ଭୁବନେଶ୍ୱର : କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭ ହେବାକୁ ଯାଉଥିବାବେଳେ ଏବେ ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତମାନଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଛି । ଅବସ୍ଥା ଏଭଳି ଯେ ଦେବାଳୟକୁ ଯାଉଥିବା ଅନେକ ଭକ୍ତ ବିନା ଦର୍ଶନରେ ଫେରୁଛନ୍ତି । ତେବେ ବିଭିନ୍ନ ଦେବପୀଠରେ ଯେଭଳି ଅସାଧାରଣ ଭିଡ ଜମୁଛି ତାହା ଫଳରେ ଦଳଚକଟା ଭଳି ଅଘଟଣ ଆଶଙ୍କା ଉପୁଜିଲାଣି ।
ଭକ୍ତଙ୍କ ପ୍ରବଳ ଭିଡ ଓ ଝୁଲା ପୋଲର ସ୍ଥିତି ଠିକ୍ ନଥିବାରୁ କଟକ ଜିଲ୍ଲା ପ୍ରଶାସନ ଆଜି ଝୁଲା ପୋଲ ମରାମତି ନିମନ୍ତେ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି କରିଛନ୍ତି । କାର୍ତ୍ତିକ ମାସରେ ଏଠାରେ ଭକ୍ତଙ୍କର ପ୍ରବଳ ଭିଡ ହୋଇଥାଏ । ଗତ ରବିବାର ଦିନ ଏଠାରେ ଅସମ୍ଭବ ଭିଡ ଯୋଗୁଁ ଗାଡି ମୋଟର ରଖିବାକୁ ସ୍ଥାନ ନପାଇ ଶୈବପୀଠର ଦୁଇ କିଲୋମିଟର ଦୂରରୁ ଭକ୍ତମାନେ ନିରାଶ ହୋଇ ଫେରିଥିଲେ । ଚଳିତବର୍ଷର ବଡଓଷା ସମୟରେ ୧୪୪ ଧାରା ପ୍ରତ୍ୟାହାର ହେବ କି ନାହିଁ ସେଥିନେଇ ସନ୍ଦେହ ଉପୁଜିଛି ।
ସେହିଭଳି ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଦେବପୀଠରେ କାର୍ତ୍ତିକରେ ପ୍ରବଳ ଜନସମାଗମ ହେଉଛି । ବିଭିନ୍ନ ସ୍ଥାନରେ କର୍ତ୍ତୃପକ୍ଷ ଯେତିକି ଭକ୍ତ ପହଞ୍ଚିବାର ଆକଳନ କରୁଛନ୍ତି ତାହାର ବହୁଗୁଣ ଅଧିକ ଭକ୍ତ ଆସିଯିବା ଫଳରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । କାର୍ତ୍ତିକ ମାସରେ ଏଭଳିସ୍ଥିତି ଯୋଗୁଁ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ନାହିଁ ନଥିବା ଭିଡ ହେଉଛି ଏବଂ ଅନେକ ବୟସ୍କ ଭକ୍ତ ଶ୍ରୀଜୀଉମାନଙ୍କ ଦର୍ଶନ ନକରି ଫେରୁଛନ୍ତି ।
ଅନୁରୂପ ଅବସ୍ଥା ରାଜ୍ୟର ଅନ୍ୟ ଦେବାଳୟରେ ପରିଲକ୍ଷିତ ହେଉଛି । ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ଏହା ପୂର୍ବରୁ ଲୋକେ ଦେବ ଦର୍ଶନ ପାଇଁ ଅଣ୍ଟା ଭିଡିଛନ୍ତି । ଫଳରେ ପଞ୍ଚୁକର ବହୁ ପୂର୍ବରୁ ଶୈବପୀଠଗୁଡିକରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ଭିଡ ନିୟନ୍ତ୍ରଣ ପାଇଁ ଆଗତୁରା ପଦକ୍ଷେପ ନିଆଯାଉନଥିବାରୁ କେତେକ ସ୍ଥାନରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଉଛି ।
ଭକ୍ତଙ୍କ ଭିଡ ସହିତ ବିଭିନ୍ନ ଦେବାଳୟ ନିକଟରେ ଗାଡିମୋଟର ରଖିବା ବି ବଡ ସମସ୍ୟା ଭାବେ ଉଭା ହୋଇଛି । ସାଧାରଣତଃ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ବିଭିନ୍ନ ଦେବାଳୟ ନିକଟରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ଗାଡିମୋଟର ରଖିବା ପାଇଁ ଅସ୍ଥାୟୀ ଷ୍ଟାଣ୍ଡ କରିଥାନ୍ତି । ହେଲେ ଚଳିତବର୍ଷ ଏହାର ବହୁ ପୂର୍ବରୁ ଦେବାଳୟଗୁଡିକୁ ଲୋକଙ୍କ ସୁଅ ଛୁଟୁଥିବାରୁ ଗାଡିମୋଟର ରଖିବା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି ।
ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଲୋକେ କାର୍ତ୍ତିକମାସରେ ଠିକଣା ଭାବେ ଦେବାଳୟକୁ ଯାଇ ଦିଅଁ ଦର୍ଶନ କରିପାରି ନଥିଲେ । ଚଳିତବର୍ଷ କରୋନା କଟକଣା ନଥିବାରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ସୁରକ୍ଷା ବିଶେଜ୍ଞଙ୍କ ମତ ଅନୁସାରେ ସ୍ଥାନୀୟ ପ୍ରଶାସନ ଓ ଦେବତ୍ତୋର ବିଭାଗ ଯଦି ଏହାକୁ ସଠିକ ଆକଳନ କରି ପଦକ୍ଷେପ ଗ୍ରହଣ ନକରିବେ ତେବେ କେତେକ ସ୍ଥାନରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିପାରେ । ତେଣୁ ଏବେ ବିଭିନ୍ନ ଦେବାଳୟରେ ଭକ୍ତମାନଙ୍କର ସୁରୁଖୁରୁ ଦର୍ଶନ ସହିତ ମନ୍ଦିର ଆଖପାଖରେ ଗାଡିମୋଟର ଗୁଡିକୁ ଠିକଣା ଭାବେ ପାର୍କିଂ କରିବା ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ପାଇଁ ଏକ ଆହ୍ୱାନ ହୋଇଛି । (ତଥ୍ୟ)