ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମା ଯାହା ଧାର୍ଯ୍ୟ କରାଯାଇଛି ବାସ୍ତବରେ ସଂଖ୍ୟାଧିକ ପ୍ରାର୍ଥୀ ତାହାଠାରୁ ଢ଼େର ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଅଥଚ କାଗଜପତ୍ରରେ ନିର୍ବାଚନୀ ଖର୍ଚ୍ଚ ହିସାବ କମିଶନଙ୍କ ଧାର୍ଯ୍ୟସୀମା ମଧ୍ୟରେ ରଖାଯାଉଥିବାରୁ ଏ କ୍ଷେତ୍ରରେ କରାଯାଉଥିବା ଜାଲିଆତି ଘେନି ସେମିତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏବଂ ତାରି ଭିତରେ ଅତିବେଶୀରେ ୫ଟି କାର୍ କିମ୍ବା ଜିପ୍ ଓ ୧୦ଟି ପର୍ଯ୍ୟନ୍ତ ମୋଟରସାଇକେଲ କି ଅଟୋରିକ୍ସା ଆଦି ବ୍ୟବହାର କରିପାରିବେ । ତେବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଅଧିକାଂଶ ସ୍ଥାନରେ ୨୦ଲକ୍ଷରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି ବୋଲି ଅନେକ ପ୍ରାର୍ଥୀ ସ୍ୱୀକାର କରୁଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା କିଛି ପ୍ରାର୍ଥୀଙ୍କ ପାଇଁ ତାଙ୍କ ଦଳ ଏବଂ ସ୍ଥାନୀୟ ବିଧାୟକ, ସାଂସଦ ଓ ମନ୍ତ୍ରୀ ଆଦି ମୋଟା ଅଙ୍କର ସହାୟତା ବ୍ୟବସ୍ଥା କରୁଥିବା ଘେନି ଚର୍ଚ୍ଚା ଚାଲିଛି ।
ତେବେ ପଞ୍ଚାୟତ ନିର୍ବାଚନ ପାଇଁ ସଂପୃକ୍ତ ଅଞ୍ଚଳର ଛୋଟବଡ ବ୍ୟବସାୟୀଙ୍କ ଉପରେ ଚାନ୍ଦା ବୋଝ ବଢ଼ୁଥିବା କଥା ଅନେକ ବ୍ୟବସାୟୀ ସ୍ୱୀକାର କରୁଛନ୍ତି । ଜଣେ ଜିଲ୍ଲା ପରିଷଦ ସଦସ୍ୟ ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭତ୍ତା ବାବଦରେ ଅଢ଼େଇ ଲକ୍ଷ ଟଙ୍କା ବି ପାଇବେ ନାହିଁ । ଅଥଚ ଏହି ପଦବୀ ଲାଗି ନିର୍ବାଚନ ଲଢ଼ିବା ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୫ଲକ୍ଷ ଟଙ୍କା ରଖାଯାଇଥିବାରୁ ପ୍ରାର୍ଥୀ କ’ଣ ବଦାନ୍ୟତା ଦେଖାଇ ଏ ବାବଦରେ ନିଜ ହାତରୁ ଟଙ୍କା ଭରଣା କରୁଛନ୍ତି କି ବୋଲି ସଚେତନ ଭୋଟରମାନେ ପ୍ରଶ୍ନ କରୁଛନ୍ତି ।
ସେହିଭଳି ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ସୀମା ୨ଲକ୍ଷ ଟଙ୍କା କରି ଧାର୍ଯ୍ୟ କରାଯାଇଛି । ଏହାରି ଭିତରେ ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀ ଅତିବେଶୀରେ ୨ଟି ଜିପ୍ କିମ୍ବା କାର୍ ଏବଂ ୫ଟି ପର୍ଯ୍ୟନ୍ତ ମୋଟରସାଇକେଲ କିମ୍ବା ଅଟୋରିକ୍ସା ବ୍ୟବହାର କରିପାରିବେ ବୋଲି କୁହାଯାଇଥିବା ବେଳେ ବାସ୍ତବରେ କିନ୍ତୁ ବ୍ୟବହୃତ ହେଉଥିବା ଯାନବାହନ ସଂଖ୍ୟା ଢ଼େର ଅଧିକ ।
ଏହି ପଦବୀ ପାଇଁ ଯେଉଁମାନେ ନିର୍ବାଚିତ ହେବେ ସେମାନେ ୫ବର୍ଷରେ ଭତ୍ତା ଭାବରେ ଦେଢ଼ ଲକ୍ଷ ଟଙ୍କା ବି ପାଇବେ ନାହିଁ । ଅଥଚ ଜଣେ ଜଣେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ସ୍ଥଳବିଶେଷରେ ଜଣେ ଜଣେ ସରପଞ୍ଚ ପ୍ରାର୍ଥୀ ୧୫ଲକ୍ଷରୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବା ଜଣାପଡିଛି ।
ଅବଶ୍ୟ ଏହି ନିର୍ବାଚନୀ ଖର୍ଚ୍ଚରେ ହାତଗୁଞ୍ଜା, ଭେଟି, ନିଶା ପାଣିଠାରୁ ଆରମ୍ଭ କରି ପ୍ରଚାର ସାମଗ୍ରୀ ପର୍ଯ୍ୟନ୍ତ ରହିଛି । ପଞ୍ଚାୟତ ନିର୍ବାଚନରେ ଟଙ୍କା ଉପଢ଼ୌକନ ଓ ନିଶା ବାଣ୍ଟିବା ନିଷିଦ୍ଧ ଥିବାବେଳେ ସଂଖ୍ୟାଧିକ ପ୍ରାର୍ଥୀ କିନ୍ତୁ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଘେନି ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରୁ ମିଳୁଥିବା ତଥ୍ୟରୁ ଜଣାପହିଛି ।
ମତଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ସବୁ ବନ୍ଦ ରଖିବା ଏବଂ ଅନ୍ୟ ସମୟରେ ଯେଭଳି ନିର୍ବାଚନ ବେଳେ ମଦର ବ୍ୟବହାର ହୋଇନପାରେ ସେଥିଘେନି ବିଭାଗୀୟ କର୍ତ୍ତୃପକ୍ଷ ତୁହାକୁତୁହା ଘୋଷଣା କରୁଥିଲେ ମଧ୍ୟ ଏବେ ନିର୍ବାଚନ ପରିପ୍ରେକ୍ଷୀରେ ଗାଁଗହଳରେ ମଦ, ଗଞ୍ଜେଇ, ବ୍ରାଉନସୁଗାରଠାରୁ ଆରମ୍ଭ କରି ଅନ୍ୟ ନିଷିଦ୍ଧ ନିଶା ସାମଗ୍ରୀର ପ୍ରସାର ପାୱାର ପ୍ଲସ୍ ନାମରେ ବଢ଼ିବାରେ ଲାଗିଛି ।
ଏଠାରେ ଉଲେଖନୀୟ ଯେ ପଞ୍ଚାୟତ ନିର୍ବାଚନ ପବନ ବହିବା ପରଠାରୁ ବିପୁଳ ପରିମାଣର ନିଶା ସାମଗ୍ରୀ ପୋଲିସ ଓ ଏସଟିଏଫ୍ ଜବତ କରିବାରେ ଲାଗିଛନ୍ତି । ଏହାସତ୍ତ୍ୱେ ବି ନିଶା ଓ କଳାଟଙ୍କାକୁ ରୋକାଯାଇ ପାରୁନାହିଁ ବୋଲି ସଚେତନ ନାଗରିକମାନେ ଅଭିଯୋଗ କରୁଛନ୍ତି । (ତଥ୍ୟ)