Home General ନିଶା ମୁକ୍ତ ଦାବିରେ ତ୍ରିରଙ୍ଗା ଯାତ୍ରା

ନିଶା ମୁକ୍ତ ଦାବିରେ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ନିଶାମୁକ୍ତ କରିବାଲାଗି ଗତ ନିର୍ବାଚନବେଳେ ଦେଇଥିବା ଗ୍ୟାରେଣ୍ଟିକୁ ରାଜ୍ୟ ସରକାର ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ଦାବିରେ ରାଜଧାନୀରେ ଚାଲିଥିବା ତ୍ରିରଙ୍ଗା ଯାତ୍ରା ଆଜି ୩୮ ଦିନରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଯାତ୍ରା ପ୍ରତି ସମର୍ଥନ ଜଣାଇ ନିଶା ବିରୋଧି ଅଭିଯାନ ବ୍ୟାପକ ହେବାରେ ଲାଗିଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ନିର୍ବାଚନବେଳେ ବିଜେପି ପକ୍ଷରୁ ‘ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି’ ନାମରେ ଏକ ସଙ୍କଳ୍ପପତ୍ର ଜାରି କରାଯାଇଥିଲା । ଏଥିରେ ଅନ୍ୟାନ୍ୟ ସଙ୍କଳ୍ପ ଭିତରେ ୨୦୨୯ ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାପାଇଁ ଗ୍ୟାରେଣ୍ଟି ଦିଆଯାଇଥିଲା । ଇତି ମଧ୍ୟରେ କେନ୍ଦ୍ର ସରକାର ଓଡିଶାର ୩୦ଟି ଯାକ ଜିଲ୍ଲା ସମେତ ଦେଶର ବିଭିନ୍ନ ରାଜ୍ୟରେ ୨୦୦ରୁ ଅଧିକ ଦିନରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏଥିଲାଗି କେନ୍ଦ୍ରରୁ ପ୍ରଚୁର ଆର୍ଥିକ ସହାୟତା ମିଳୁଥିବାବେଳେ ରାଜ୍ୟ ସରକାର କିନ୍ତୁ ମଦ ବନ୍ଦ କରିବା ପରିବର୍ତ୍ତେ ମଦ ପ୍ରସାରଣରେ ମାତିଛନ୍ତି ବୋଲି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅଭିଯୋଗ ହେଉଛି ।

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପୂର୍ବରୁ ବହୁ ବ୍ୟକ୍ତିବିଶେଷ, ସଂସ୍ଥା, ମୋନା, ଓଡିଶା ମଦମୁକ୍ତି ଅଭିଯାନ ଆଦି ମଦ ଓ ଅନ୍ୟାନ୍ୟ ନିଶାକୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷିଦ୍ଧ କରି ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପାରିତ କରାଯାଇଥିବା ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ୍‍କୁ କଡାକଡି ଭାବେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଗତ ବିଜେଡି ସରକାର ଭଳି ବର୍ତ୍ତମାନର ବିଜେପି ସରକାର ଅମଳରେ ଅବକାରୀ ରାଜସ୍ୱ ନାମରେ ନିଶା କାରବାର ବଢା ଚାଲିଛି ।

ଚାରିବର୍ଷ ଭିତରେ ଓଡିଶାର ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକ ମାଧ୍ୟରେ ମଦ ଯୋଗାଣ ୨୦କୋଟି ଲିଟରରୁ ବଢିବ ବାର୍ଷିକ ୪୦କୋଟି ଲିଟର ଟପି ସାରିଲାଣି । ଏହାର ଢେର ଅଧିକ ଗୁଣ ଚୋରାମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ କାରବାର ହେଉଛି । ଏମିତିକି ଗୁଟ୍‍ଖା ନିଷିଦ୍ଧ କରାଯାଇଥିଲେ ମଧ୍ୟ ଖୋଲାଖୋଲି ଭାବେ ଗୁଟ୍‍ଖା, ଗଞ୍ଜେଇ, ବ୍ରାଉନସୁଗାର, ଚରସ, ହେରୋଇନ୍‍, ନିଶାଯୁକ୍ତ କଫସିରପ ଓ ଅନ୍ୟାନ୍ୟ ମାରାତ୍ମକ ମାଦକଦ୍ରବ୍ୟର ଖୋଲା କାରବାର ଚାଲୁଛି ।

୨୦୨୪ ମସିହାରେ ନୂଆ ସରକାର ଦାୟିତ୍ୱ ନେବାପରେ ସଙ୍କଳ୍ପପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ପାଇଁ ଘୋଷଣା କରିଥିଲେ । କିନ୍ତୁ ଓଡିଶାରେ ବିଜେପି ସରକାର ଗଢାଯିବାର ୨ବର୍ଷ ୨ମାସ ପରେ ବି ନିଶା ନିବାରଣ ପରିବର୍ତ୍ତେ ପ୍ରସାରଣ ଚାଲିଛି । ଏମିତିକି ବନ୍ଦ ଥିବା ବହୁ ମଦଦୋକାନ ମଧ୍ୟ ଆପତ୍ତିଜନକ ସ୍ଥାନରେ ଖୋଲାଯାଉଛି । ଏହା ବିରୁଦ୍ଧରେ ବିଭିନ୍ନ ଅଞ୍ଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ଏ ପରିପ୍ରେକ୍ଷୀରେ ଗତ ଜୁନ୍‍ ୨୩ତାରିଖରୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସମ୍ପୂର୍ଣ୍ଣ ମଦମୁକ୍ତ ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବା ଦାବିରେ ରାଜଧାନୀରେ ତ୍ରିରଙ୍ଗା ପଦଯାତ୍ରା ଚାଲିଛି । ବିଧାନସଭା ସମ୍ମୁଖରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଠାରୁ ସଚିବାଳୟ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବାସଭବନ ସମ୍ମୁଖ ରାସ୍ତା ଦେଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ରାଜଭବନ ଛକରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟକୁ ସବୁଦିନ ଅପରାହ୍ନରେ ଆସୁଛି ।

ଆଜିର ତ୍ରିରଙ୍ଗା ଶୋଭାଯାତ୍ରାରେ ବିଶିଷ୍ଟ ଗାନ୍ଧୀ ବିଚାର ଚିନ୍ତକ ପ୍ରହଲାଦ ସିଂହ, ଯୁବ ସମାଜସେବୀ ବିଭୂ ପ୍ରସାଦ ବକ୍ସି, ରାକେଶ ମହାପାତ୍ର ଓ ଉଲ୍ଲାସ ଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଧରି ଚାଲିଥିଲେ । କୁଳମରି ଶୁକ୍ଳ, ଦୁର୍ଗାପ୍ରସାଦ ଦାସ, ଖଗେଶ୍ୱର ବଳ, ଇନ୍ଦୁମତି ସାହୁ, ଇଞ୍ଜିନିୟର ବିଶ୍ୱଜିତ ମହାନ୍ତି, ସ୍ନେହାଶୁଂ ଜେନା,ସାବିତ୍ରୀ ଦେବୀ ପ୍ରମୁଖ ନିଶା ବିରୋଧି ନାରା ସହ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ତ୍ରିରଙ୍ଗାଯାତ୍ରାକୁ ଆଗେଇ ନେଇଥିଲେ । (ତଥ୍ୟ)