ଭୁବନେଶ୍ୱର : ଧାମନଗର ବିଧାନସଭା ଆସନ ସୃଷ୍ଟି ହେବା ପରଠାରୁ ଏଯାବତ ଏଠାରେ ୧୭ଥର ନିର୍ବାଚନ ହୋଇସାରିଛି ଏବଂ ଏଠାରୁ ଏହି ନିର୍ବାଚନଗୁଡିକରେ ବିଭିନ୍ନ ସମୟରେ ୧୦ଜଣ ଜନପ୍ରିୟ ନେତା ନିର୍ବାଚିତ ହେବା ସହ ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ନେତାମାନଙ୍କ ମଧ୍ୟରୁ ଅନ୍ୟୂନ ୩ ଜଣ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।
ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ୱାଧୀନତା ପ୍ରାପ୍ତି ପରେ ୧୯୫୧-୫୨ର ନିର୍ବାଚନ ପୂର୍ବରୁ ଗଠିତ ହୋଇଥିଲା । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ବେଳକୁ ଭଦ୍ରକର ୨ଟି ଆସନ ଥିଲା ପୂର୍ବଭଦ୍ରକ ଓ ପଶ୍ଚିମ ଭଦ୍ରକ । ପଶ୍ଚିମ ଭଦ୍ରକ ଆସନରୁ ସାଧାରଣ ବର୍ଗ ଓ ତଫସିଲଭୁକ୍ତ ଜାତିର ୨ଜଣ ନିର୍ବାଚିତ ହେଉଥିଲେ । ସେତେବେଳେ ପୂର୍ବ ଭଦ୍ରକ ଆସନରୁ କଂଗ୍ରେସ ପ୍ରାର୍ଥୀ ଚକ୍ରଧର ବେହେରା ଓ ପଶ୍ଚିମ ଭଦ୍ରକ ଆସନରୁ ସାଧାରଣ ବର୍ଗର ପ୍ରାର୍ଥୀ ଭାବେ ଜଗନ୍ନାଥ ଦାସ ଓ ସଂରକ୍ଷିତ ବର୍ଗରୁ ନିଧି ଦାସ ନିର୍ବାଚିତ ହୋଇଥିଲେ । ସେତେବେଳେ ବିଧାନସଭାର ଆସନ ସଂଖ୍ୟା ୬୦ ଥିଲା ଓ ସେଥିମଧ୍ୟରୁ ୪ଟି ଆସନ ପାଇଁ ସଭ୍ୟ ମନୋନୀତ ହୋଇଥିବା ବେଳେ ୫୬ଟି ଆସନରେ ନିର୍ବାଚନ କରାଯାଉଥିଲା । ଏହି ନିର୍ବାଚନରେ ୪୦ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ।
୧୯୪୬ର ନିର୍ବାଚନରେ ପୂର୍ବ ଭଦ୍ରକ ଆସନରୁ ହରେକୃଷ୍ଣ ମହତାବ ବିଜୟୀ ହୋଇ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇଥିଲେ । ଧାମନଗର ପୂର୍ବ ଭଦ୍ରକ ଆସନର ଅନ୍ତର୍ଭୁକ୍ତ ଥିଲା । ପଶ୍ଚିମ ଭଦ୍ରକ ଯୁଗ୍ମ ଆସନରୁ ଭାଗବତ ସାହୁ ଓ ବୃନ୍ଦାବନ ଚନ୍ଦ୍ର ଦାସ ନିର୍ବାଚିତ ହୋଇଥିଲେ ।
୧୯୫୧-୫୨ରେ ହୋଇଥିବା ନିର୍ବାଚନରେ ଧାମନଗର ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନୀଳମଣି ରାଉତରାୟ ବିଜୟୀ ହୋଇ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ୧୯୫୭ ଓ ୧୯୬୧ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୂରଲୀଧର ଜେନା ଧାମନଗରରୁ ବିଜୟୀ ହୋଇଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ୧୯୬୭ର ନିର୍ବାଚନରେ ତାଙ୍କ ପତ୍ନୀ ସତ୍ୟଭାମା ଦେଈ ମଧ୍ୟ ଏହି ଆସନରୁ ବିଜୟ ଲାଭ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ର ବିଧାନସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ହୃଦାନନ୍ଦ ମଲ୍ଲିକ ।
୧୯୯୦ ନିର୍ବାଚନର ଫଳାଫଳ ଘୋଷଣା ରାତିରେ ତାଙ୍କର ମୃତ୍ୟୁ ଘଟିଲା । ଯଦି ସେ ଜୀବିତ ଥାଆନ୍ତେ ତେବେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ପାଇବା ଏକ ପ୍ରକାର ନିଶ୍ଚିତ ଥିଲା । ତାଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁତ୍ର ମାନସ ରଞ୍ଜନ ମଲ୍ଳିକ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ଏବଂ ପରେ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ମନମୋହନ ସାମଲଙ୍କୁ ହରାଇ ମାନସ ସ୍ୱାଧୀନ ପ୍ରାର୍ଥୀ ଭାବେ ଏହି ଆସନରୁ ଜିଣିଥିଲେ ।
ଧାମନଗର ଆସନରୁ କଂଗ୍ରେସ ନେତା ଜଗନ୍ନାଥ ରାଉତ ୧୯୮୦, ୧୯୮୫ ଓ ୧୯୯୫ରେ ଜିଣିଥିଲେ ଏବଂ ତାଙ୍କ ଶେଷ ପାଳିରେ ମଧ୍ୟ ମନ୍ତ୍ରୀ ହୋଇଥିଲେ । ୨୦୦୪ରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରି ମନମୋହନ ସାମଲ ବିଜେଡି-ବିଜେପି ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୯ ବେଳକୁ ଏହି ଆସନଟି ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ରହିଲା । ସେ ବର୍ଷ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଜିଣିଥିବା ବେଳେ ୨୦୧୪ରେ ଏହି ଆସନରୁ ମୁକ୍ତିକାନ୍ତ ମଣ୍ଡଳ ବିଜେଡି ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ । ୨୦୦୯ ଓ ୨୦୧୪ରେ ଏହି ଆସନରୁ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୬୨୫ ଭୋଟ ବ୍ୟବଧାନରେ ହରାଇ ଜିଣିଥିଲେ । ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏବେ ଏଠାରେ ଉପନିର୍ବାଚନ ହେଉଛି ଏବଂ ଏଥିରେ ୫ ଜଣ ପ୍ରାର୍ଥୀ ଲଢ଼େଇ ମୈଦାନରେ ଅଛନ୍ତି । (ତଥ୍ୟ)