Home News in Odia ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଜୋରସୋର

ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଜୋରସୋର

ଭୁବନେଶ୍ୱର : ସାଧାରଣ ନିର୍ବାଚନ ସହ ଓଡିଶା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନଥିବାବେଳେ ଏବେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର (ମାନିଫାଷ୍ଟୋ) ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି । କଂଗ୍ରେସ ଓ ବିଜେପି ଭଳି ଦୁଇଟି ଯାକ ଜାତୀୟ ରାଜନୈତିକ ଦଳ ଏଥିଲାଗି ଜୋରଦାର କସରତ ଚଳାଇଛନ୍ତି । ତେବେ ରାଜ୍ୟରେ କ୍ଷମତାସୀନ ବିଜେଡି ଠିକଣା ସମୟରେ ତାହାର ନିର୍ବାଚନୀ ଇସ୍ତାହାର ସାର୍ବଜନୀନ କରିବ ବୋଲି କୁହାଯାଉଛି ।

ଦୀର୍ଘବର୍ଷ ଧରି ଓଡିଶା ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହ ହୋଇଆସୁଛି । ଓଡିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍‍ ମାସରେ ଶେଷ ହେବାକୁ ଯାଉଥିବାବେଳେ ଲୋକସଭାର କାର୍ଯ୍ୟକାଳ ବି ସରୁଛି । ତେଣୁ ଅବଧି ସରିବାର ଦୁଇ ମାସ ପୂର୍ବରୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ । ଏହା ପୂର୍ବରୁ ରାଜ୍ୟ ସରକାର ଗତଥର ଭଳି ବିଧାନସଭାରେ କାମ ଚଳା ବଜେଟ୍‍ ଉପସ୍ଥାପନ କରିବେ । ଏଥିରୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବ ।

ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ଦଳ ପକ୍ଷରୁ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାର ପ୍ରଭାବ ଭୋଟରମାନଙ୍କ ଉପରେ କିପରି କେତେ ପଡିଲା ସେ ସଂକ୍ରାନ୍ତରେ ବି ରାଜ୍ୟର ବିଭିନ୍ନ ଦଳ ବିଶ୍ଳେଷଣ କରୁଛନ୍ତି । ଏହାଛଡା ଗତଥର ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଏଥର ଦୋହରାଯିବ କି ନାହିଁ ଏବଂ ଜାତୀୟ ଦଳମାନଙ୍କର ନିର୍ବାଚନୀ ପ୍ରତିଶ୍ରୁତି କ’ଣ ରହୁଛି ତାହା ଉପରେ ବିଜେଡି ସତର୍କ ନଜର ରଖିଛି ।

କଂଗ୍ରେସ ଦୁର୍ନୀତି, ଭ୍ରଷ୍ଟାଚାର ସହିତ ବେକାରୀ, ବେରୋଜଗାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷି ଆଦି ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ଅତୀତରେ ଏହି ଜାତୀୟ ଦଳ ଦେଶପାଇଁ ଓ ରାଜ୍ୟପାଇଁ କ’ଣ କରିଛି ଏବଂ ଏବେ କ’ଣ କରିବାକୁ ପ୍ରସ୍ତାବ ରଖିଛି ସେ ସଂକ୍ରାନ୍ତରେ ଏକ ସୁଦୃଶ୍ୟ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାକୁ ଯାଉଛି । ଏଥିଲାଗି ଦଳର ଅଭିଜ୍ଞ ଓ ବରିଷ୍ଠ ନେତାମାନଙ୍କୁ ବି ଦାୟିତ୍ୱ ଦିଆଯାଇଛି । ତେବେ ରାଜ୍ୟ ଇସ୍ତାହାର କମିଟି ଚିଠା ଚୂଡାନ୍ତ କରିବା ପରେ କେନ୍ଦ୍ରୀୟ କମିଟିର ଅନୁମୋଦନ ନେଇ ଏହା ଘୋଷଣା କରାଯିବ ବୋଲି ରାଜ୍ୟ କଂଗ୍ରେସର କେତେକ ନେତା କହୁଛନ୍ତି ।

ସେହିଭଳି ବିଜେପି ମଧ୍ୟ ବିଭିନ୍ନ ରାଜ୍ୟର ନିର୍ବାଚନୀ ଇସ୍ତାହାରଗୁଡିକର ପରଖ କରିବା ସହ ଗତଥର ଦଳ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେଥିରୁ ଏଥର କ’ଣ କଟିବ ଓ ଆଉ କ’ଣ କ’ଣ ସବୁ ଯୋଡାଯିବ ସେ ସଂକ୍ରାନ୍ତରେ ବି ଅନୁଧ୍ୟାନ ଚଳାଇଛି । ବିଜେପି ଏକ କେନ୍ଦ୍ରୀୟ ଦଳ ହୋଇଥିବାରୁ ରାଜ୍ୟ ପାଇଁ ଘୋଷଣା ହେବାକୁ ଥିବା ନିର୍ବାଚନ ପ୍ରତିଶ୍ରୁତିକୁ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱର ଅନୁମୋଦନ ଲୋଡା ଅଛି ।

ଅନ୍ୟ ପକ୍ଷରେ ବିଜେଡି ନେତାମାନେ କହୁଛନ୍ତି ଯେ ସେମାନଙ୍କ ନେତା ଓ ସଂଗଠନ ପ୍ରତିଶ୍ରୁତି ନୁହେଁ କାମ ଉପରେ ବିଶ୍ୱାସ କରନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୨୦ରୁ ଏଯାବତ୍‍ ରାଜ୍ୟରେ ଯେତେସବୁ ବିକାଶ କରାଯାଇଛି ତାହାର ଚିଠା ସହିତ ଆଗାମୀ ଦିନରେ ଓଡିଶା ପାଇଁ ବିଜେଡିର କ’ଣ ସବୁ କାର୍ଯ୍ୟକ୍ରମ ରହିଛି ତାହାକୁ ପ୍ରାଞ୍ଜଳ ଭାବେ ରାଜ୍ୟବାସୀଙ୍କ ନିକଟରେ ଠିକଣା ସମୟରେ ରଖାଯିବ । ନିର୍ବାଚନ ଢେର ଦିନ ବାକି ଥିବାରୁ ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ଉଚିତ୍‍ ସମୟରେ ନିଷ୍ପତ୍ତି ନିଆଯିବ । ତେବେ ସାଧାରଣ ଲୋକଙ୍କର ମନ ଜିଣିବାପାଇଁ ବିଜେଡିର ପର୍ଯ୍ୟବେକ୍ଷକ, ସ୍ଥାନୀୟ ନେତା ଓ ଅନ୍ୟ ସଂସ୍ଥ୍‍ାମାନଙ୍କ ମାଧ୍ୟମରେ ସଂଗ୍ରହ କରାଯାଇଥିବା ମତ ଆଧାର ଓ ବାସ୍ତବ ସ୍ଥିତିର ସମୀକ୍ଷା କରି ବିଜେଡି ତାହାର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି । (ତଥ୍ୟ)