Home Administration ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ମୁଣ୍ଡବିନ୍ଧା

ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ମୁଣ୍ଡବିନ୍ଧା

ଭୁବନେଶ୍ୱର : ଆସନ ସଂରକ୍ଷଣ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଟା ସାଜିଛି । ରାଜ୍ୟ ସରକାରଙ୍କ ଆସନ ସଂରକ୍ଷଣ ବ୍ୟବସ୍ଥା ଆଇନ୍‍ ଅଦାଲତରେ କାଟ୍‍ ଖାଇବା ପରେ ବି ପୌରସଂସ୍ଥାଗୁଡିକ ଲାଗି ଆସନ ସଂରକ୍ଷଣ ଏଯାବତ୍‍ ସଂଶୋଧନ କରାଯାଇ ପାରିନଥିବାବେଳେ ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ସଂରକ୍ଷଣ କରାଯିବ ତାହା ଏବେ ମୁଣ୍ଡବିନ୍ଧାର ବିଷୟ ।

ସଂରକ୍ଷଣ ପ୍ରସଙ୍ଗକୁ କେନ୍ଦ୍ର କରି ଗତ ତିନିବର୍ଷ ଧରି ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ । ଫଳରେ ଶତାଧିକ ଏନ୍‍ଏଏସି, ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ଏବେ ନିର୍ବାଚିତ ପ୍ରତିନିଧି ନାହାନ୍ତି । ଅଫିସରମାନେ ପୌରସଂସ୍ଥା ସବୁ ଚଳାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଜନସଂଖ୍ୟା ଅନୁପାତରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଓଡିଶାରେ ଏହି ଆଧାରରେ ଅନୁସୂଚିତ ଜନଜାତି ପାଇଁ ୨୨.୫ ଓ ଅନୁସୂଚିତ ଜାତି ଲାଗି ୧୬.୨୫ ପ୍ରତିଶତ ଆସନ ସଂରକ୍ଷଣ ଅଛି । ଓଡିଶା ସରକାର ଅତୀତରେ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ଲାଗି ଆଉ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ।

କିନ୍ତୁ ଏହା ନାକଚ ହୋଇଯିବାରୁ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରା ସ୍ଥିରିକୃତ ୫୦ପ୍ରତିଶତ ସଂରକ୍ଷଣସୀମାକୁ ଆଖିଆଗରେ ରଖି ଚାକିରି କ୍ଷେତ୍ରରେ ସଂରକ୍ଷଣସୀମା ୧୧.୨୫ ପ୍ରତିଶତକୁ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି । ମହାରାଷ୍ଟ୍ର ଓ ରାଜସ୍ଥାନ ଭଳି ରାଜ୍ୟରେ ବି ଅତ୍ୟଧିକ ସଂରକ୍ଷଣ ଥିବା ବ୍ୟବସ୍ଥାକୁ ଆଇନ୍‍ ଅଦାଲତରେ ଝଟ୍‍କା ଲାଗିଛି ।

ଓଡିଶାରେ ପୌର ନିର୍ବାଚନ କ୍ଷେତ୍ରରେ ମଧ୍ୟ ପଛୁଆବର୍ଗଙ୍କ ଲାଗି ଅତୀତରେ ୨୭ ପ୍ରତିଶତ ଆସନ ସଂରକ୍ଷଣ କରାଯାଇଥିଲା । ଏହା ବିରୁଦ୍ଧରେ ମାମଲା ହାଇକୋର୍ଟ ଓ ପରେ ସୁପ୍ରିମ୍‍କୋର୍ଟକୁ ଯାଇଥିଲା ଏବଂ ଏଥିରେ ଅଦାଲତ ମୋଟ୍‍ ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ରଖିବାକୁ କହିଥିଲେ ।

ଆଇନ୍‍ ଅଦାଲତଙ୍କ ଏହି ରାୟ ଯୋଗୁଁ ପୌରସଂସ୍ଥାଗୁଡିକରେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ସହିତ ବିଭିନ୍ନ ପଦ ପଦବୀ ଲାଗି ଯେଉଁ ସଂରକ୍ଷଣ କରାଯାଇଥିଲା ତାହା ଅକାମୀ ହୋଇଯାଇଛି । ତେଣୁ ପୁନଃ ସୀମା ନିର୍ଦ୍ଧାରଣ ସହ କେଉଁ ଆସନ କେଉଁ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ ସେ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ କହିଥିଲେ ।

ଇତି ମଧ୍ୟରେ କୋଭିଡ ମହାମାରୀ ଯୋଗୁଁ ଏହି ସଂରକ୍ଷଣ କାର୍ଯ୍ୟ ବିଶେଷ ଆଗେଇ ପାରିନାହିଁ । ତେଣୁ ରାଜ୍ୟ ନିର୍ବାଚନ କମିଶନ ଚାହିଁଲେ ବି ମଧ୍ୟ ନିର୍ବାଚନ କରିପାରୁ ନାହାନ୍ତି । ଫଳରେ ପୌରସଂସ୍ଥାଗୁଡିକ ବିନା ନିର୍ବାଚିତ ପ୍ରତିନିଧିରେ ବର୍ଷ ବର୍ଷ ଧରି ଚାଲୁଛି ।

ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାଗୁଡିକର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ଫେବୃୟାରୀରେ ପୁରୁଥିବା ପରିପ୍ରେକ୍ଷୀରେ ତୁରନ୍ତ ରାଜ୍ୟ ସରକାର ଆସନ ସଂରକ୍ଷଣ କାମ ସାରିବାଲାଗି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି । କିନ୍ତୁ ଏବେ କୋଭିଡ ପରିଚାଳନାରେ ସମସ୍ତେ ବ୍ୟସ୍ତ ରହିଥିବାରୁ ଏ ଦିଗ ପ୍ରତି ବିଶେଷ ଧ୍ୟାନଦିଅ।।ଇ ପାରିନାହିଁ ।

ସ୍ଥାନ ସଂରକ୍ଷଣ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପାଇବାପରେ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାଗୁଡିକର ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବାକଥା । ଏବେ କୋଭିଡର ତୃତୀୟଲହର ଆଶଙ୍କାକୁ ଆଖିଆଗରେ ରଖି ଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରଶାସନକଳ ଆଗୁଆ ପ୍ରସ୍ତୁତିପର୍ବ ଚଳାଉଥିବା ପରିପ୍ରେକ୍ଷୀରେ ୨୦୨୨ ଫେବୃୟାରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ସମ୍ଭାବନା କ୍ଷୀଣ । (ତଥ୍ୟ)