ଭୁବନେଶ୍ୱର : ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମରେ ମହାନଦୀ ଓ ସୁବର୍ଣ୍ଣରେଖା ପାଇଁ ‘ଫିଜିବିଲିଟି ରିପୋର୍ଟ’ ପ୍ରସ୍ତୁତ ହୋଇସାରିଛି । ଜାତୀୟ ଜଳ ଉନ୍ନୟନ ପ୍ରାଧିକରଣ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।
ମହାନଦୀକୁ ଗୋଦାବରୀ ସହିତ ଯୋଡିବାପାଇଁ ପ୍ରସ୍ତୁତ ହୋଇଥିବା ଫିଜିବିଲିଟି ରିପୋର୍ଟ ବ୍ୟାପକ ଅନୁଧ୍ୟାନ ଓ ସର୍ବେକ୍ଷଣ ପରେ ଚୂଡାନ୍ତ ହୋଇଛି । ସେହିଭଳି ସୁବର୍ଣ୍ଣରେଖାକୁ ଦାମୋଦର ନଦୀ ସହିତ ଯୋଡିବାପାଇଁ ମଧ୍ୟ ଅନୁରୂପ ଦୀର୍ଘ ବିବରଣୀ ପ୍ରସ୍ତୁତ ହୋଇଛି ।
କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନା ଅନୁଯାୟୀ ଜାତୀୟ ଜଳ ଉନ୍ନୟନ ପ୍ରାଧିକରଣ ଏହି ରିପୋର୍ଟମାନ ପ୍ରସ୍ତୁତ କରିଛନ୍ତି । ଏହାପରେ ଏହାର ସୁବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦେଶର ୩୦ଟି ପ୍ରମୁଖ ନଦୀ ସଂଯୋଗୀକରଣ ଲାଗି ବିସ୍ତୃତ ବିବରଣୀମାନ ପ୍ରସ୍ତୁତ ହୋଇଛି ।
ମହାନଦୀକୁ ଗୋଦାବରୀରେ ସହ ସଂଯୋଗ କରିବାଲାଗି କେନ୍ଦ୍ରୀୟ ଯୋଜନା ରହିଛି । ମହାନଦୀର ସଂଯୋଗୀକରଣ କାର୍ଯ୍ୟ ମଣିଭଦ୍ରା ଠାରେ ହେବାକୁ ଥିବାବେଳେ ଗୋଦାବରୀ ସହ ସଂଯୋଗୀକରଣ କାର୍ଯ୍ୟ ଦୋଲାଇସୋରମ ଠାରେ କରାଯିବା ପାଇଁ ପ୍ରସ୍ତାବ ରହିଛି । ଓଡିଶା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟମାନେ ଏଥିରେ ପ୍ରଭାବିତ ହେବେ ।
ସୁବର୍ଣ୍ଣରେଖା ସହିତ ଫରକା ଠାରେ ଦାମୋଦର ନଦୀ ସହିତ ସଂଯୋଗୀକରଣ ପାଇଁ ବ୍ୟବସ୍ଥା ରହିଛି । ସୁବର୍ଣ୍ଣରେଖା-ଦାମୋଦର-ଗଙ୍ଗା ସଂଯୋଗ ପାଇଁ ପ୍ରସ୍ତୁତ ହୋଇଥିବା ସୁବିସ୍ତୃତ ବିବରଣୀ ଅନୁଯାୟୀ ଏଥିରେ ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପ୍ରଭାବିତ ହେବେ । ନଦୀ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ମଧ୍ୟ ସ୍ୱତନ୍ତ୍ର କମିଟି ଗଢିବା ସହିତ ଟାସ୍କଫୋର୍ସ ମଧ୍ୟ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସର ବୈଠକ ବାରମ୍ବାର ବସୁଛି ।
ଟାସ୍କଫୋର୍ସ ବିସ୍ତୃତ ବିବରଣୀକୁ ତର୍ଜମା କରି ସୁବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାପାଇଁ ପଦକ୍ଷେପ ଗ୍ରହଣ କରିବେ । ଏହି ରିପୋର୍ଟ ପ୍ରସ୍ତୁତ ହୋଇସାରିଲେ ଯେଉଁସବୁ ରାଜ୍ୟ ନଦୀସଂଯୋଗୀକରଣ ଦ୍ୱାରା ପ୍ରଭାବିତ ହେବେ ସେମାନଙ୍କୁ ତାହା ପଠାଯିବ । ତାହା ଉପରେ ସେମାନେ ତର୍ଜମା କରିବା ସଂଗେ ସଂଗେ ପରସ୍ପର ମଧ୍ୟରେ ଆଲୋଚନା କରି କିଭଳି ନଦୀଜଳ ବଣ୍ଟନ ହେବ ତାହା ଉପରେ ବିଚାର ଆଲୋଚନା କରିବେ ।
ଏଠାରେ ଉଲ୍ଲେଖନୀୟ ଯେ କେନ୍-ବେତୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ୪୪,୬୦୫ କୋଟି ଟଙ୍କା ବ୍ୟୟଅଟକଳ କରାଯାଇଛି । ଏଥିରୁ କେନ୍ଦ୍ର ସରକାର ୩୯,୩୧୭ କୋଟି ଟଙ୍କା ବହନ କରିବେ । କେନ୍-ବେତୱା ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମରୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ବିଶେଷଭାବେ ଲାଭବାନ ହେବେ ଏବଂ ଏଥିଯୋଗୁଁ ବର୍ଷକୁ ୧୦ଲକ୍ଷ ହେକ୍ଟରର ଅଧିକ ଜମି ଜଳସେଚିତ ହେବା ସହ ୧୦୦ ମେଗାୱାଟର ବିଦ୍ୟୁତ ଉତ୍ପାଦନ ଏବଂ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ବ୍ୟାପକ ହେବ ବୋଲି ଆଶା କରାଯାଉଛି ।
ଏବେ ମହାନଦୀ ଓ ସୁବର୍ଣ୍ଣରେଖା ସମେତ ଓଡିଶାର ପ୍ରାୟ ଅଧିକାଂଶ ନଦୀରେ ଜଳପ୍ରବାହ ଅଧା ଦିନ ଢେର କମ୍ ରହୁଛି । ନଦୀ ସଂଯୋଗୀକରଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଏହି ଦୁଇ ନଦୀରେ ଅନ୍ୟ ନଦୀର ବଳକା ଜଳ ଛଡାଯିବ ଏବଂ ତାହା ରାଜ୍ୟର ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ । ଏହାଛଡା ନଦୀ ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଗୁଁ ବନ୍ୟା ନିୟନ୍ତ୍ରଣ କରାଯାଇ ବ୍ୟାପକ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି । (ତଥ୍ୟ)