Home News in Odia ଧର୍ମେନ୍ଦ୍ରଙ୍କୁ ନେଇ କଳ୍ପନା ଜଳ୍ପନା

ଧର୍ମେନ୍ଦ୍ରଙ୍କୁ ନେଇ କଳ୍ପନା ଜଳ୍ପନା

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟସଭା ସଦସ୍ୟ ପଦବୀ ଆସନ୍ତାବର୍ଷ ସରିବାକୁ ଯାଉଥିବାବେଳେ ତାଙ୍କୁ ପୁଣି ଥରେ କୌଣସି ରାଜ୍ୟରୁ ରାଜ୍ୟସଭାକୁ ପଠାଯିବ କିମ୍ବା ସେ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଓଡିଶାର କୌଣସି ଲୋକସଭା କିମ୍ବା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ସେଥିଘେନି ଏବେ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଚାଲିଛି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭ୍ୟ ଭାବେ ଛାତ୍ର ରାଜନୀତିରେ ପାଦ ଥାପିଥିବା ଧର୍ମେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତି କ୍ଷେତ୍ରରେ ଅନେକ ସଫଳତା ସାଉଁଟିଛନ୍ତି । ତାଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଥିଲେ । ଏହାଛଡା ସେ ବିଜେପି ଓଡିଶା ଶାଖାର ସଭାପତି ଓ କେନ୍ଦ୍ରୀୟ ଉପସଭାପତି ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ନିର୍ବାଚନ କରିଥିଲେ ।

୨୦୦୦ ମସିହାରେ ଧର୍ମେନ୍ଦ୍ର ପାଲଲହଡା ବିଧାନସଭା କ୍ଷେତ୍ରରୁ ବିଜେପି ଟିକଟରେ ନିର୍ବାଚିତ ହୋଇ ଶ୍ରେଷ୍ଠ ବିଧାୟକ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ତାଙ୍କ ପିତାଙ୍କ ଲୋକସଭା କ୍ଷେତ୍ର ଦେବଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ନିର୍ବାଚନରେ ତାଙ୍କର ପରାଜୟ ଘଟିଥିଲା । ଅବଶ୍ୟ ଏହା ପୂର୍ବରୁ ସେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ତୁଲାଇ ତାଙ୍କ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ ।

୨୦୧୨ରେ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ୨୦୧୪ ମସିହାରୁ ନରେନ୍ଦ୍ର ମୋଦୀଙ୍କ ସରକାରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ୨୦୧୭ରେ ଏଥି ସହିତ ତାଙ୍କୁ ଦକ୍ଷତା ବିକାଶ ବିଭାଗ ମଧ୍ୟ ମିଳିଥିଲା ।

ପ୍ରଥମ ପାଳିର ରାଜ୍ୟସଭା ସଦସ୍ୟ ସମୟ ପୂରିବା ପରେ ଶ୍ରୀ ପ୍ରଧାନ ୨୦୧୮ମସିହାରେ ମଧ୍ୟପ୍ରଦେଶରୁ ଦ୍ୱିତୀୟଥର ପାଇଁ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର ଛଅ ବର୍ଷିଆ କାର୍ଯ୍ୟକାଳ ୨୦୨୪ରେ ପୂରିବାକୁ ଯାଉଛି । ୨୦୨୧ରୁ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗର କ୍ୟାବିନେଟ୍‍ ମନ୍ତ୍ରୀ ଅଛନ୍ତି । ଇତି ମଧ୍ୟରେ ସେ ବିଜେପିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ପଦବୀ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଅନ୍ୟୁନ ୬ଟି ରାଜ୍ୟର ଦଳୀୟ ପ୍ରଭାରୀ ଭାବେ ସଫଳତାର ସହ ନିର୍ବାଚନ ପରିଚାଳନା କରିଛନ୍ତି ।

୨୦୨୪ ମସିହାରେ ଲୋକସଭା ସହ ଓଡିଶା ବିଧାନସଭାର ନିର୍ବାଚନ ହେବାକୁ ଅଛି । ୨୦୧୯ରେ ହୋଇଥିବା ନିର୍ବାଚନରେ ବିଜେପି ଓଡିଶାରୁ ୮ଟି ଲୋକସଭା ଆସନ ହାତେଇ ଥିବାବେଳେ ବିଧାନସଭାରେ ୧୨୦ରୁ ଅଧିକ ଆସନ ପାଇଁ ସରକାର ଗଢିବ ବୋଲି ଗଭୀର ଆଶାବାଦୀ ଥିବାବେଳେ ବିଜେପିର ସଦସ୍ୟ ସଂଖ୍ୟା କିନ୍ତୁ ୨୩ରେ ସୀମିତ ରହିଥିଲା । ଆଗାମୀ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେଥିଘେନି ଦଳ ମଧ୍ୟରେ ଗୁଞ୍ଜରଣ ଚାଲିଛି । ଏ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ନାମ ଚର୍ଚ୍ଚାରେ ସର୍ବାଗ୍ରେ ରହିଛି । ୨୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ବିଜୟ ରଥକୁ ପ୍ରତିହତ କରିବାପାଇଁ ବିକଳ୍ପ ନେତୃତ୍ୱ କିଏ ବୋଲି ଜନମାନସରେ ଯେଉଁ ପ୍ରଶ୍ନ ଉଠୁଛି ତାହାର ଉତ୍ତର ଏଯାବତ୍‍ କଂଗ୍ରେସ କିମ୍ବା ବିଜେପି ଦେଉନାହିଁ । ଏ ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇ ଆସୁଥିବାରୁ ତାଙ୍କୁ ନେଇ ଏବେ ଦଳୀୟ ରାଜନୀତି ସରଗରମ ହେବାରେ ଲାଗିଛି । (ତଥ୍ୟ)