Home Covid ଓଡିଶାରେ କରୋନା ସତର୍କତା କେବେ ?

ଓଡିଶାରେ କରୋନା ସତର୍କତା କେବେ ?

ଭୁବନେଶ୍ୱର : ଦେଶର ଦୁଇ ପ୍ରମୁଖ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ କରୋନା କାୟାବିସ୍ତାର କରୁଥିବାବେଳେ ଏହି ଦୁଇ ରାଜ୍ୟରୁ ପ୍ରତିଦିନ ଶତାଧିକ ଲୋକ ଓଡିଶାକୁ ଆସୁଛନ୍ତି । ଏଭଳି ସ୍ଥିତିରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା କୋଭିଡ ସତର୍କତା ଗ୍ରହଣ କରାଯାଉନଥିବାରୁ ଆଗାମୀ ଦିନରେ ଏଠାରେ କୋଭିଡ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଗତ ମାସକ ମଧ୍ୟରେ ଆନ୍ଧ୍ରପ୍ରଦେଶରେ କୋଭିଡରେ ଆକ୍ରାନ୍ତ ହୋଇଥିବା ୪ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି । ଏକାଧିକ ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ପଦକ୍ଷେପ ଗ୍ରହଣ କରିଥିବାବେଳେ ସେଠାକାର ଲୋକମାନେ ବି କୋଭିଡ ଠାରୁ ଦୂରେଇ ରହିବାପାଇଁ ମାସ୍କ ପିନ୍ଧିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହୁଛନ୍ତି ।

ଅନୁରୂପ ଭାବେ ମହାରାଷ୍ଟ୍ରରେ ମଧ୍ୟ କୋଭିଡ ପରିଲକ୍ଷିତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । କେବଳ ଚଳିତମାସର ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କ ଠାରେ କରୋନା ସଂକ୍ରମଣ ପରିଲକ୍ଷିତ ହେଲାଣି । ଏହାକୁ ନେଇ ଉଭୟ ସ୍ୱାସ୍ଥ୍ୟ ବିଭାଗ ଓ ସାଧାରଣ ଲୋକେ ସତର୍କତା ଅବଲମ୍ବନ କରୁଛନ୍ତି । ଯଦିଓ ମହାରାଷ୍ଟ୍ରରେ ଦେଖାଦେଇଥିବା କରୋନା ସେତେଟା ମାରାତ୍ମକ ନୁହେଁବୋଲି କୁହାଯାଉଛି, କିନ୍ତୁ ବର୍ଷାଋତୁରେ ସଂକ୍ରମଣର ସ୍ତର ଅଧିକ ରହିଥିବାରୁ ଲୋକେ ସତର୍କ ହେବା ଆରମ୍ଭ କରିଛନ୍ତି ।

କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଏହି ଦୁଇ ରାଜ୍ୟରୁ ପ୍ରତିଦିନ ଶତାଧିକ ବ୍ୟକ୍ତି ଓଡିଶାରେ ପ୍ରବେଶ କରୁଛନ୍ତି । ଆନ୍ଧ୍ରପ୍ରଦେଶ ଓଡିଶାର ପଡୋଶୀ ରାଜ୍ୟ ହୋଇଥିବାବେଳେ ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣର୍ । ପ୍ରତଦିନ ଆନ୍ଧ୍ରରୁ ବିଭିନ୍ନ ସାମଗ୍ରୀ ଧରି ଶତାଧିକ ଗାଡିମୋଟର ଓ ଲୋକେ ଓଡିଶା ଆସୁଛନ୍ତି । ଆନ୍ଧ୍ରରୁ ପ୍ରତିଦିନ ଟ୍ରକ ଟ୍ରକ ପନିପରିବା, ଫଳ, କଦଳୀ ଓ ମାଛ ଓଡିଶାକୁ ଆସୁଛି । ସେହିଭଳି ମହାରାଷ୍ଟ୍ରରୁ ବିମାନ ଯୋଗେ ଶତାଧିକ ଲୋକ ଓଡିଶା ଆସୁଥିବାବେଳେ ପିଆଜ, ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ଏକାଧିକ ଟ୍ରକ ଓଡିଶା ଆସୁଛନ୍ତି । ହେଲେ ସେହିସବୁ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଆମ ରାଜ୍ୟରେ କୋଭିଡ ଯାଞ୍ଚ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ପ୍ରାୟ ତିନି ବର୍ଷ ବ୍ୟବଧାନରେ ଦେଶରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହା ଯେ ଓଡିଶାକୁ ନଆସିବ ତାହା କହିହେବ ନାହିଁ ବୋଲି ଚିକିତ୍ସକମାନେ ମତ ଦେଉଛନ୍ତି । କାରଣ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ସଂକ୍ରମିତ ଆକାଶମାର୍ଗରେ ହିଁ ଓଡିଶାକୁ ଆସିଥିଲେ । ବିଦେଶରୁ ଆସିଥିବା ଜଣେ ଯୁବକଙ୍କ ଠାରେ କରୋନା ଚିହ୍ନଟ ପରେ ଓଡିଶା ସରକାର କରୋନା କଟକଣା ଲାଗୁ କରିବା ସହିତ ଏହାକୁ କଡାକଡି କରିଥିଲେ । କରୋନା ସଂକ୍ରମିତ ଯୁବକ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ।

ପରବର୍ତ୍ତୀ ସମୟରେ କରୋନା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ସହିତ ସରକାରୀ ହିସାବରେ ୯ହଜାରରୁ ଅଧିକ ଜୀବନ ନେଇଥିଲା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସଟ୍‍ଡାଉନ୍‍ ଓ ଲକ୍‍ଡାଉନ୍‍ ଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡିଥିଲା । ବର୍ତ୍ତମାନ ଦେଶର ଦୁଇ ଦୁଇଟି ବୃହତ୍‍ ରାଜ୍ୟରେ କରୋନା ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି । (ତଥ୍ୟ)