Home Health ଦୁଇ ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢା

ଦୁଇ ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢା

ଭୁବନେଶ୍ୱର : ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରତିଷ୍ଠା କରାଯାଉଥିବା ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । ଏହି ଦୁଇ ମେଡିକାଲ କଲେଜରେ ୧୦୦ଟି କରି ଏମ୍‍ବିବିଏସ୍‍ ଆସନ ରହିବ ଏବଂ ୨୦୨୨-୨୩ରେ ଏଠାରେ ଡାକ୍ତରୀ ପାଠପଢା ଆରମ୍ଭ ହୋଇପାରିବ ବୋଲି ଜାତୀୟ ମେଡିକାଲ କମିଶନ (ଏନ୍‍ଏମସି) ଅନୁମୋଦନ ଦେଇଛନ୍ତି ।

ଏନ୍‍ଏମସିର ଅନୁମୋଦନ ମିଳିବାପରେ ସୁରନ୍ଦରଗଡ ଓ କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ କୋଲ୍‍ ଇଣ୍ଡିଆ ଲିମିଟେଡର ସହଯୋଗୀ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍‍ସିଏଲ୍‍) ପକ୍ଷରୁ ଏଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଥିଲା । କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପାଣ୍ଠିରୁ ଏଥିପାଇଁ ଅର୍ଥ ଦିଆଯିବ ବୋଲି କୁହାଯାଇଥିଲା ।

ତାଳଚେର ଠାରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ ପାଇଁ ୨୦୧୪ ମସିହାରେ ଏମସିଏଲ୍‍ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା । ତଦନୁଯାୟୀ ରାଜ୍ୟ ସରକାର ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଲାଗି ତାଳଚେର ଉପକଣ୍ଠରେ ସମ୍ପୂର୍ଣ୍ଣ ମାଗଣାରେ ୨୦ଏକର ଜମି ଯୋଗାଇ ଦେଇଥିଲେ ।

ମୂଳ ପ୍ରସ୍ତାବ ଅନୁଯାୟୀ ତାଳଚେର ମେଡିକାଲ କଲେଜ ୨୦୧୬-୧୭ ବର୍ଷରୁ କାର୍ଯ୍ୟକ୍ଷମ ହେବାକଥା । ତେବେ ୨୦୧୯-୨୦ ବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇନାହିଁ । ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି)ଙ୍କୁ ଏ ସଂକ୍ରାନ୍ତରେ ଏମ୍‍ସିଏଲ୍‍ ସହ ଆଲୋଚନା କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି କହିଛନ୍ତି । ତିନି ମାସ ମଧ୍ୟରେ ୩୩୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଯେଭଳି କାର୍ଯ୍ୟକ୍ଷମ ହୁଏ ତାହା ସୁନିଶ୍ଚିତ କରିବାଲାଗି ଡିଏମଇଟିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହି ମେଡିକାଲ କଲେଜ ହସ୍ପିଟାଲଗୁଡିକ ପାଇଁ କେତୋଟି କେଉଁ କିସମର ପଦବୀ ରହିବା ଆବଶ୍ୟକ ଏବଂ ଏହାର ଅନ୍ୟ କ’ଣ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି ସେ ସଂକ୍ରାନ୍ତରେ ଡିଏମଇଟିଙ୍କ ରିପୋର୍ଟ ପାଇବାପରେ ରାଜ୍ୟ ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯେଭଳି ଖୁବ୍‍ଶୀଘ୍ର ଏହି ମେଡିକାଲ କଲେଜ ହସ୍ପିଟାଲଗୁଡିକ କାର୍ଯ୍ୟକ୍ଷମ ହେବ ତାହା ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚାଇଛନ୍ତି । (ତଥ୍ୟ)