ଭୁବନେଶ୍ୱର : ବାଲେଶ୍ୱର ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ । ଆଜି ଏ ସଂକ୍ରାନ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସିବିଆଇ ତଦନ୍ତ ପାଇଁ ରେଳବାଇ ସୁପାରିଶ୍ କରିଥିବା ସେ କହିଛନ୍ତି ।
ଇତି ମଧ୍ୟରେ ପ୍ରାରମ୍ଭିକ ତଦନ୍ତର ଫଳାଫଳ ନେଇ ରେଳବାଇ ବୋର୍ଡ ସୂଚନା ଦେଇ କହିଛି ଯେ ସିଗ୍ନାଲରେ ତ୍ରୁଟଇ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ତେବେ କେବଳ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଲୁପ୍ ଲାଇନ୍ରେ ଛିଡା ହୋଇଥିବା ଲୁାହାପଥର ବୋଝେଇ ମାଲଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା ।
ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଉଥିବା କରମଣ୍ଡଳ ମାଲଗାଡିକୁ ଧକା ଦେବାପରେ ଅପରପାଶ୍ୱର୍ରେ ଥିବା ରେଳଲାଇନ୍ ଉପକରୁ ଛିଟିକି ପଡିଥିଲା । ସେହି ସମୟରେ ସେହି ଲାଇନ୍ରେ ଘଣ୍ଟାପତି ୧୨୬ କିଲୋମିଟର ବେଗରେ ଆସୁଥିବା ଯଶବନ୍ତପୁର-ହାୱାଡା ଟ୍ରେନ୍ ଲାଇନ୍ ଉପରେ ପଡିଥିବା କରମଣ୍ଡଳର ଡବାକୁ ଧକ୍କା ଦେଇଥିଲା । ତେବେ ଏଥିରେ କେବଳ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ର ଦୁଇଟି ଡବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
ଏହି ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁବରଣ କରିଥିବା ସରକାରୀ ଭାବେ କୁହାଯାଇଥିବାବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନ ସହିତ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ । ପରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଘଟଣାରେ କୌଣସି ଦୋଷୀ ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ।
ଇତି ମଧ୍ୟରେ ବାହାନଗା ଠାରେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ରେଳଲାଇନ୍କୁ ଠିକ୍ କରାଯାଇଥିବାବେଳେ ବିଦ୍ୟୁତ୍ ମରାମତି କାର୍ଯ୍ୟ ଜାରି ରହିଛି । ଆସନ୍ତା ବୁଧବାର ସୁଦ୍ଧା ଏହି ଲାଇନ୍ରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।