Home Industry ନାଲକୋରେ ବିନିଯୋଗ ହେବ ୩୦ ହଜାର କୋଟି

ନାଲକୋରେ ବିନିଯୋଗ ହେବ ୩୦ ହଜାର କୋଟି

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ । ନାଲ୍‍କୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏହା କହିଛନ୍ତି ।

ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ ବ୍ଳକ ଓ ଉକ୍ରଳ ଡି ଏବଂ ଇ କୋଇଲା ଖଣିରୁ କୋଇଲା ଉତ୍ତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ । ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ ପାୱାର ପ୍ଲାଣ୍ଟର ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ କରାଯିବ । ଏହି ସଂପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଏଥିରେ ୧୪୦୦ ମେଗାୱାଟ ଶକ୍ତି ସଂପନ୍ନ କ୍ୟାପ୍‍ଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା କରାଯିବ ।

ମନ୍ତ୍ରୀ ଶ୍ରୀ ଜୋଶୀ କହିଛନ୍ତି ଯେ ନାଲକୋ ଭବିଷ୍ୟତ ପାଇଁ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛି । ଉତ୍ପାଦନ ବୃଦ୍ଧି କରିବା ସହ ଉତ୍ତମାନର ଆଲୁମିନା ଓ ଆଲୁମିନିୟମ ଯୋଗାଇ ନାଲ୍‍କୋ ଏ କ୍ଷେତ୍ରରେ ନୂଆ ଉପଲ୍‍ବଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଆଲୁମିନିୟମର ଉତ୍ପାଦନ ବୃଦ୍ଧି ସହିତ ଏହି ଗୁରୁତ୍ୱପୂର୍ଣ୍ଣ ଧାତୁର ବ୍ୟବହାରକୁ ବଢାଇବା ପାଇଁ ମଧ୍ୟ କଂପାନୀ ପ୍ରଯନ୍‍ôଶୀଳ । ଏହାଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ଜୋଶୀ କହିଛନ୍ତି ଯେ କେନ୍ଦ୍ର ସରକାର ଖଣିଜ ସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଦେଶରେ ଖଣିଜ ପଦାର୍ଥର ଉତ୍ତୋଳନ ଓ ଉତ୍ପାଦନ ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ । ଏହା ଫଳରେ ଖଣିଜ ପଦାର୍ଥର ଉତ୍ତୋଳନ ସୁଗମ ଓ ସୁନିଶ୍ଚିତ ହୋଇପାରିବ । ଆହୁରି ମଧ୍ୟ ଖଣିଗୁଡିକର ନିଲାମରେ ଉପର ଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରି ନ ପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ ଏଥିରୁ ବାଦ ଦିଆଯିବ ।

ସେ କହିଛନ୍ତି ଯେ ଓଡ଼ିଶାରେ ସ୍ୱତନ୍ତ୍ରଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଦୁଇଟି ଖଣିକୁ ଓଡ଼ିଶା ଖଣିଜ ନିଗମକୁ ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଛଡା ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମକୁ ମଧ୍ୟ ଆଉ ଏକ ଖଣି ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ବା ଓଏମ୍‍ଇସିଏଲ୍‍ ଏବଂ ଖଣିଜ ଉତ୍ତୋଳନ ନିଗମ ଲିମିଟେଡ ବା ଏମ୍‍ଇସିଏଲ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ତଦନୁସାରେ ଓଏମ୍‍ଇସିଏଲ୍‍ ପାଇଁ ଏମ୍‍ଇସିଏଲ୍‍ ଖଣିଜ ଉତ୍ତୋଳନ କରିବ । ଏହାଦ୍ୱାରା ରାଜ୍ୟରେ ଥିବା ଖଣିଜ ସଂପଦର ଉତ୍ତୋଳନ ଓ ବିନିଯୋଗ ଦକ୍ଷତା ବଢିବ । ଏହା ମଧ୍ୟ ଖଣିଜ ପଦାର୍ଥର ସର୍ଭେ ଓ ଖନନରେ ସହାୟକ ହେବ ବୋଲି ଶ୍ରୀ ଜୋଶୀ କହିଛନ୍ତି ।

ସେ କହିଛନ୍ତି ଯେ ଆହୁରି ମଧ୍ୟ ଓଡ଼ିଶାରେ ମିନେରାଲ ବ୍ଲକ ବା ଖଣିଗୁଡିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏ କ୍ଷେତ୍ରରେ ଥିବା କେତେକ ନୀତିନିୟମକୁ କୋହଳ କରିବାକୁ ଚିନ୍ତା କରାଯାଉଛି । ସେ କହିଛନ୍ତି ଯେ ଏମ୍‍ଏମ୍‍ଡିଆର ୨୦୧୫ ଆଇନରେ ସଂଶୋଧନ କରାଯାଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଖଣିଗୁଡିକର ଆବଣ୍ଟନ ପାଇଁ ନୂଆ ନିଲାମ ବ୍ୟବସ୍ଥା କରାଯାଇଥିଲା । ଏହି ନୂଆ ନୀତି ଓ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହେବା ବେଳକୁ ଦେଶର ୪୬ଟି ଖଣିର ଲିଜ୍‍ ମିଆଦ ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯାଇଥିଲା । ସେଥିମଧ୍ୟରେ ସର୍ବାଧିକ ଖଣି ଓଡ଼ିଶାରେ ରହିଛି ।

ତେଣୁ ଏହି ଖଣିଜ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ସଂଶୋଧିତ ଖଣି ଆଇନ ୨୦୨୦କୁ ଏକ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ । ଜାନୁୟାରୀ ୨୦୨୦ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଅନୁସାରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଥିବା ଖଣିଗୁଡିକର ନିଲାମ ପାଇଁ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏହା ଫଳରେ ପ୍ରଚଳିତ ଲିଜ୍‍ ଅବଧି ଶେଷ ହେବା ପୂର୍ବରୁ ନୂଆ ଲିଜ୍‍ଧାରୀଙ୍କ ସଂପର୍କରେ ରାଜ୍ୟ ସରକାରମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବ ।

ଦ୍ୱିତୀୟତଃ ଆହୁରି ମଧ୍ୟ ନିଷ୍ପତ୍ତି ହୋଇଥିଲା ଯେ ଖଣିର ନୂଆ ଲିଜ୍‍ଧାରୀଙ୍କୁ ସ୍ୱୟଂକ୍ରିୟଭାବେ ଅନୁମୋଦନ ଓ କ୍ଲିୟରାନ୍ସ ଦୁଇ ବର୍ଷ ପାଇଁ ହସ୍ତାନ୍ତରିତ କରାଯିବ । ଯେଉଁଦିନଠାରୁ ନୂଆ ଲିଜ୍‍ଧାରୀ ଅନୁମତି ପାଇବେ ସେହିଦିନଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ନୂଆ ମାଲିକ ଆବେଦନ କରି ନୂତନ କ୍ଲିୟରାନ୍ସ ଆଦେଶ ପାଇପାରିବେ । ଏହି ପ୍ରକ୍ରିୟା ଫଳରେ ନୂଆ ମାଲିକମାନେ ଝାମେଲାମୁକ୍ତ ଭାବେ ଖଣି କାର୍ଯ୍ୟ କରିବାକୁ ସଫଳ ହୋଇଛନ୍ତି ।

ଶ୍ରୀ ଜୋଶୀ କହିଛନ୍ତି ଯେ ନାଲ୍‍କୋ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଗୁଳଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରୁଛି । ଏହା ସ୍ମେଲଟର ପ୍ଲାଣ୍ଟଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଅନୁସାରୀ ଶିଳ୍ପସଂସ୍ଥା ଓ ନିକଟବର୍ତ୍ତୀ ଛୋଟ ଛୋଟ ଉଦ୍ୟୋଗକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯାଇଛି । ଏହା ଫଳରେ ସେହି ଅଞ୍ଚଳରେ ନିଯୁକ୍ତି ସୁବିଧା ବଢିବ ଏବଂ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହୋଇପାରିବେ ।

ଜାତୀୟ ଆଲୁମିନିୟମ କଂପାନୀ ନାଲ୍‍କୋ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଏକ ରାଷ୍ଟ୍ରାୟତ୍ତ ଉପକ୍ରମଭାବେ କାର୍ଯ୍ୟ କରୁଛି । ଏହା ଭାରତ ସରକାରଙ୍କ ଏକ ନବରତ୍ନ ମାନ୍ୟତାପ୍ରାପ୍ତ କଂପାନୀ । ଏହା ଏସିଆର ସର୍ବବୃହତ୍‍ ସମନ୍ୱିତ ବକ୍ସାଇଟ-ଆଲୁମିନା- ଆଲୁମିନିୟମ-ବିଜୁଳି କମ୍ପେ୍ଲକ୍ସ । ଦେଶର ବକ୍ସାଇଟ ଉତ୍ପାଦନରେ ନାଲ୍‍କୋର ଅବଦାନ ୩୨ ଶତାଂଶ ।

ସେହିଭଳି ଭାରତର ମୋଟ ଆଲୁମିନା ଉତ୍ପାଦନର ୩୩ ଭାଗ ଏବଂ ଆଲୁମିନିୟମ ଉତ୍ପାଦନର ୧୨ ଶତାଂଶ ନାଲ୍‍କୋ ଦ୍ୱାରା ହୋଇଥାଏ । ସ୍ୱଳ୍ପ ମୂଲ୍ୟରେ ଆଲୁମିନା ଏବଂ ବକ୍ସାଇଟ ଉତ୍ପାଦନ କ୍ଷେତ୍ରରେ ନାଲ୍‍କୋ ବିଶ୍ୱର ୧ ନମ୍ବର କଂପାନୀଭାବେ ମାନ୍ୟତା ପାଇଛି । ପୃଥିବୀର ୧୫ରୁ ଅଧିକ ଦେଶରେ ନାଲ୍‍କୋର କାରବାର ରହିଛି । ଦେଶର ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ ସିପିଏସ୍‍ସି କ୍ଷେତ୍ରରେ ନାଲ୍‍କୋ ସର୍ବାଗ୍ରେ ଅଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଓ ଅନୁଗୁଳ ଜିଲାରେ ନାଲ୍‍କୋର ପ୍ଲାଣ୍ଟ ରହିଛି ।