ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ପଞ୍ଚମ ପାଳି ସରକାରର ପ୍ରଥମ ସମ୍ପ୍ରସାରଣ କରିଥିବାବେଳେ ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣ ପୂର୍ବତନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁଣିଥରେ ତାଙ୍କ ଟିମ୍ରେ ରହିଥିବାବେଳେ ୧୨ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏହି ୧୨ଜଣଙ୍କ ମଧ୍ୟରେ ୭ ଜଣ ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ ।
ସେହିଭଳି ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଏଥର ୫ଜଣ ମହିଳାଙ୍କ ସାମିଲ କରିଥିବାବେଳେ ସେମାନଙ୍କ ମଧ୍ୟରେ କ୍ୟାବିନେଟ୍ରେ ୩ଜଣ ଓ ଦୁଇଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟାରେ ଶପଥ ନେଇଛନ୍ତି । ଏହି ୫ଜଣଙ୍କ ମଧ୍ୟରୁ ୨ଜଣ ସମ୍ପୂର୍ଣ୍ଣ ନବାଗତ ।
ଆଜି ଯେଉଁ ୨୧ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ କରିଛନ୍ତି । ଲୋକସେବା ଭବନର କନଭେନସନ ହଲରେ ଆଜି ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ପ୍ରଥମେ କ୍ୟାବିନେଟ୍ ମନ୍ତ୍ରୀମାନେ ଶପଥ ନେଇଥିଲେ । ପ୍ରଥମ ଶପଥ ଗ୍ରହଣ କରିଥିଲେ ଜଗନ୍ନାଥ ସାରକା । ଶ୍ରୀ ସାରକାଙ୍କୁ ପୂର୍ବରୁ ତାଙ୍କ ନିକଟରେ ଥିବା ଅନୁସୂଚିତ ଜାନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନତି ସହିତ ନୂତନ ଭାବେ ଆଇନ୍ ବିଭାଗ ଦିଆଯାଇଛି । ସେହିଭଳି ନିରଞ୍ଜନ ପୂଜାରୀଙ୍କୁ ତାଙ୍କର ପୂର୍ବ ବିଭାଗ ଅର୍ଥ ସହିତ ନୂତନ ଭାବେ ସଂସଦୀୟ ବ୍ୟାପାର ବିଭାଗ ମିଳିଛି ।
କ୍ୟାବିନେଟ୍ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମପଦ ବିକାଶ ପ୍ରଦାନ କରାଯାଇଥିବାବେଳେ ପ୍ରଦୀପ କୁମାର ଅମାତଙ୍କୁ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିଛି ।
କ୍ୟାବିନେଟ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମିଳିଥିବାବେଳେ ଉଷା ଦେବୀଙ୍କୁ ଗୃହ ଓ ନଗର ଉନ୍ନୟନ, ପ୍ରଫୁଲ କୁମାର ମଲ୍ଲିକଙ୍କୁ ଇସ୍ପାତ ଓ ଖଣି ସହିତ ପୂର୍ତ୍ତ ବିଭାଗ ମିଳିଛି । ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଶିଳ୍ପ,ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହିତ ଶକ୍ତି ବିଭାଗ ମିଳିଥିବାବେଳେ କ୍ୟାବିନେଟ୍ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହିତ ସମବାୟ ବିଭାଗର ଦାୟିତ୍ୱ ଦିଆଯାଇଛି ।
କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ନବ କିଶୋର ଦାସ ପୂର୍ବଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱ ତୁଲାଇବେ । ଟୁକୁନି ସାହୁଙ୍କୁ ଜଳସମ୍ପଦ ସହିତ ବାଣିଜ୍ୟ ଓ ପରିବହନ ବିଭାଗ ଦିଆଯାଇଥିବାବେଳେ ଅଶୋକ ଚନ୍ଦ୍ରା ପଣ୍ଡାଙ୍କୁ ତାଙ୍କର ପୂର୍ବ ବିଭାଗ ବିଜ୍ଞାନ ଓ ବୈଷୟିକଜ୍ଞାନ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପ୍ରଦାନ କରାଯାଇଛି । ରାଜେନଦ୍ର ଢୋଲକିଆଙ୍କୁ ମିଳିଛି ଯୋଜନା ଓ ସଂଯୋଜନ ବିଭାଗ ।
ସେହିଭଳି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଥିବା ସମୀର ରଞ୍ଜନ ଦାସଙ୍କୁ ପୂର୍ବ ଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦିଆଯାଇଥିବାବେଳେ ଅଶ୍ୱିନୀ କୁମାର ପାତ୍ରଙ୍କୁ ପର୍ଯ୍ୟଟନ, ଓଡିଶାଭାଷା, ସାହିତ୍ୟ ଓ ସଂସ୍କୃତି ସହିତ ଅବକାରୀ ବିଭାଗ ମିଳିଛି । ପ୍ରୀତି ରଞ୍ଜନ ଘଡାଇଙ୍କୁ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦିଆଯାଇଥିବାବେଳେ ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ ରାଜ୍ୟ ବୀମା ବିଭାଗ ଦିଆଯାଇଛି ।
ତୁଷାରକାନ୍ତି ବେହେରା ତାଙ୍କର ପୂର୍ବ ବିଭାଗ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବ ସେବା ସହିତ ସ୍ୱାଧିନ ଭାବେ ଗୃହ ବିଭାଗର ଦାୟିତ୍ୱ ତୁଲାଇବେ । ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଦିଆଯାଇଥିବାବେଳେ ରୀତା ସାହୁଙ୍କୁ ହସତନ୍ତ ଓ ବୟନଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗ ଏବଂ ବାସନ୍ତି ହେମ୍ବ୍ରମଙ୍କୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଦାୟିତ୍ୱ ଦିଆଯାଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ମନ୍ତ୍ରୀମଣ୍ଡରେ ଥିବା ଯେଉଁ ମନ୍ତ୍ରୀମାନେ ନୂତନ ଭାବେ ଶପଥ ନେଇଛନ୍ତି ସେମାନଙ୍କ ବିଭାଗରେ ସେଭଳି କିଛି ବଡ ପରିବର୍ତ୍ତନ ହୋଇନାହିଁ । ସମ୍ପୂର୍ଣ୍ଣ ନୂଆ ହୋଇ ଆସିଥିବା କିଛି ମନ୍ତ୍ରୀ ବିଶେଷକରି ପ୍ରୀତି ରଞ୍ଜନ ଘଡାଇ, ବାସନ୍ତି ହେମ୍ବ୍ରମ, ରୋହିତ ପୂଜାରୀ ଆଦିଙ୍କ ଉପରେ ଗୁରୁତ୍ୱ ବିଭାଗର ଦାୟିତ୍ୱ ନ୍ୟସ୍ତ କରାଯାଉଛି ।