Home General ଦୁଇ ପ୍ରତିଶତଙ୍କ ଭିତରେ ଓଡିଆ ବୈଜ୍ଞାନିକ

ଦୁଇ ପ୍ରତିଶତଙ୍କ ଭିତରେ ଓଡିଆ ବୈଜ୍ଞାନିକ

ଭୁବନେଶ୍ୱର : ବିଶ୍ୱର ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱରରେ ଜନ୍ମିତ ଜଣେ ଓଡ଼ିଆ ଯୁବ ବୈଜ୍ଞାନିକ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଏହି ଯୁବ ବୈଜ୍ଞାନିକ ଡ. ସ୍ୱୟମ ପ୍ରକାଶଙ୍କ ନାମ ସାଇଣ୍ଟିଫିକ୍‍ ଇଣ୍ଡେକ୍ସ-୨୦୨୩ରେ ସ୍ଥାନ ପାଇଛି । ଏଥିରେ ସେ ୨୦୨୨ ବର୍ଷ ଭଳି ପୁଣିଥରେ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ରହିଥିବା ଦର୍ଶାଯାଇଛି ।

ବାୟୋ ଟେକ୍ନୋଲୋଜି, ମାଇକ୍ରୋ ବାୟୋଲୋଜି ଓ ଇମ୍ୟୁନୋଜେନିଟିକ୍ସ ଭଳି କ୍ଷେତ୍ରରେ ସେ ଉଚ୍ଚତର ଗବେଷଣା ରତ । ବିଶେଷକରି କରୋନା ପ୍ରତିରୋଧ ପାଇଁ ଆମେରିକାରେ ଟିକା କାଢିବା କ୍ଷେତ୍ରରେ ଯେଉଁ କେତୋଟି ବୈଜ୍ଞାନିକ ଦଳ ଦିନରାତି ଏକ କରି ଗବେଷଣାରେ ଲାଗିଥିଲେ ସେମାନଙ୍କ ମଧ୍ୟରେ ଏହି ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ନାମ ଅନ୍ୟତମ ।

ସେ ଭୁବନେଶ୍ୱରର ଖଣ୍ଡଗିରିଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠପଢି ଓଡିଆ ମାଧ୍ୟମରେ ମ୍ୟାଟ୍ରିକ୍‍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ୱୟମ୍‍ପ୍ରକାଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଇମ୍ୟୁନୋଜେନିଟିକ୍ସ କ୍ଷେତ୍ରରେ ଲକ୍ଷ୍ନୌର ପୋଷ୍ଟ ଗ୍ରାଜୁଏଟ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍ସେସ୍‍ ଓ କିଟ୍‍ରେ ଦୀର୍ଘବର୍ଷ ଧରି ଗବେଷଣା କରିଥିଲେ ।

ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ କାଉନ୍‍ସିଲ୍‍ ଫର୍‍ ସାଇଣ୍ଟିଫିକ୍‍ ରିସର୍ଚ୍ଚ ସଂସ୍ଥାରୁ ସେ ଫେଲୋସିପ୍‍ ପାଇ ଦୀର୍ଘବର୍ଷ ଧରି ସଫଳ ଗବେଷଣା କରିବା ପରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସ୍କୁଲ୍‍ ଅଫ୍‍ ମେଡିସିନ୍ସରେ ସେ ପ୍ରାୟ ୭ବର୍ଷ ଧରି ଉଚ୍ଚତର ଗବେଷଣା ଚଳାଇଛନ୍ତି । ଡ. ସ୍ୱୟମ୍‍ପ୍ରକାଶ ଏଯାବତ୍‍ ଅନ୍ୟୁନ ୬୦ଟି ଗବେଷଣାତ୍ମକ ନିବନ୍ଧ ଲେଖିଛନ୍ତି ଓ ସେଗୁଡିକ ବିଭିନ୍ନ ଆନ୍ତର୍ଜାତିକ ବିଜ୍ଞାନ ଗବେଷଣା ପତ୍ରିକାରେ ସ୍ଥାନ ପାଇଛି । ଏହାଛଡ଼ା ଆଉ କେତେକ ଗବେଷଣାମୂଳକ ପତ୍ରିକାର ଏବେ ସେ ସମ୍ପାଦନା ଓ ସମୀକ୍ଷା କାର୍ଯ୍ୟ ମଧ୍ୟ କରୁଛନ୍ତି ।

ଜଣେ ଓଡ଼ିଆ ଯୁବ ବୈଜ୍ଞାନିକ ନିଜର କଠୋର ଅଧ୍ୟବସାୟ ବଳରେ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ବିଜ୍ଞାନ ଗବେଷଣା ସହ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ରୁଚି ରଖିଛନ୍ତି । କରୋନା ସମୟରୁ ଏଯାବତ୍‍ ଏଥିଲାଗି ସେ ଓ ତାଙ୍କର ବନ୍ଧୁମାନେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ସାଧ୍ୟମତେ ସହଯୋଗର ହାତ ବଢାଇ ଆସିଛନ୍ତି । ଏମିତିକି ଅର୍ଥାଭାବରୁ ପାଠ ପଢାରୁ ବଞ୍ôଚତ ହେଉଥିବା କେତେକ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସେ ସହାୟତା ଦେଉଛନ୍ତି ।

କଠୋର ପରିଶ୍ରମ ଓ ନିରବଚ୍ଛିନ୍ନ ସାଧନା ବଳରେ ଯେକୌଣସି ବ୍ୟକ୍ତି ସତ୍‍ ପଥରେ ଚାଲି ଲକ୍ଷ୍ୟ ହାସଲ କରିପାରିବେ ବୋଲି ଜାତିରଜନକ ମହାମାନବ ମହାତ୍ମା ଗାନ୍ଧୀ ଓ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଭଳି ପୂଣ୍ୟାତ୍ମାମାନେ ଯେଉଁ ଅମୃତ୍ୱ ତତ୍ତ୍ୱ ରଖିଯାଇଛନ୍ତି ଏବଂ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମା’ ରମାଦେବୀ ଆଦି ଉପଯୁକ୍ତ ସାଧନା ମାଧ୍ୟମରେ ଯେଭଳି ସିଦ୍ଧି ହାସଲ କରିଛନ୍ତି ତାହା ତାଙ୍କୁ ଅନୁପ୍ରାଣୀତ କରିଆସିଛି ବୋଲି ଡ. ସ୍ୱୟମ୍‍ ପ୍ରକାଶ ମତବ୍ୟକ୍ତ କରିଛନ୍ତି । (ତଥ୍ୟ)