Home News in Odia ନୂଆ ଜିଲ୍ଲା ପାଇଁ ଚାପ ବଢୁଛି

ନୂଆ ଜିଲ୍ଲା ପାଇଁ ଚାପ ବଢୁଛି

ଭୁବନେଶ୍ୱର : ନୂତନ ଜିଲ୍ଲା ଗଠନକୁ ପଦ୍ମପୁରବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଚଳିତବର୍ଷ ଶେଷ ପୂର୍ବରୁ ଯେ କୌଣସି ସମୟରେ ବରଗଡ଼ ଜିଲ୍ଲାରୁ ପଦ୍ମପୁର ସବ୍‍ଡିଭିଜନକୁ ପୃଥକ କରି ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଡିସେମ୍ବର ପୂର୍ବରୁ ପଦ୍ମପୁର ସବ୍‍ଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ପରିପ୍ରେକ୍ଷୀରେ ପଦ୍ମପୁରବାସୀ ଏଭଳି ଆଶା କରିବା ସ୍ୱଭାବିକ ।

ତେବେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ବଲାଙ୍ଗିରର କେଉଁ ଅଂଶ ରହିବ କି ନାହିଁ ସେଥିଘେନି ଏଯାବତ୍‍ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । ତେବେ ଇତି ମଧ୍ୟରେ ଜିଲ୍ଲା ପୁର୍ନଗଠନ ଘେନି ପ୍ରଶାସନିକ ସ୍ତରରେ ବିଚାରବିମର୍ଷ ଜାରି ରହିଥିବାର ସୂଚନା ମିଳୁଛି । ନିର୍ବାଚନ ପୂର୍ବରୁ ରାଜସ୍ଥାନ ସରକାର ଅନେକ ଗୁଡ଼ିଏ ନୂଆ ଜିଲ୍ଲା ସୃଷ୍ଟି କରିଥିବା ପରିପ୍ରେକ୍ଷୀରେ ପଦ୍ମପୁର ସହିତ ଆଉ କେତେକ ନୂଆ ଜିଲ୍ଲା ଓଡ଼ିଶାରେ ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇହେବନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୩୬ ଏପ୍ରିଲ ପହିଲାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଭାଷାଭିତ୍ତିରେ ଗଠିତ ହେବାବେଳକୁ ରାଜ୍ୟରେ ମାତ୍ର ୬ଟି ଜିଲ୍ଲା ଥିଲା । ଏଗୁଡିକ ହେଲା ଅଭିବକ୍ତ କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର । ଗଡ଼ଜାତ ମିଶ୍ରଣପରେ ରାଜ୍ୟର ଜିଲ୍ଲା ସଂଖ୍ୟା ପ୍ରଥମେ ୧୨ ଓ ପରେ ୧୩କୁ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ ୭୦ଦଶକରେ ଜିଲ୍ଲା ଗୁର୍ନଗଠନ ପାଇଁ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଜଷ୍ଟିସ ରାଜକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁର୍ନଗଠନ କମିଟି ଗଢାଯାଇଥିଲା ଏବଂ ଏହି କମିଟିର ସୁପାରିସ ଦୀର୍ଘବର୍ଷ ଧରି କାର୍ଯ୍ୟକାରୀ ହୋଇନଥିଲା ।

୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ରେକର୍ଡ ସଂଖ୍ୟକ ୧୨୩ଟି ସ୍ଥାନରେ ଜିଣି ସରକାର କରିବା ପରେ ସୁରେନ୍ଦ୍ରନାଥ ନାୟକଙ୍କ ରାଜସ୍ୱମନ୍ତ୍ରୀତ୍ୱ କାଳରେ ଜିଲ୍ଲା ପୁର୍ନଗଠନ କରାଯାଇ ଓଡ଼ିଶାର ଜିଲ୍ଲା ସଂଖ୍ୟା ବିଜୁବାବୁଙ୍କ ନିର୍ଦ୍ଦେଶକ୍ରମେ ୧୩ରୁ ୩୦କୁ ବୃଦ୍ଧି କରାଯାଇଥିଲା । ତେବେ ସେ ସମୟରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ବଡ଼ ବଡ଼ ଜିଲ୍ଲା ଗୁଡିକର ବିଭାଜନ କରାଯାଇନଥିଲା । ପରବର୍ତ୍ତୀ ସମୟରେ ଏହି ୩ ଜିଲ୍ଲାକୁ ବିଭାଜନ କରି ନୂଆ ଜିଲ୍ଲା ସୃଷ୍ଟି କରାଯିବାବେଳେ ପଦ୍ମପୁର ସମେତ ଆଉ କେତେକ ନୂଆ ଜିଲ୍ଲା ଗଠନ କରାଯିବ ବୋଲି କୁହାଯାଇଥିଲା ।

ଇତିମଧ୍ୟରେ ଦୀର୍ଘବର୍ଷ ଧରି ପଦ୍ମପୁର, କଣ୍ଟାବାଞ୍ଝି, ଘୁମୁସର, ଭୁବନେଶ୍ୱର ଆଦି ଅନେକ ସ୍ଥାନରେ ନୂଆ ଜିଲ୍ଲା ଗଠନ ପାଇଁ ଜନମତ ପ୍ରକାଶ ପାଇଛି । ସେହିଭଳି ଆନନ୍ଦପୁର, ବଡ଼ବିଲ, ରାଇରଙ୍ଗପୁର, ରାଉରକେଲା ଆଦିକୁ ଜିଲ୍ଲାର ମାନ୍ୟତା ଦେବାପାଇଁ ମଧ୍ୟ ବାରମ୍ବାର ଚାପ ପଡୁଛି । ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ନିଜ ନିଜ ଅଞ୍ଚଳରେ ନୂଆ ଜିଲ୍ଲା ପ୍ରତିଷ୍ଠା କଥା ଉଠାଉଛନ୍ତି । ଏମିତିକି ବନ୍ଦରନଗରୀ ପାରାଦୀପକୁ ମଧ୍ୟ ଜିଲ୍ଲା ପାହ୍ୟା ଦେବାପାଇଁ ଦାବି ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ପ୍ରତିଶ୍ରୁତି ମୁତାବକ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବା ଏକପ୍ରକାର ନିଶ୍ଚିତ ଥିବା ପରିପ୍ରେକ୍ଷୀରେ ଅନ୍ୟ ଯେଉଁସବୁ ଅଞ୍ଚଳରେ ନୂଆ ଜିଲ୍ଲା ଗଠନ ପ୍ରସଙ୍ଗ ରହିଛି ସେଠାରେ ବି ଏ ପ୍ରଶ୍ନକୁ ନେଇ ରାଜନୀତି ଜୋର ଧରୁଛି । ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ପାଖେଇ ଆସୁଥିବାବେଳେ ଜିଲ୍ଲା ପ୍ରସଙ୍ଗ ଦାବିକୁ କୌଣସି ରାଜନୈତିକ ଦଳ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଏବେ ରାଜ୍ୟରେ ୩୦ଟି ଜିଲ୍ଲା ଥିବାବେଳେ ଆଉ ଅନ୍ୟୁନ ନୂଆ ୧୫ଟି ଜିଲ୍ଲା ପାଇଁ ଦାବି ଉଠୁଛି । ତେବେ ଏ ପ୍ରସଙ୍ଗରେ ଚୁଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । (ତଥ୍ୟ)