Home Education ବନ୍ଦ ସ୍କୁଲ ଖୋଲିବାକୁ ତତ୍ପରତା

ବନ୍ଦ ସ୍କୁଲ ଖୋଲିବାକୁ ତତ୍ପରତା

ଭୁବନେଶ୍ୱର : ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ହୋଇପଡିଥିବା ପ୍ରାଥମିକ ବିଦ୍ୟାଳୟଗୁଡିକୁ ପର୍ଯ୍ୟାୟକ୍ରମେ ଖୋଲିବା ନେଇ ସରକାର ସୂଚନା ଦେବାପରେ ଏବେ ଗାଁ ଗହଳରେ ଅଭିଭାବକମାନେ ତତ୍ପର ହୋଇ ଉଠିଛନ୍ତି । ନିଜ ଘର ପାଖରେ ବନ୍ଦ ହୋଇପଡିଥିବା ବିଦ୍ୟାଳୟଗୁଡିକୁ ଖୋଲିବାପାଇଁ ସେମାନେ ଏବେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୁଆରକୁ ଦଉଡିବାରେ ଲାଗିଛନ୍ତି ।

ଯେଉଁସବୁ ବିଦ୍ୟାଳୟରେ ୨୦ରୁ କମ୍‍ ଛାତ୍ରଛାତ୍ରୀ ରହିଥିଲେ ସେହି ବିଦ୍ୟାଳୟଗୁଡିକୁ ସରକାର ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଫଳରେ ରାଜ୍ୟରେ ପ୍ରାୟ ୩ହଜାର ବିଦ୍ୟାଳୟରେ ତାଲା ପଡି ଯାଇଥିଲା । ଏହାପରେ ରାସ୍ତା ଓ ନାଳ ପାର ହୋଇ ଦୂର ଦରାନ୍ତର ବିଦ୍ୟାଳୟକୁ ପିଲମାନେ ଅମଙ୍ଗ ହେବାରୁ ସେମାନଙ୍କୁ କେତେକ ସ୍ଥାନରେ ଯା ଆସ ଖର୍ଚ୍ଚ ଦେବାପାଇଁ ବି ସ୍ଥିର ହୋଇଥିଲା । ଏସବୁ ସତ୍ୱେ ଅନେକ ଅଭିଭାବକ ସୋମନଙ୍କୁ ପିଲାଙ୍କୁ ସରକାରୀ ବିଦ୍ୟାଳୟରୁ ପ୍ରତ୍ୟାହାର କରି ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥିଲେ ।

ଇତି ମଧ୍ୟରେ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରେସକୋଡ୍‍ ଜାରି କରିବା ସହିତ ରଙ୍ଗ ବେରଙ୍ଗର ପୋଷାକ ପ୍ରଦାନ କରୁଛନ୍ତି । ଏଥି ସହିତ ବିଦ୍ୟାଳୟଗୁଡିକୁ ମଧ୍ୟ ୫ଟିରେ ସାମିଲ କରୁଛନ୍ତି । ତେବେ ବନ୍ଦ ହୋଇପଡିଥିବା ବିଦ୍ୟାଳୟରେ ଆବଶ୍ୟକ ଛାତ୍ରଛାତ୍ରୀ ହେଲେ ସେଗୁଡିକୁ ଖୋଲିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସ୍ଥାନୀୟ ସରପଞ୍ଚ, ବିଧାୟକ ଓ ସାଂସଦଙ୍କ ସୁପାରିଶ୍‍ ଆବଶ୍ୟକ ।

ଏହି ଖବର ପ୍ରକାଶ ପରେ ଏବେ ବନ୍ଦ ହୋଇପଡିଥିବା ବିଦ୍ୟାଳୟଗୁଡିକୁ ଖୋଲିବାପାଇଁ ଅଭିଭାବକମାନେ ତତ୍ପର ହୋଇ ଉଠିଛନ୍ତି । ଏପରିକି ଘରୋଇ ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ଫେରାଇବାପାଇଁ ସ୍ଥିର କରିବା ସହିତ ପ୍ରତ୍ୟେକ ପିଲାର ନାମ, ଅଭିଭାବକଙ୍କ ନାମ, ସମ୍ପୂର୍ଣ୍ଣ ଠିକଣା ସହିତ ବନ୍ଦ ହୋଇପଡିଥିବା ବିଦ୍ୟାଳୟର ନାମ ସଂଲଗ୍ନ କରି ଏକ ଦରଖାସ୍ତ ଲେଖିବାରେ ଲାଗିଛନ୍ତି । ବହୁ ସ୍ଥାନରେ ଅଭିଭାବକମାନେ ଏକଜୁଟ ହୋଇ ସରପଞ୍ଚ ଓ ବିଧାୟକଙ୍କ ଉପରେ ସୁପାରିଶ୍‍ ପାଇଁ ଚାପ ପକାଇପାରେ ଲାଗିଛନ୍ତି । ଏ ଦୁଇ ଲୋକ ପ୍ରତିନିଧିଙ୍କ ଠାରୁ ସୁପାରିଶ୍‍ ହାସଲ ପରେ ସେମାନେ ସାଂସଦଙ୍କ ଦ୍ୱାରସ୍ଥ ହେବାପାଇଁ ସ୍ଥିର କରିଛନ୍ତି ।

ତେବେ ବିଦ୍ୟାଳୟ ଖୋଲିବାପାଇଁ ସରପଞ୍ଚ ତୁରନ୍ତ ସମ୍ମତି ପ୍ରଦାନ କରୁଥିବାବେଳେ ବିଧାୟକମାନେ ଏଥିପାଇଁ ସମୟ ନେଉଥିବା ଜଣାଯାଇଛି । ଏଥିଯୋଗୁଁ ବହୁ ସ୍ଥାନରେ ଲୋକେ ପ୍ରତିଦିନ ବିଧାୟକଙ୍କ ନିକଟକୁ ଧାଉଁଥିବା ଦେଖିବାକୁ ମିଳୁଛି । ବିଧାୟକ ଓ ସାଂସଦ ତୁରନ୍ତ ସୁପାରିଶ୍‍ କଲେ ତାହାକୁ ନେଇ ବିଭାଗରେ ଦାଖଲ ପାଇଁ ଅଭିଭାବକମାନେ ବ୍ୟସ୍ତ ହୋଇ ପଡୁଥିବା ଲକ୍ଷ୍ୟ କରାଯାଇଛି ।

ତେବେ ଛାତ୍ରଛାତ୍ରୀ ଅଭାବରୁ ବିଦ୍ୟାଳୟଗୁଡିକ ବନ୍ଦ ହେବାପରେ କେତେକ ସ୍ଥାନରେ ବିଦ୍ୟାଳୟ କୋଠାରେ ଅଙ୍ଗନବାଡି କେନ୍ଦ୍ର ଖୋଲିଥିବାବେଳେ ଆଉ କେତେକ ସ୍ଥାନରେ ବ୍ୟାଙ୍କିଙ୍ଗ୍‍ ଆଉଟ୍‍ଲେଟ୍‍ ଖୋଲିବାକୁ ସ୍ଥିର ହୋଇଛି । ତେଣୁ ଏଭଳି ସ୍ଥଳେ ପୁଣିଥରେ ଏଠାରେ ବିଦ୍ୟାଳୟ ଖୋଲିବାକୁ ଲୋକପ୍ରତିନିଧିମାନେ କିଭଳି ସୁପାରିଶ୍‍ ତାହାକୁ ନେଇ ଚିନ୍ତାରେ ପଡିଥିବାବେଳେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଏହି ଚିନ୍ତା ବହୁଗୁଣିତ ହେବାରେ ଲାଗିଛି । (ତଥ୍ୟ)