Home Election ଦେଖିବାକୁ ମିଳିଲା ପୂର୍ବ ଜନାଦେଶ

ଦେଖିବାକୁ ମିଳିଲା ପୂର୍ବ ଜନାଦେଶ

ଭୁବନେଶ୍ୱର : ୧୯୯୫ର ବିଧାନସଭା ଏବଂ ୧୯୮୦ ଓ ୧୯୮୪ର ଲୋକସଭା ନିର୍ବାଚନରେ ଯେଭଳି ଜନାଦେଶ ମିଳିଥିଲା ୨୦୨୪ର ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡିଶାରେ ସେହିଭଳି ଫଳାଫଳ ଦେଖିବାକୁ ମିଳିଛି ।

୧୯୭୭ରେ କଂଗ୍ରେସ ଦଳ ଓଡିଶାରେ ମାତ୍ର ୪ଟି ଲୋକସଭା ଆସନରେ ଜିଣିଥିବାବେଳେ ଜନତାପାର୍ଟି ୧୫, ସିପିଏମ୍‍ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲୋକସଭା ଆସନରୁ ଜିଣିଥିଲେ । ତେବେ ଜନତାପାର୍ଟିର ଅର୍ନ୍ତବିବାଦରେ କ୍ରୋଧବ୍ୟକ୍ତ କରି ଲୋକେ ଓଡିଶାରେ ୧୯୮୦ର ନିର୍ବାଚନରେ କଂଗ୍ରେସକୁ ୨୦ଟି ଆସନରେ ଜୟଯୁକ୍ତ କରାଇଥିବାବେଳେ ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁପରେ ହୋଇଥିବା ନିର୍ବାଚନରେ ମଧ୍ୟ କଂଗ୍ରେସଦଳକୁ ୨୦ଟି ଆସନରୁ ବିଜୟୀ କରାଇଥିଲେ ।

୨୦୨୪ର ଲୋକସଭା ନିର୍ବାଚନରେ ସମସ୍ତ ବୁଥ୍‍ ବାହୁଡା ସର୍ଭେକୁ ଭୁଲ୍‍ ପ୍ରମାଣିତ କରି ଓଡିଶାବାସୀ ୧୯ଟି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କୁ ବିଜୟୀ କରିଥିବାବେଳେ ବିଜେଡିକୁ ଗୋଟିଏ ଓ କଂଗ୍ରେସକୁ ଆଉଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି ।

ସେହିପରି ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ୧୨୩ଟି ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୧୦ଟି ଆସନରେ ବିଜୟୀ ହୋଇଥିଲା । ସେତେବେଳେ ଜନତାଦଳ ସହ ବୁଝାମଣା କରି ବାମପନ୍ଥୀମାନେ ବି ୫ଟି ଆସନରୁ ଜିଣିଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୦ରେ ୧୨୩ଟି ଆସନ ଜିଣି ଯେଉଁ ରେକର୍ଡ ସୃଷ୍ଟି କରାଯାଇଥିଲା ତାହା ଏଯାବତ୍‍ କେହି ଭାଙ୍ଗି ନାହାନ୍ତି ।

ତେବେ ୧୯୯୫ରେ ମତଦାତାମାନେ ସେମାନଙ୍କ ମତ ପରିବର୍ତ୍ତନ କରି ଜନତାଦଳର ଆସନ ସଂଖ୍ୟା ୪୬କୁ କମାଇ ଦେଇଥିବାବେଳେ କଂଗ୍ରେସକୁ ୮୦ ସ୍ଥାନରେ ଜିତାଇ ସରକାର ଗଢିବାର ସୁଯୋଗ ଦେଇଥିଲେ । ୨୦୨୪ର ବିଧାନସଭା ନିର୍ବାଚନରେ ଏହି ଘଟଣାର ଏକ ପ୍ରକାର ପୁନରାବୃତ୍ତି ବିଜେଡି କ୍ଷେତ୍ରରେ ଘଟିଥିବାବେଳେ ମୁଖ୍ୟ ବିରୋଧିଦଳ ଥିବା ବିଜେପିକୁ ସରକାର ଗଢିବାକୁ ସୁଯୋଗ ମିଳିଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୮୦ ମସିହାରେ ଗଢାଯାଇଥିବା ବିଜେପି ୧୯୮୫ ବିଧାନସଭା ନିର୍ବାଚନରେ ମାତ୍ର ଗୋଟିଏ ବିଧାନସଭା ଆସନରେ ଜିଣିଥିବାବେଳେ ୧୯୯୦ରେ ୨ଟି ଓ ୧୯୯୫ରେ ୯ଟି ଆସନ ଅକ୍ତିଆର କରିଥିଲା । ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡି ସହ ମେଣ୍ଟ ବେଳେ ବିଜେପି ଯଥାକ୍ରମେ ୩୮ ଓ ୩୨ଟି ଆସନରୁ ଜୟଯୁକ୍ତ ହୋଇଥିଲା । ୨୦୦୯ରେ ବିଜେପି ଖାତାକୁ ୬ଟି ବିଧାନସଭା ଆସନ ଯାଇଥିବାବେଳେ ୨୦୧୪ରେ ୧୦ ଓ ୨୦୧୯ରେ ୨୩ଟି ଆସନ ଯାଇଥିଲା । ଏବେ ୨୦୨୪ରେ ବିଜେପି ରାଜ୍ୟରେ ସରକାର ଗଢିବା ସ୍ଥିତିକୁ ଆସିଯାଇଛି ।

୧୯୯୮ରେ ବିଜେପି ଓଡିଶାରେ ୭ଟି ଲୋକସଭା ଆସନରୁ ଜିଣିଥିବାବେଳେ ୧୯୯୯ ରେ ୯ଟି, ୨୦୦୪ରେ ୭ଟି ଆସନ ଦଖଲ କରିଥିବାବେଳେ ୨୦୦୯ରେ କିନ୍ତୁ ଖାତା ଖୋଲିପାରି ନଥିଲା । ୨୦୧୪ରେ ଓଡିଶାରେ ବିଜେପି ମାତ୍ର ଗୋଟିଏ ସଂସଦୀୟ କ୍ଷେତ୍ରରୁ ଜିଣିଥିବାବେଳେ ୨୦୧୯ରେ ୮ଟି ଆସନ ଦଖଲ କରିଥିଲା ।

ଅନ୍ୟ ପକ୍ଷରେ ବିଜେଡି ୧୯୯୭ ମସିହାରେ ଜନ୍ମ ନେବାପରେ ୨୦୦୦ ରୁ ଏଯାବତ୍‍ ରାଜ୍ୟରେ ସରକାରରେ ରହିଆସିଛି । ବିଜେପି ସହ ମେଣ୍ଟ ବେଳେ ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି ଯଥାକ୍ରମେ ୬୮ ଓ ୬୧ଟି ଆସନ ପାଇଥିବାବେଳେ ୨୦୦୯ରେ ୧୦୩, ୨୦୧୪ ରେ ୧୧୭ ଓ ୨୦୧୯ରେ ୧୧୨ଟି ବିଧାନସଭା ଆସନ ଜିଣିଥିଲା । (ତଥ୍ୟ)