ଭୁବନେଶ୍ୱର : ଯୁବ ସମାଜ ଭିତରେ ନିଶାର ଭୟଙ୍କର ପ୍ରସାର ଘଟୁଥିବା ପରିପ୍ରେକ୍ଷିରେ ଏହାର ନିରାକରଣ ପାଇଁ ଗାଁ ଗୁଡିକୁ ଅଲ୍କହଲ୍ମୁକ୍ତ କରିବା ଲାଗି ୨୦୧୩ ମସିହାରେ ଓଡିଶା ରାଜ୍ୟ ଯୁବନୀତିରେ ଘୋଷଣା କରାଯାଇଥିଲେ ବି ୯ବର୍ଷ ଭିତରେ ଗ୍ରାମାଞ୍ଚଳରେ ନିଶା କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।
ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜାତିସଂଘର ଜନସଂଖ୍ୟା ପାଣ୍ଠିର ମିଳିତ ଉଦ୍ୟମରେ ରାଜ୍ୟ ସରକାର ଏହି ନୀତି ପ୍ରଣୟନ କରିଥିଲେ । ରାଜ୍ୟ ଯୁବନୀତିର ନବମ ଅନୁଚ୍ଛେଦରେ ନିଶାର ପ୍ରସାର ଯୋଗୁ ଯୁବ ସମାଜ ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପଡୁଛି ସେ ସଂକ୍ରାନ୍ତରେ ଉଦ୍ବେଗ ପ୍ରକାଶ କରାଯିବା ସହ ଗାଁ ଗୁଡିକୁ ଆଲକହଲ୍ ମୁକ୍ତ କରିବା ପାଇଁ ସଙ୍କଳ୍ପ ରହିଛି ।
ରାଜ୍ୟ ଯୁବନୀତି ଆଧାରରେ ଯୁବ ଗୋଷ୍ଠୀର ସ୍ୱାସ୍ଥ୍ୟ ଓ ସୁସ୍ଥ ଅବସ୍ଥା ନିମନ୍ତେ ଯୁବକମାନଙ୍କୁ ବସ୍ତୁର ଦୂରୁପଯୋଗ, ନିଶା ଓ ତମାଖୁର ଶିକାର ନହୋଇ ଏକ ସକ୍ଷମ ବାତାବରଣ ସୃଷ୍ଟି ଲାଗି ସରକାର ସକ୍ରିୟ ନାଗରିକତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଦୃଶ୍ୟ ଚିତ୍ର ମାଧ୍ୟମରେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସଚେତନ କରାଯାଉଛି ବୋଲି କ୍ରୀଡା ଓ ଯୁବସେବା ବିଭାଗ ବାରମ୍ବାର କହିଆସୁଥିବାବେଳେ ଅବକାରୀ ବିଭାଗର ତଥ୍ୟରୁ କିନ୍ତୁ ରାଜ୍ୟରେ ନିଶା କାରବାର ହୁ ହୁ ହୋଇ ବଢୁଥିବା ଜଣାପଡୁଛି । ଏହାଛଡା ପୁଲିସ ଓ ପରିବହନ ବିଭାଗର ତଥ୍ୟ ମୁତାବକ ରାଜ୍ୟରେ ବିଭିନ୍ନ କିସମର ଅପରାଧ ଓ ସଡକ ଦୁର୍ଘଟଣା ପଛରେ ନିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହୁଛି ।
ନିଶାଡିମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଜିଲ୍ଲାସ୍ତରରେ ନିଶା ନିବାରଣ କେନ୍ଦ୍ରମାନ ଖୋଲାଯିବା ସହ କେତେକ ଡାକ୍ତରଖାନାରେ ବି, ଏଥିଲାଗି ଚିକିତ୍ସା ବ୍ୟବସ୍ଥା ରହିଛି । ତେବେ ଗୋଟିଏପଟେ ସହଜରେ ଯୁବଗୋଷ୍ଠୀଙ୍କୁ ନିଶାସକ୍ତ କରାଇବା ଲାଗି ଉଦ୍ୟମ ଚାଲିଥିବାବେଳେ ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ ନିଶା ଛଡାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ପୁଲିସ ଓ ଅବକାରୀ ବିଭାଗର ତଥ୍ୟ ମୁତାବକ ରାଜ୍ୟରେ ଚୋରାମଦ ସମେତ ଗଞ୍ଜେଇ, ବ୍ରାଉନ୍ସୁଗର, ହେରୋଇନ, କୋକେନ ଆଦି ଭୟଙ୍କର ନିଶା ସାମଗ୍ରୀର ବେପାର ବଢି ଚାଲିଛି । ଗୁଟ୍ଖା ସମେତ କେତେକ କିସମର ତମାଖୁଜାତ ପଦାର୍ଥ ଉପରେ ରାଜ୍ୟ ସରକାର ନିଷିଦ୍ଧାଦେଶ ଜାରି କରିଥିବାବେଳେ ଖୋଲାରେ କିନ୍ତୁ ଏହି ନିଷିଦ୍ଧ ସାମଗ୍ରୀର ଉତ୍ପାଦନ, ବିପଣନ ଓ ସେବନ ଚାଲୁଛି । ଗୁଟ୍ଖା ନିଷେଧ ଯୋଗୁ ସରକାର ବର୍ଷକୁ ପ୍ରାୟ ୫ଶହ କୋଟି ଟଙ୍କାର ରାଜସ୍ୱ ହରାଉଥିବାବେଳେ ଗୁଟ୍ଖା ବେପାରୀମାନେ ଏଥିରୁ ଫାଇଦା ଉଠାଇ ବିନା ଟିକସରେ କମ୍ ମୂଲ୍ୟରେ ଏହା ଯୋଗାଉଥିବା ଲକ୍ଷ୍ୟ କରାଯାଉଛି ।
ସମାଜବିଜ୍ଞାନୀମାନଙ୍କ ମତରେ ନିଶା ହେଉଛି ସମସ୍ତ ପ୍ରକାରର ଦୁସ୍କୃତି ଓ ଅପରାଧର ଜନନୀ । ନିଶା ନିବାରଣକୁ ସେଥିପାଇଁ ସ୍ୱାଧୀନତା ଆନ୍ଦୋଳନବେଳେ ଏକ ପ୍ରମୁଖ ରଚନାତ୍ମକ କାର୍ଯ୍ୟକ୍ରମ ଭାବେ ହାତକୁ ନିଆଯାଇଥିଲା ଏବଂ ମଦ, ଗଞ୍ଜେଇ ଆଦି ଦୋକାନ ଆଗରେ ପିକେଟିଂ କରି ଅନେକ ସଂଗ୍ରାମୀ ଗିରଫ ହେଉଥିଲେ । ଏମିତିକି ଛୋଟ ଛୋଟ ପିଲାମାନେ ବାନରସେନା ଗଢି ଓ ମହିଳାମାନେ ମରଣସେନାରେ ଯୋଗଦେଇ ନିଶା ଦୋକାନ ଆଗରେ ପିକେଟିଂ କରୁଥିଲେ । ତେବେ ସ୍ୱାଧୀନତା ପ୍ରାପ୍ତି ପରେ ଜାତୀୟ ସ୍ତରରେ ନିଶା ନିବାରଣ ଅଭିଯାନ ପ୍ରତି ଆଖି ବୁଜି ଦିଆଯିବାରୁ ନିଶା ରାକ୍ଷସମାନଙ୍କ ଦୌରାତ୍ମ୍ୟ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବଢି ଚାଲିଛି ।
ସମ୍ବିଧାନର ୪୬ଧାରାରେ ନିଶା ନିବାରଣ କଥା ଉଲ୍ଲେଖ ଥିବାବେଳେ ବିହାର-ଓଡିଶା ଅବକାରୀ ଆଇନର ଲକ୍ଷ ଓ ଉଦ୍ଦେଶ୍ୟ ବି ନିଶା ନିବାରଣ ଥିଲା । ୨୦୦୮ରେ ପ୍ରଣୀତ ଓଡିଶା ଅବକାରୀ ଆଇନ ବି ନିଶା ନିବାରଣ କଥା କହୁଛି । କିନ୍ତୁ ସମ୍ବିଧାନ ଓ ଆଇନରେ ନିଶା ନିବାରଣ ବ୍ୟବସ୍ଥା ଥିବାବେଳେ ବାସ୍ତବରେ କିନ୍ତୁ ନିଶା ପ୍ରସାରଣ ଘଟି ଦିନକୁ ଦିନ ଅବସ୍ଥା ଅଣାୟତ ହେଉଥିବାସ୍ଥଳେ ଓଡିଶା ରାଜ୍ୟ ଯୁବନୀତି ମୁତାବକ ଆଲକହଲ୍ ମୁକ୍ତ ଗ୍ରାମ ପ୍ରତିଷ୍ଠା ହୋଇପାରୁନାହିଁ । ସାମାଜିକ ଓ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଦୃଢ ଇଚ୍ଛାଶକ୍ତି ରହିଲେ ଓଡିଶା ରାଜ୍ୟ ଯୁବନୀତି ଅନୁଯାୟୀ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ସହ ରାଜ୍ୟର ବି ପ୍ରଭୂତ ଉନ୍ନତି ହୋଇପାରିବ ବୋଲି ସମାଜବିଜ୍ଞାନୀମାନେ କହୁଛନ୍ତି । ((ତଥ୍ୟ)