Home Environment ନିର୍ମାଣ କ୍ଷେତ୍ରରେ ସବୁଜ ପଦକ୍ଷେପ

ନିର୍ମାଣ କ୍ଷେତ୍ରରେ ସବୁଜ ପଦକ୍ଷେପ

ନୂଆଦିଲ୍ଲୀ : ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନ ମୁକ୍ତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ବିଚାର ଦୃଷ୍ଟିରୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ କହିଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶକୁ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆହେବ । ବର୍ତ୍ତମାନ ଚାଲିଥିବା ସ୍ୱଚ୍ଛତା ହିଁ ସେବା ପକ୍ଷରେ ଜାତୀୟ ରାଜପଥ, ରାସ୍ତାକଡ଼ ସୁବିଧା, ଢାବା, ଟୋଲ୍ ପ୍ଲାଜା ଭଳି ୧୩ ହଜାର ସ୍ଥାନରେ ପରିମଳ ରକ୍ଷା ପାଇଁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ସାତ ହଜାର ସ୍ଥାନରେ କାମ ଆପାତତଃ ଶେଷ ହୋଇଛି ।

ପ୍ରତିଦିନ ଗଦା ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦେଶବ୍ୟାପୀ ସହରଗୁଡ଼ିକରେ ମୁଖ୍ୟ ପରିବେଶଗତ ଆହ୍ୱାନ ଭାବେ ଦେଖା ଦେଇଥିବା ଶ୍ରୀ ଗଡ଼କରୀ କହିଥିଲେ । ଦଶ ହଜାର ହେକ୍ଟର ପାଖାପାଖି ଜମି ଅଳିଆ ଆବର୍ଜନା ଗଦା ଯୋଗୁ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି । ସେ ଦୃଷ୍ଟିରୁ ସହରର କଠିନ ବର୍ଜ୍ୟବସ୍ତୁକୁ ରାଜପଥ ନିର୍ମାଣ ପାଇଁ ବ୍ୟବହାର କରି ସେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଚିନ୍ତା କରୁଛି । ବର୍ଜ୍ୟରୁ ସମ୍ପଦ ସୃଷ୍ଟି କେବଳ ବୈଷୟିକ ଜ୍ଞାନ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ବୋଲି ସେ କହିଥିଲେ ।

ଦେଶର ବିକଳ୍ପ ଜୈବ ଇନ୍ଧନକୁ ନେଇ ସେ କହିଥିଲେ ଯେ ଦେଶରେ ଏକ ଇଥାନଲ ଅର୍ଥନୀତିର ସେ ଦୃଢ଼ ସମର୍ଥକ । କୃଷିର ଅଭିବୃଦ୍ଧି ଶତକଡ଼ା ଛଅ ଭାଗ ବୃଦ୍ଧି କରିବା ପାଇଁ ଇଥାନଲ ଅଧିକରୁ ଅଧିକ ଉପଯୋଗ କରାଯିବା ଆବଶ୍ୟକ। ଇଥାନଲ ଅର୍ଥ ବ୍ୟବସ୍ଥା ଦୁଇ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲକ୍ଷ୍ୟ ରହିଛି । ଶ୍ରୀ ଗଡ଼କରୀ କହିଥିଲେ ଯେ ବିଶ୍ୱର ପ୍ରଥମ ବିଏସ-୬ କପ୍ଲିଆଣ୍ଟ ଫ୍ଲେକ୍ସ ଫୁଏଲ ଷ୍ଟ୍ରଙ୍ଗ ହାଇବ୍ରିଡ୍ ଯାନ ଦିଲ୍ଲୀରେ ଚାଲିବା ଆରମ୍ଭ ସହ ଫ୍ଲେକ୍ସ ଇଞ୍ଜିନଗୁଡ଼ିକ ଶତପ୍ରତିଶତ ଇଥାନଲ ଦ୍ୱାରା ଚାଲି ଅର୍ଥବ୍ୟବସ୍ଥା ମଧ୍ୟକୁ ଏକ ଲକ୍ଷ କୋଟି ଟଙ୍କା ଆସିପାରିବ । ପାନିପଥର ଆଇଓସିଏଲ ପ୍ଲାଣ୍ଟ କୃଷିଜାତ ବର୍ଜ୍ୟ ଯେପରିକି କୁଟାକୁ ଇଥାନଲ ଓ ବାୟୋବିଟୁମେନରେ ରୂପାନ୍ତରିତ କରୁଛି ।

ମନ୍ତ୍ରୀ କହିଥିଲେ ଯେ ବାୟୋ ଇଥାନଲ ଉତ୍ପାଦନ ପ୍ରଯୁକ୍ତି ବଳରେ ଗୋଟିଏ ଟନ୍ ଧାନ ପ୍ରାୟ ୪ ଶହରୁ ୫୦୦ ଲିଟର ପର୍ଯ୍ୟନ୍ତ ଇଥାନଲ ଉତ୍ପାଦନ କରିପାରିବ । ଏହା ସ୍ଥାୟୀ ଓ ନିରନ୍ତର ଶକ୍ତି ନିର୍ଭରଶୀଳତା ଆଡ଼କୁ ମଧ୍ୟ ଗତି କରିବ ।

ଶ୍ରୀ ଗଡ଼କରୀ କହିଥିଲେ ଯେ ୨୦୨୫ ମସିହା ସୁଦ୍ଧା ଶତକଡ଼ା ଏକ ଭାଗ ସ୍ଥାୟୀ ଓ ନିରନ୍ତର ବିମାନ ଉଡ଼ାଣ ଇନ୍ଧନ ପାଇଁ ଆଇନତଃ ବ୍ୟବସ୍ଥା ହେବାକୁ ଥିବାବେଳେ ଏହା ଭାରତରେ ଭବିଷ୍ୟତରେ ଶତକଡ଼ା ୫ ଭାଗକୁ ବୃଦ୍ଧି କରିବାର ଯୋଜନା ରହିଛି । ଭାରତୀୟ ତୈଳ ନିଗମ ୮୭୦୦୦ ଟନ ନିରନ୍ତର ବିମାନ ଇନ୍ଧନ ଉତ୍ପାଦନ ପାଇଁ ଏକ କାରଖାନା ପାନିପଥରେ ବସାଇବ ବୋଲି ସେ କହିଥିଲେ ।

ଶ୍ରୀ ଗଡ଼କରୀ କହିଥିଲେ ଯେ ଦୂରସଞ୍ଚାର କ୍ଷେତ୍ର ପ୍ରାୟ ଛଅ ଲକ୍ଷ ମୋବାଇଲ ଟାୱାର ବସାଇଛି । ପାରମ୍ପରିକ ଭାବେ ଏହି ଟାୱାରଗୁଡ଼ିକ ଶକ୍ତି ପାଇଁ ଡିଜେଲ ଜେନେରେଟର ଉପରେ ନିର୍ଭରଶୀଳ ଥିବା ବେଳେ ବାର୍ଷିକ ଗୋଟିଏ ଟାୱାର ପ୍ରାୟ ଆଠ ହଜାର ଲିଟର ଡିଜେଲ ବ୍ୟବହାର କରୁଛି । ଏହି ଡିଜେଲ ବ୍ୟବହାର ଯୋଗୁ ପ୍ରତିବର୍ଷ ୨୫୦ କୋଟି ଲିଟର ଡିଜେଲ ବ୍ୟବହାର ହେଉଥିବା ବେଳେ, ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଇଥାନଲ ଇନ୍ଧନ ଭାବେ ଏହାର ବିକଳ୍ପ ଯୋଗାଇ ପାରିବ । ବଜାରରେ ଶତକଡ଼ା ଶତପ୍ରତିଶତ ଇଥାନଲରେ ଚାଲିବା ଭଳି ଜେନେରେଟର ବିକଶିତ ହୋଇ ସାରିଛି । ଭବିଷ୍ୟତ ପାଇଁ ଇଥାନଲଭିତ୍ତିକ ଜେନେରେଟର ସେଟ୍ ପାଇଁ ସେ ପ୍ରାଧାନ୍ୟ ଦେଇଥିବା ପ୍ରକାଶ କରିଥିଲେ । ଉଦଜାନ ଭବିଷ୍ୟତ ଇନ୍ଧନ ହେବାକୁ ଥିବାବେଳେ, ଯାହା ବଳରେ ଭାରତ ଶକ୍ତିର ଏକ ପ୍ରମୁଖ ରପ୍ତାନୀକାରୀ ହୋଇପାରିବ ଶ୍ରୀ ଗଡ଼କରୀ ପ୍ରକାଶ କରିଥିଲେ ।