Home News in Odia ନୂଆ ଏନଏସି ପାଇଁ ୫୬୦ କୋଟିର ପ୍ୟାକେଜ୍

ନୂଆ ଏନଏସି ପାଇଁ ୫୬୦ କୋଟିର ପ୍ୟାକେଜ୍

ଭୁବନେଶ୍ୱର : ଆମ ସହର କେବଳ ବାସ ସ୍ଥାନ ନୁହେଁ, ସହର ହେଉଛି ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର। ସହର ଗୁଡିକୁ ଆମକୁ ଏଭଳି ଅର୍ଥନୈତିକ କେନ୍ଦ୍ର ଭାବେ ଗଢିବାକୁ ହେବ, ଯେଉଁଠି ଯୁବ ପିଢି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗକୁ ବଢିବେ ଏବଂ ନୂଆ ରୋଜଗାର ସୃଷ୍ଟି ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାୟତ୍ତ ଶାସନ ଦିବସ- ୨୦୨୬ ପାଳନ ଅବସରରେ କହିଛନ୍ତି।

ରାଜ୍ୟ ସ୍ତରୀୟ ସ୍ଵୟତ୍ତ ଶାସନ ସମାରୋହରେ ମୁଖ୍ୟମନ୍ତ୍ରୀ ନବଗଠିତ ୨୮ଟି ଏନଏସିରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ ଏନଏସି ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ। ଏଥିସହିତ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧିନରେ କାର୍ଯ୍ୟକାରୀ ହେବ। ଏଥିରେ ୧୦୨ କୋଟି ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଥିବା ବେଳେ, ୨୨୧ କୋଟି ଟଙ୍କା ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି।

ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ପାଇଁ ପୌର ପ୍ରଶାସନର ଅଧିକାରୀ, କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୌର ସଂସ୍ଥା ଗୁଡିକରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, କାର୍ଯ୍ୟପଦ୍ଧତିର ସରଳୀକରଣ ଓ ସମୟବଦ୍ଧ ସମାଧାନକୁ ଗୁରୁତ୍ୱ ଦେଇ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ପ୍ରତ୍ୟେକ ସହରକୁ ଓଡିଶାର ଅର୍ଥନୈତିକ ବିକାଶର ଶକ୍ତିଶାଳୀ ଇଞ୍ଜିନ ଭାବେ ଗଢି ତୋଳିବା ପାଇଁ ଆହ୍ୱାନ କରିଥିଲେ।

ସହରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ଆଶା, ଆକାଂକ୍ଷା ଓ ଅବଶ୍ୟକତାକୁ କେନ୍ଦ୍ରରେ ରଖି ଆମେ କାମ କରୁଛୁ। ତେଣୁ, ଲୋକଙ୍କ ସହିତ ରହି, ଲୋକଙ୍କ ସମସ୍ୟାକୁ ଶୁଣି ଅଧିକାରୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି କାମ କରିବା ପାଇଁ ସେ କହିଥିଲେ।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ସଂସ୍ଥା ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଆଜି ଓଡିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଏବଂ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଅର୍ବାନ ଅଫେୟାର୍ସର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏଥି ସହିତ କ୍ରୁତ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଆହୁରି ମଧ୍ୟ ୧୧୫ଟି ପୌର ସଂସ୍ଥାରେ ଭିଡିଓ କନ୍ଫରେନ୍ସିଂ ସୁବିଧା ଏବଂ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ବନ୍ଧୁ’, ଓଡିଶା ଯାତ୍ରୀ ଏସ୍.ଓ.ଏସ୍. ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପୌର ସଂସ୍ଥା ଗୁଡିକର କର୍ମଚାରୀ, ସ୍ୱଚ୍ଛ ସାଥୀ, ଜଳ ସାଥୀ, ପରିମଳ କର୍ମୀ ଏବଂ କ୍ରୁଟର କର୍ମଚାରୀମାନଙ୍କୁ ନିଷ୍ଠାପର କାର୍ଯ୍ୟ ପାଇଁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଫୁଲବାଣୀ ପୌର ପରିଷଦର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ରୁନୁ ପ୍ରଧାନଙ୍କ ସହିତ ଘର ନିର୍ମାଣ ସମ୍ପର୍କରେ ଆଲୋଚନା କରି ଧାର୍ଯ୍ୟ ସମୟସୀମା ଭିତରେ ଘର ସମ୍ପୂର୍ଣ୍ଣ କରିଥିବାରୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଆମ ସରକାର ଦାୟିତ୍ୱ ନେବା ପରେ ୨୮ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ, ୭ଟି ନୂତନ ପୌର ପରିଷଦ ଗଠନ ସହିତ ପୁରୀକୁ ମହାନଗର ନିଗମର ମାନ୍ୟତା ପ୍ରଦାନ କରାଯାଇଛି। ଆମେ କେବଳ ରାଜ୍ୟର ବଡ ସହର ନୁହେଁ, ଛୋଟ ଛୋଟ ଏନଏସି ଓ ମୁନିସିପାଲଟି ଅଞ୍ଚଳ ଗୁଡିକର ସହରୀୟ ଭିତ୍ତିଭୂମି ବିକାଶକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଛୁ ବୋଲି କହି ସ୍ୱଚ୍ଛ ଓଡିଶା, ନିଶାମୁକ୍ତ ଓଡିଶା ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।