ଭୁବନେଶ୍ୱର : ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଚିଠି ଲେଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏ ପ୍ରସଙ୍ଗ ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକ ସଭାର ସଦସ୍ୟ ସଂଖ୍ୟା ୫୪୩ ରି ୮୫୦ କୁ ବୃଦ୍ଧି ପାଇବ । ବର୍ତ୍ତମାନ ଓଡିଶାର ଲୋକ ସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । କିନ୍ତୁ ଯଦି ଉପରୋକ୍ତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୁଏ ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ।
ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଓଡିଶା ଜନସଂଖ୍ୟା ନିୟନ୍ତ୍ରଣରେ ଏକ ଆଗୁଆ ରାଜ୍ୟ ଏବଂ ମାନବ ସମ୍ବଳର ବିକାଶରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛି । କିନ୍ତୁ ଏହି ନୂତନ ସଂଶୋଧନ ଦ୍ୱାରା ଓଡିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟ ସ୍ତରରେ ୧୫ ପ୍ରତିଶତ ହ୍ରାସ ର ସମ୍ଭାବନା ରହିଛି, ଯାହାକି ଚିନ୍ତା ଜନକ । ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବରେ ପ୍ରଭାବିତ ହେବ । ରିପୋର୍ଟ ଅନୁଯାୟୀ ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡିଶା ବିପୁଳ କ୍ଷତି ସହିବାରେ ଦେଶର ଚତୁର୍ଥ ରାଜ୍ୟ ହେବ । ସାଢେ ଚାରିକୋଟି ଓଡିଆଙ୍କ ଆଶା ଓ ଆକାଂକ୍ଷା ଉପରେ ଏହା ଏକ ଶକ୍ତ ପ୍ରହାର ସଦୃଶ ଏବଂ ଆମର ଭବିଷ୍ୟତ ପୀଢି ପାଇଁ ବହୁତ ବଡ ଅନ୍ୟାୟ ହେବ ।
ତାଙ୍କ ପତ୍ରରେ ଶ୍ରୀ ପଟ୍ଟନାୟକ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯଦି ଓଡିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରୁହେ, ତେବେ ଯାଇ ଆମେ ଏହି ବିଲ୍କୁ ସ୍ୱାଗତ କରିବୁ । କିନ୍ତୁ ଆମର ମହାନ ସମ୍ବିଧାନରେ ଉଲ୍ଲିଖିତ ସହଯୋଗ ମୂଳକ ସଂଘୀୟବାଦର ଏହି ବିଲ୍ ବିରୁଦ୍ଧାଚରଣ କରୁଅଛି । ତେଣୁ ଓଡିଶାର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ ତେବେ ଏହା ଓଡିଶାବାସୀଙ୍କର ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଓଡିଶାର ଅତୀତ ଗୌରବ ଓ ମହାନ ଐତିହ୍ୟ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଅପ୍ରେଲ ପହିଲା ୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ଲାଭ କଲା । ଓଡିଆ ଭାଷାଭାଷୀ ଅଞ୍ଚଳ ଏକାଠି ହେଲା । ଆମର ପୂର୍ବ ସୁରୀ ମାନଙ୍କର ନିରନ୍ତର ସଂଗ୍ରାମ ଓ ଦୂର ଦୃଷ୍ଟିର ଫଳ ଶ୍ରୁତି ସ୍ୱରୂପ ଏହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଓଡିଆ ଅସ୍ମିତାର ଜୟଗାନ କରି ଚାଲୁଛି । ଆମର ପୂର୍ବ ସୁରୀ ମାନେ ଅନେକ ତ୍ୟାଗ ସ୍ୱୀକାର କରି ଓଡିଆ ସଂସ୍କୃତିକୁ ସୁରକ୍ଷିତ ରଖି ଯାଇଛନ୍ତି । ଓଡିଶା କେବଳ ଏକ ଭୌଗଳିକ ସତ୍ତା ନୁହେଁ, ଓଡିଆ ଭାଷା କହୁଥିବା ସାଢେ ଚାରିକୋଟି ଓଡିଶାବାସୀଙ୍କର ଆସ୍ଥାର ଦେବାଳୟ ।
ସ୍ୱାଧୀନତା ସଂଗ୍ରାମରେ ଓଡିଶାର ପ୍ରମୁଖ ଭୂମିକ ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ୧୮୧୭ ମସିହାର ପାଇକ ବିଦ୍ରୋହ ଓ ୧୯୪୨ର ଭାରତ ଛାଡ ଆନ୍ଦୋଳନ ଆଦିରେ ଏ ମାଟିର ସୁଯୋଗ୍ୟ ସନ୍ତାନ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅତୁଳନୀୟ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରିଛନ୍ତି । ସେହିପରି ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନକୁ ମଧ୍ୟ ଉଲ୍ଲେଖ କରି ତାଙ୍କୁ ସାହାସର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ମହାପୁରୁଷ ମାନଙ୍କର ଅବଦାନ ସବୁବେଳେ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି ଓ ଚାଲିବ ।
ଓଡିଶା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଭୂମି । ଜଗନ୍ନାଥ ସଂସ୍କୃତି ହେଉଛି ଭାରତୀୟତାର ଆଧ୍ୟାତ୍ମିକ ଓ ନୈତିକ ଶକ୍ତି । ଜଗନ୍ନାଥ ସଂସ୍କୃତି ସବୁବେଳେ ସାମ୍ୟତା, ଭ୍ରାତୃତ୍ୱ ଓ କରୁଣାର ପ୍ରଚାର କରି ଆସିଅଛି ଏବଂ ଏହି ମୂଲ୍ୟବୋଧହିଁ ଆମ ଭାରତୀୟ ସାଧାରଣତନ୍ତ୍ରର ମୂଳ ଭିତ୍ତି ।
ଏହି ସାଂସ୍କୃତିକ ଓ ଐତିହାସିକ ପଟ୍ଟଭୂମିରେ ଓଡିଶାର ମହାନତାକୁ ଆଖି ଆଗରେ ରଖି ଓଡିଶାର ରାଜନୈତିକ ଅଧିକାର ଯେପରି କ୍ଷୂର୍ଣ୍ଣ ନ ହୁଏ , ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମେ ଯଦି ବର୍ତ୍ତମାନ ପରିସ୍ଥିତିରେ ଦୃଢ଼ ପ୍ରତିବାଦ ନ କରି ଓଡିଶାର ରାଜନୈତିକ ପ୍ରତିଷ୍ଠା ହ୍ରାସର ନୀରବ ଦ୍ରଷ୍ଟା ହୋଇ ରହିବା, ତେବେ ଭବିଷ୍ୟତ ବଂଶଧର ଆମକୁ କେବେ କ୍ଷମା କରିବେ ନାହିଁ ।
ତେଣୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ନୈତିକ ଓ ଆଇନଗତ କ୍ଷମତା ସମ୍ପର୍କରେ ସ୍ମରଣ କରାଇ ଦେଇ ଶ୍ରୀ ପଟ୍ଟନାୟକ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହାକୁ ବିରୋଧ କରି ବିଧାନସଭା ରେ ଏକ ସଂକଳ୍ପ ପାରିତ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାର ରାଜନୈତିକ ଅଧିକାର ଯେପରି ୦.୦୦୧% କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ଆମେ ସମସ୍ତେ କାମ କରିବା ଦରକାର । ଏହି ପ୍ରସଙ୍ଗକୁ ଜଣେ ଓଡିଆ ଭାବରେ ଦୃଢତାର ସହ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ଆମର ପ୍ରିୟ ଓଡିଶା ମାଟିର ଭାଗ୍ୟ ଓ ଭବିଷ୍ୟତର ସୁରକ୍ଷା ପାଇଁ ବିଜୁ ଜନତା ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହାନ ଜନନାୟକ ବିଜୁ ବାବୁ ମହିଳା ସଂରକ୍ଷଣ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ସାରା ଦେଶରେ ଜଣେ ଅଗ୍ରଦୂତ ଥିଲେ । ବିଜୁ ଜନତା ଦଳ ସବୁବେଳେ ବିଧାନ ସଭା ଓ ପାର୍ଲାମେଣ୍ଟରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରି ଆସିଛି । ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି । ତେଣୁ ମହିଳାଙ୍କ ସଶକ୍ତି କରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜୁ ଜନତା ଦଳ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ମଧ୍ୟ ସୂଚନା ଦେଇଛନ୍ତି ।

