ମୁମ୍ବାଇ : ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬’ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ ଏହି ସିଜନରେ ବିଜୟୀ ହୋଇଛନ୍ତି । ଜ୍ୟୋତିର୍ମୟୀ ନାୟକଙ୍କୁ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ଚାମ୍ପିଅନ୍ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ମିଳିଛି।
ପୁଣି ଜାତୀୟ ସ୍ତରରେ ଉଜ୍ଜ୍ୱଳିତ ହେଲା ଓଡ଼ିଶାର ନାଁ। ନିଜର ସୁମଧୁର କଣ୍ଠ ଓ ଚିତାକର୍ଷକ ପ୍ରଦର୍ଶନ ବଳରେ ସେ ଗ୍ରାଣ୍ଡ ଫିନାଲେରେ ଅନ୍ୟ ୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ଜିତିବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଫାଇନାଲ୍ ମୁକାବିଲାରେ ଟପ୍-୩ ପ୍ରତିଯୋଗୀଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା। ତନିସ୍କ ଶୁକ୍ଲା ଏବଂ ମନରାଜ ବୀର ସିଂଙ୍କ ଭଳି ପ୍ରତିଭାବାନ ଗାୟକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ଚାମ୍ପିଅନ୍ ହୋଇଛନ୍ତି। ତାଙ୍କର ଏହି କୀର୍ତ୍ତିମାନ ପାଇଁ ସମଗ୍ର ଓଡ଼ିଶାରେ ଏବେ ଖୁସିର ଲହରୀ ଖେଳିଯାଇଛି।
ଜ୍ୟୋତିର୍ମୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଗ୍ରାମର ଝିଅ। ପିଲାଦିନରୁ ସଙ୍ଗୀତ ପ୍ରତି ତାଙ୍କର ଗଭୀର ରୁଚି ରହିଥିଲା। ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ନିଜର ଦକ୍ଷତା ପ୍ରତିପାଦିତ କରି ସେ ପୂର୍ବରୁ ଓଲିଉଡ୍ (ଓଡ଼ିଆ ସିନେମା)ରେ କଣ୍ଠଦାନ କରିସାରିଛନ୍ତି। ସେ ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ବି.ଟେକ୍ ସମାପ୍ତ କରିବା ପରେ ଚେନ୍ନାଇରୁ ମ୍ୟୁଜିକ୍ ଥେରାପି ଶିକ୍ଷା କରିଥିଲେ। ଶାରୀରିକ ଓ ମାନସିକ ସମସ୍ୟାରେ ପୀଡ଼ିତ କ୍ୟାନ୍ସର ରୋଗୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ସଙ୍ଗୀତ ମାଧ୍ୟମରେ ସେବା ଓ ଚିକିତ୍ସା ଯୋଗାଇବାରେ ତାଙ୍କର ଅବଦାନ ଅତୁଳନୀୟ।
ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ମଞ୍ଚରେ ନିଜର ପ୍ରଥମ ଅଡିସନ୍ରୁ ହିଁ ବିଚାରକ ଶ୍ରେୟା ଘୋଷାଲ, ବିଶାଳ ଦଦଲାନି ଏବଂ ବାଦଶାହଙ୍କୁ ମୁଗ୍ଧ କରିଥିଲେ। ନିଜର ଭାବପୂର୍ଣ୍ଣ ଗାୟକୀ ଏବଂ ଶ୍ରୁତିମଧୁର କଣ୍ଠ ପାଇଁ ସେ କ୍ରମାଗତ ଭାବେ ଶୋ’ରେ ସଫଳତା ପାଇ ସ୍ଥାନ ପକ୍କା କରିଚାଲିଥିଲେ। ଫାଇନାଲ୍ରେ ତାଙ୍କର ସୁନ୍ଦର ପ୍ରଦର୍ଶନ ପାଇଁ ସେ ଦେଶବାସୀଙ୍କ ହୃଦୟ ଜିତି ପ୍ରଥମ ଓଡ଼ିଆ ଭାବେ ଟ୍ରଫି ନିଜ ନାମରେ କରିଛନ୍ତି। ତେବେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀଙ୍କ ଏହି ବିରାଟ ସଫଳତା ପରେ ତାଙ୍କୁ ରାଜ୍ୟ ତଥା ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି ।

