ଭୁବନେଶ୍ୱର : ମାଓ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ ଲାଗି ଧାର୍ଯ୍ୟ ସମୟରେ ବିଭିନ୍ନ ସଡକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସ୍ଥିର ହୋଇଛି । ଏହା ଫଳରେ ଏହିସବୁ ଅଞ୍ଚଳରେ ବସବାସ କରୁଥିବା ଲୋବେ ସହଜରେ ଯାତାୟତ କରିପାରିବେ ।
ତଦନୁଯାୟୀ ରାଜ୍ୟ ସରକାର ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଅଧିକାରୀମାନଙ୍କୁ ମାଓ ପ୍ରଭାବିତ ଅଞ୍ଚଳରେ ନିର୍ମାଣାଧିନ ଥିବା ୧୧ଟି ସଡକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ କହିଛନ୍ତି । ବିଶ୍ୱ ବ୍ୟାଙ୍କ୍ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଏ ସଂକ୍ରାନ୍ତରେ ମାଲକାନଗିରି ଓ କୋରାପୁଟର ସଡକ ଏବଂ ସେତୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା କୌଣସି ପ୍ରକାରେ ଏହି ସଡକ ପ୍ରକଳ୍ପ କାର୍ଯ୍ୟ ସାରିବାକୁ କୁହାଯାଇଛି ।
୧୧୬.୨୧ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ୧୧ଟି ସଡକ ପ୍ରକଳ୍ପ ମଧ୍ୟରୁ ୧୦୮.୨୮ କୋଟି ଟଙ୍କାର ୯ଟି ପ୍ରକଳ୍ପ ମାଲକାନଗିରି ଜିଲ୍ଲାରେ ଥିବାବେଳେ ୭.୯୩ କୋଟି ଟଙ୍କା ମୂଲ୍ୟର ଆଉ ଦୁଇଟି ପ୍ରକଳ୍ପ କୋରାପୁଟ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୯ଟି ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପ ୨୦୧୮-୧୯ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ ହୋଇଥିବାବେଳେ ୨୦୨୦-୨୧ ରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ତିନିଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା ।
ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଥିବା ମୋଟ୍ ସଡକର ଲମ୍ବ ୮୪.୧୯ କିଲୋମିଟର ଥିବାବେଳେ ଏଥିରୁ ୨୨.୯୯ କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅନୁରୂପ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁର ହୋଇଥିବା ୩୭.୫୭ କିଲୋମିଟର ଦୈର୍ଘ୍ୟର ତିନିଟି ସଡକ ପ୍ରକଳ୍ପ ମଧ୍ୟରୁ ୧୨.୩୭ କିଲୋମିଟରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
୨୦୨୦-୨୧ରେ ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ ପାଇଁ ମଞ୍ଜୁର ହୋଇଥିବା ୧୨.୯୬ କିଲୋମିଟରର ଦୁଇଟି ସଡକ ପ୍ରକଳ୍ପ ମଧ୍ୟରୁ ୧.୧୦ କିଲୋମିଟରର ନିର୍ମାଣ କାର୍ଯ୍ୟ ସରିଥିବା ସୂଚନା ମିଳିଛି । ତେଣୁ ଧାର୍ଯ୍ୟ ସମୟରେ ସଡକ ନିର୍ମାଣ କାର୍ଯ୍ୟ ସାରିବାପାଇଁ କ୍ଷେତ୍ର ସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମାଓ ପ୍ରଭାବିତ ଅଞ୍ଚଳରେ ସଡକ ଯୋଜନା ୨୦୧୬ ମସିହାରୁ ଆରମ୍ଭ ହୋଇଥିବାବେଳେ ଓଡିଶା ସମେତ ୯ଟି ରାଜ୍ୟର ୪୪ଟି ମାଓ ପ୍ରଭାବିତ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉଛି । ତିନିଟି ପ୍ରକଳ୍ପ କାର୍ଯ୍ୟ ସାରିବାପାଇଁ ଏହି ଯୋଜନାର ଅବଧି ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି ଯାହାକି ସୁରକ୍ଷା ଦୃଷ୍ଟିରୁ ଯୋଗାଯୋଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । (ତଥ୍ୟ)