି ଦିବ୍ୟାଙ୍ଗ ଶିଶୁମାନଙ୍କ ଅଧିକାର କୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା” ସେ କହିଛନ୍ତି ।

ଏହି ଅବସରରେ ଅଂଶଗ୍ରହଣକାରୀମାନେ କିଶୋର ନ୍ୟାୟ ଅଧିନିୟମ- ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲା (ସିଏନସିପି) ଓ ଆଇନ ବିରୋଧୀ କାର୍ଯ୍ୟ କରୁଥିବା ପିଲା (ସିସିଏଲ) ଦ୍ୱାରା ନିର୍ଧାରିତ ଆଇନଗତ ବର୍ଗରେ ଆସୁଥିବା ଦିବ୍ୟାଙ୍ଗ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜୁଭେନାଇଲ ଜଷ୍ଟିସ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ଦେବବ୍ରତ ଦାଶ କହିଛନ୍ତି ଯେ କେବଳ ଦିବ୍ୟାଙ୍ଗମାନଙ୍କଠାରେ ସମସ୍ୟା ନାହିଁ, ବରଂ ଆମର ବର୍ତ୍ତମାନର ବ୍ୟବସ୍ଥାରେ ଦିବ୍ୟାଙ୍ଗମାନଙ୍କୁ ସମାନ ଚିକିତ୍ସା ଏବଂ ସୁଯୋଗ ପ୍ରଦାନ କରିବାରେ ମଧ୍ୟ କେତେକ ଅଭାବ ରହିଛି । ଆଜିର ଆଲୋଚନାର ଉଦ୍ଦେଶ୍ୟ ହେଉଛି ଏହି ଅଭାବଗୁଡ଼ିକୁ ଖୋଜି ବାହାର କରିବା ଏବଂ ସେଗୁଡ଼ିକୁ ପୂରଣ କରିବା, ଯାହାଦ୍ୱାରା ଆମର ଭବିଷ୍ୟତ ଉନ୍ନତ ହୋଇପାରିବ ।

ଅଗଷ୍ଟ ୨୦୨୨ରେ ୟୁନିସେଫ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅନୁଷ୍ଠାନଗୁଡ଼ିରେ ପ୍ରତି ତିନି ଜଣ ପିଲାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଥାଆନ୍ତି। ଏହାବ୍ୟତୀତ, ଶିଶୁ ଯତ୍ନ ଅନୁଷ୍ଠାନରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସଂଖ୍ୟା ଉପଯୁକ୍ତ ନଥାଏ ଏପରିକି କେତେକ ଆକଳନ ଅନୁସାରେ ଏପରି ଅନୁଷ୍ଠାନରେ ଥିବା ସମସ୍ତ ଶିଶୁମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ବୌଦ୍ଧିକ କିମ୍ବା ମାନସିକ ସ୍ୱାସ୍ଥ୍ୟ ଅକ୍ଷମତାର ସମ୍ମୁଖୀନ ହୋଇଥାନ୍ତି । ଅଧ୍ୟୟନ ଅନୁଯାୟୀ, ଅନୁଷ୍ଠାନିକ ଯତ୍ନରେ ଥିବା ଭିନ୍ନକ୍ଷମ ଶିଶୁଙ୍କ ମୃତ୍ୟୁ ହାର ଅନ୍ୟ ପିଲାଙ୍କ ତୁଳନାରେ ୧୦୦ ଗୁଣ ଅଧିକ।

ମିସ ଜଷ୍ଟିସ ସାବିତ୍ରୀ ରଥ ଏବଂ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର,ଦିବ୍ୟାଙ୍ଗ ଶିଶୁମାନଙ୍କର ସମସ୍ୟା ଓ ଅଧିକାର ବିଷୟରେ ଆଲୋକପାତ କରିବା ସହିତ ସମାଜର ସମସ୍ତ ବର୍ଗର ବ୍ୟକ୍ତିମାନଙ୍କୁ ଆହ୍ବାନ ଦେଇଥିଲେ ଯେ ଏକ ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ଦିବ୍ୟାଙ୍ଗ ଶିଶୁମାନଙ୍କର ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହୋଇପାରିବ ଏହି ଆଲୋଚନାରେ ହାଇକୋର୍ଟର ବିଚାରପତି,ଜୁଭେନାୟିଲ ଜଷ୍ଟିସ କମିଟି ସଦସ୍ୟ  ,ବରିଷ୍ଠ  ଅଧିକାରୀ,ଆଇନ ବିଶେଷଜ୍ଞ, ବାଗରିକ ସମାଜ ସଂଗଠନ ସଦସ୍ୟ ଓ ଭିନ୍ନକ୍ଷମ ଅଧିକାର କର୍ମୀମାନେ ଯୋଗଦେଇ ଦିବ୍ୟାଙ୍ଗ ଶିଶୁମାନଙ୍କ ସୁରକ୍ଷା ପାଇଁ ରଣକୌଶଳ ସଂପର୍କର ଆଲୋଚନା କରିଥିଲେ ।

ୟୁନିସେଫ୍ ର ଫିଲ୍ଡ ଅଫିସ୍ ମୁଖ୍ୟ ୱିଲିୟମ୍ ହାନଲୋନ୍ ଜୁନିୟର କହିଛନ୍ତି ଯେ ଦିବ୍ୟାଙ୍ଗ ଶିଶୁଙ୍କୁ ବାଦ୍ ଦେବାର ଅର୍ଥ ହେଉଛି ଖର୍ଚ୍ଚ କାହାକୁ ପଛରେ ନ ପକାଇବା ନେଇ ଥିବା ଆମର ବିଶ୍ୱସ୍ତରୀୟ ପ୍ରତିବଦ୍ଧତାକୁ ନଷ୍ଟ କରିବା ।  ଦିବ୍ୟାଙ୍ଗ ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ, ସୁରକ୍ଷିତ ଏବଂ ସଶକ୍ତ କରିବା ପାଇଁ ଏକ ସକ୍ଷମ ବାତାବରଣ ସୃଷ୍ଟି କରିବା ପାଇଁ ଆମକୁ ଆମର ପ୍ରତିବଦ୍ଧତାକୁ ଦୋହରାଇବାକୁ ହେବ।

ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, “ଓଡ଼ିଶାର ପ୍ରାୟ ୬୦ରୁ ୭୦ ଲକ୍ଷ ଦିବ୍ୟାଙ୍ଗଙ୍କ ସମସ୍ୟା ସେମାନଙ୍କ ଆବଶ୍ୟକତା ଓ ଅବଦାନ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଯଦି ଆମେ ଚାହୁଁଛୁ ଯେ ଆମ ରାଜ୍ୟ ଏକ ବିକଶିତ ରାଜ୍ୟରେ ପରିଣତ ହେଉ ଏବଂ ୨୦୩୬ ସୁଦ୍ଧା ୫୦୦ ନିୟୁତ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ହେଉ, ତେବେ ଆମକୁ ଦିବ୍ଯାଙ୍ଗଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବାକୁ ପଡିବ ।“

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ତାଙ୍କ ବିଭାଗ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କହିଲେ, ୟୁନିସେଫ୍, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍ଏସ୍ଇପିଡି) ବିଭାଗର ସହଯୋଗରେ ଆମ ବିଭାଗ ବିପଦରେ ଥିବା ଓ ଦିବ୍ଯାଙ୍ଗ ଶିଶୁମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ଦୁର୍ବଳତା ସର୍ଭେ କରାଯିବ । ଏସବୁ ତଥ୍ୟ ଆଧାରରେ ଆମେ ଏକ ମିଳିତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବୁ।

ଏହି ଆଲୋଚନାରେ ହାଇକୋର୍ଟର ବିଚାରପତି, ଜୁଭେନାଇଲ ଜଷ୍ଟିସ କମିଟିର ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀ, ଆଇନ ବିଶେଷଜ୍ଞ, ନାଗରିକ ସମାଜ ସଂଗଠନର ସଦସ୍ୟ ଓ ଭିନ୍ନକ୍ଷମ ଅଧିକାର କର୍ମୀମାନେ ଯୋଗଦେଇ ଦିବ୍ଯାଙ୍ଗ ଶିଶୁମାନଙ୍କ ସୁରକ୍ଷା ପାଇଁ ରଣକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ।

ଜଷ୍ଟିସ ମୁରାହାରି ଶ୍ରୀ ରମଣ, ସଭ୍ୟ,ଜୁଭେନାୟିଲ ଜଷ୍ଟିସ କମିଟି,ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କହିଥିଲେ ଯେ ଆଜିର ଆଲୋଚନା ସେହି ଫଳବତୀ ହେବ ଯେତେବେଳେ ଆମେ ଏହି ଆଲୋଚନାଚକ୍ରର ବିଷୟବସ୍ତୁକୁ ବାସ୍ତବରେ କାର୍ଯ୍ୟରେ  ପରିଣତ କରିବା ।