ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସଡ଼କ ସୁରକ୍ଷା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ନିରନ୍ତର ଭାବେ ପଦକ୍ଷେପ ଗ୍ରହଣ କରାଯାଉଛି। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଚେତନତା ଓ ନିୟମ ଉଲ୍ଲଂଘନକାରୀଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟକୁ ପ୍ରାଧାନ୍ୟ ଦିଆଯାଇଛି। ଏହି କ୍ରମରେ ଆଜିଠୁ ୨୦ ଏପ୍ରିଲ ଯାଏଁ ବିନା ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅବୈଧ/ଉପଯୁକ୍ତ ଡିଏଲ୍ ବିରୋଧରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଉଛି।
ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ବିଶେଷ ଭାବରେ ଟ୍ରାକ୍ଟର, ଟ୍ରେଲର, ହାଇୱା, ଡମ୍ପର ଓ ଟିପ୍ପର ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ସମସ୍ତ ଆର.ଟି.ଓ. ମାନଙ୍କୁ ଅବଗତ କରାଯାଇଥିଲା।
ଏହି ସମୟରେ ବୈଧ ଏବଂ ସଠିକ ଡ୍ରାଇଭିଂ ଲାଇସେନ୍ସକୁ ଗୁରୁତ୍ୱ ଦିଆଯାଇଛି। ଯଦି କୌଣସି ସ୍ଥାନରେ ମୋଟର ଯାନ ଆଇନ ଉଲ୍ଲଙ୍ଘନ ପରିଲକ୍ଷିତ ହୁଏ, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ମାର୍ଚ୍ଚ ୨୧ ରୁ ଏପ୍ରିଲ ୧୦ ଯାଏଁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ବିଶେଷ ଅଭିଯାନ କରାଯାଇଥିଲା। ଏହି ସମୟରେ ପରିଲକ୍ଷିତ ହୋଇଥିଲା ଯେ ଅନେକ ସଂଖ୍ୟାରେ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଉଛନ୍ତି। ଏହାସହ ଅନେକ ହାଲୁକା ଯାନ ଲାଇସେନ୍ସରେ ଭାରୀ ଯାନ ଚଳାଉଛନ୍ତି। ଏଭଳି ଭୁଲ ଗାଡ଼ି ଚାଳନା ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସାଜିଛି ।
ଏହି ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ପୁଣିଥରେ ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି । ସମସ୍ତଙ୍କୁ ଅନୁରୋଧ କରାଯାଇଛି ସଡ଼କ ସୁରକ୍ଷା ନିୟମ ପାଳନକୁ ଗୁରୁତ୍ୱ ଦିଅନ୍ତୁ, ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ। ବିନା ଡ୍ରାଇଭିଂ ଲାଇସେନ୍ସ କିମ୍ବା ଉପଯୁକ୍ତ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା ମୋଟର ଯାନ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଏଭଳି ତ୍ରୁଟି ନ କରିବାକୁ ପରାମର୍ଶ ଦିଆଯାଇଛି।

