Home Finance ନାବାର୍ଡକୁ ୧୦ହଜାର କୋଟିର ପ୍ରସ୍ତାବ

ନାବାର୍ଡକୁ ୧୦ହଜାର କୋଟିର ପ୍ରସ୍ତାବ

ଭୁବନେଶ୍ୱର : ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୦ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲାଗି ଓଡିଶା ସରକାର ନାବାର୍ଡ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ନାବାର୍ଡ ଠାରୁ ପ୍ରତିବର୍ଷ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍‍), ରାଜ୍ୟ ସରକାରଙ୍କୁ ଗ୍ରାମ୍ୟ ଭିତ୍ତିଭୂମି ସହାୟତା (ଆରଆଇଏଏସ୍‍), ଗୋଦାମ ଭିତ୍ତିଭୂମି ପାଣ୍ଠି (ଡବ୍ଲ୍ୟୁଆଇଏଫ୍‍) ଏବଂ ଦୀର୍ଘ ମିଆଦୀ ଜଳସେଚନ ପାଣ୍ଠି (ଏଲ୍‍ଟିଆଇଏଫ୍‍) ଯୋଜନାରେ ଅର୍ଥ ପାଇଥାନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦ହଜାର କୋଟି ଟଙ୍କାର ପ୍ରସ୍ତାବ ମଧ୍ୟରେ ଆରଆଇଡିଏଫ୍‍ରେ ୫୦୦୦ କୋଟି, ଆରଏଆଇଏସ୍‍ରେ ୪୫୦୦କୋଟି ଏବଂ ଏଲ୍‍ଟିଆଇଏଫ୍‍ ପାଇଁ ୫୦୦ କୋଟି ଟଙ୍କା ରହିଛି । ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆରଆଇଡିଏଫ୍‍ ସହାୟତା ୩୦୦୦ କୋଟିରୁ ୫୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଁ ନାବାର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ।

୨୦୨୧-୨୨ ବର୍ଷରେ ଆରଆଇଡିଏଫ୍‍ ଯୋଜନାରେ ୩୦୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଓଡିଶା ୧୨୮୭କୋଟି ଟଙ୍କା ପାଇଛି । ତେବେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ପାଇଁ ଅଧିକ ଦାବି ହେଉଥିବାରୁ ରାଜ୍ୟ ସରକାର ନାବାର୍ଡକୁ ଏ ବାବଦରେ ୫୦୦୦ କୋଟି ଟଙ୍କା ଦେବାକୁ କହିଛନ୍ତି । ଇତି ମଧ୍ୟରେ ନାବାର୍ଡ ଅଧ୍ୟକ୍ଷ ଡକ୍ଟର ଜି.ଆର.ଚିନ୍ତଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଓଡିଶାର ଆରଆଇଡିଏଫ୍‍ ପାଣ୍ଠି ବିନିଯୋଗକୁ ପ୍ରଶଂସା କରିଛନ୍ତି ।

ନିକଟରେ ନାବାର୍ଡ ଅଧ୍ୟକ୍ଷଙ୍କ ଓଡିଶା ଗସ୍ତ ସମୟରେ ରାଜ୍ୟ ସରକାର ଆରଆଇଏଏସ୍‍ ଯୋଜନାରୁ ପାଣ୍ଠି ସଂଗ୍ରହ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଏହି ଯୋଜନାକୁ ପ୍ରଶଂସା କରିଥିଲେ । ଓଡିଶା ସରକାର ନାବାର୍ଡ ଠାରୁ ରିହାତି ସୁଧ ହାରରେ ଆରଆଇଡିଏଫ୍‍, ଡବ୍ଲ୍ୟୁଆଇଏଫ୍‍ ଏବଂ ଏଲଟିଆଇଏଫ୍‍ ରେ ଅର୍ଥ ପାଉଥିବାବେଳେ ଆରଆଇଏଏସ୍‍ ପାଇଁ ଅନୁରୂପ ଭାବେ ପାଣ୍ଠି ଯୋଗାଇଦେବାକୁ କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ଏହି ପାଣ୍ଠିରୁ ୪୫୦୦ କୋଟି ଟଙ୍କା ସଂଗ୍ରହ ପାଇଁ ନାବାର୍ଡ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଏ ।

ସମଗ୍ର ଦେଶ ପାଇଁ ନାବାର୍ଡ ୨୦୨୧-୨୨ ବର୍ଷରେ ଆରଆଇଡିଏଫ୍‍ ଯୋଜନାରେ ୪୦ହଜାର କୋଟି ମଞ୍ଜୁର କରିଥିବାବେଳେ ଓଡିଶାକୁ ୩ହଜାର କୋଟିର ମଞ୍ଜୁର ମିଳିଛି । ତେବେ ରାଜ୍ୟ ସରକାର ଆଉ ୨ହଜାର କୋଟି ଟଙ୍କା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ଓଡିଶାର ୮୩ ପ୍ରତିଶତ ଜନସଂଖ୍ୟା ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ଦୁର୍ବଳ ଗ୍ରାମ୍ୟ ଭିତ୍ତିଭୂମି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଲାଗି ଅଧିକ ଅର୍ଥର ଆବଶ୍ୟକତା ଦେଖାଦେଇଛି । ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନା ପରବର୍ତ୍ତୀ ସମୟରେ ଅର୍ଥନୀତି ସଜାଡିବାକୁ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ଜରୁରୀ ହୋଇପଡିଛି । (ତଥ୍ୟ)