ଭୁବନେଶ୍ୱର : ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିୱାର୍ଡ’ର ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥିପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିବାବେଳେ ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ କୁମାରୀ ପ୍ରୀତି କୁମାର ନିଜ ଟିମ୍ଙ୍କ ସହ ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ ।
ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକମାନଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳମାନଙ୍କୁ ଏହି ଯୋଜନା ସଂପ୍ରସାରିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ନୂତନ ଜ୍ଞାନକୌଶଳ ପ୍ରୟୋଗ ଓ ପରିପୂର୍ଣ୍ଣତା ଭିତ୍ତିରେ (ସେଚୁରେସନ୍ ମୋଡ୍)ରେ ସମଗ୍ର ଭୂସଂପତ୍ତି ଓ ପ୍ରାକୃତିକ ସାଧନର ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ରିଜୁଭେନେଟିଂ ୱାଟରସେଡସ୍ ଫର ଏଗ୍ରିକଲଚରାଲ୍ ରେଜିଲେନ୍ସ ଥ୍ରୁ ଇନୋଭେଟିଭ୍ ଡେଭଲପ୍ମେଣ୍ଟ ବା ‘ରିୱାର୍ଡ’ ନାମରେ ନାମିତ ଏହି ପ୍ରକଳ୍ପକୁ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେଓଗଡ଼ ଓ ସମ୍ବଲପୁର ଆଦି ୫ଟି ଜିଲ୍ଲାର ୧.୧୫ ଲକ୍ଷ ହେକଫର ପରିବ୍ୟାପ୍ତ ଜଳଛାୟା ପ୍ରକଳ୍ପ ଅଞ୍ଚଳରେ ପରୀକ୍ଷାମୂଳକ (ପାଇଲଟ୍) ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏହି ସବୁ ଜିଲ୍ଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ । ଏହିସବୁ ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକଫର ଜମିକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯିବ । ଏହି ସଂପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି । ଉପରୋକ୍ତ ୫ଟି ଜିଲ୍ଲା ସହ ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରୁଛି ।
ଏହିପରି ଭାବେ ସମୁଦାୟ ୭ଟି ଜିଲ୍ଲାର ୭୦୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ୫.୨୬ ଲକ୍ଷ ହେକଫର ଭୂସଂପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
ବିଶ୍ୱବ୍ୟାଙ୍କ ପ୍ରତିନିଧି କୁମାରୀ ପ୍ରୀତି କୁମାର କହିଥିଲେ ଯେ ଜଳଛାୟା ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ । ସମଗ୍ର ଦେଶରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ପ୍ରସ୍ତାବ ରଖିଛନ୍ତି । ପ୍ରକଳ୍ପ ଦ୍ୱାରା ଜଳଛାୟା ଅଞ୍ଚଳର ସମନ୍ୱିତ କୃଷିକୁ ପ୍ରାକୃତିକ ବିପର୍ଯ୍ୟୟ-ସହନଶୀଳ କରାଯିବ ।
କୃଷି-ଜଳବାୟୁ ଭିତ୍ତିରେ ଭୂସଂପତ୍ତିର ପୂର୍ଣ୍ଣ ବିନିଯୋଗ ସହ ଉତ୍ପାଦକତା ବୃଦ୍ଧି କରାଯିବ । ଏହା ସହ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ବୈଷୟିକ ଓ ଆର୍ଥିକ ସହଯୋଗ ମାଧ୍ୟମରେ ସ୍ଥାନୀୟ କୃଷି ଉଦ୍ୟୋଗ ସୃଷ୍ଟି କରାଯିବ । ଓଡ଼ିଶା ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷକମାନଙ୍କଠାରୁ କୃଷି ଉତ୍ପାଦସବୁ କ୍ରୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ବିଭାଗୀୟ ଶାସନ ସଚିବ ଶ୍ରୀ ବଶିଷ୍ଠ ଜଣାଇଥିଲେ ଯେ ପ୍ରକଳ୍ପରେ ପ୍ରାୟ ୨୧୧.୫୭ ନିୟୁତ ଡଲାର ବିନିଯୋଗ ହେବାର ଆକଳନ କରାଯାଇଛି । ପ୍ରକଳ୍ପର ଅବଧି କାଳ ପ୍ରାୟ ୬ ବର୍ଷ ରହିବ । ଏହି ଅର୍ଥ ମଧ୍ୟରୁ ୧୬୨.୫୭ ନିୟୁତ ଡଲାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ, ଏବଂ, ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ନିୟୁତ ଡଲାର ଋଣ ଆକାରରେ ଯୋଗାଇବେ ।
ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ବୈଠକରେ ସ୍ଥିର ହୋଇଥିଲା ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୃଷି ଓ କୃଷକ ସଶକ୍ତିକରଣ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବିଶ୍ୱବ୍ୟାଙ୍କର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।