ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଉଭୟ ନେତା ଦଳ ହିତ ବିରୋଧି କାର୍ଯ୍ୟକଳାପରେ ଲିପ୍ତ ରହିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।
କଂଗ୍ରେସ ଶୃଙ୍ଖଳା କମିଟିର ସର୍ବଭାରତୀୟ ସଦସ୍ୟ ସଦସ୍ୟ ତାରିକ ଅନୱାରଙ୍କ ଦସ୍ତଖତରେ ଆଜି ଏହି ନିଲମ୍ବନ ଆଦେଶ ଜାରି ହୋଇଛି । ଏଥିରେ ଦର୍ଶାଯାଇଛି ଯେ ଦୁଇ ନେତାଙ୍କ ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦଳ ବିରୋଧି କାର୍ଯ୍ୟ ନେଇ ଅଭିଯୋଗ କରିଥିଲେ ।
ପରେ ଏହାକୁ ଶୃଙ୍ଖଳାଗତ କମିଟି ନିକଟକୁ ପଠାଯାଇଥିଲା । କମିଟି ପକ୍ଷରୁ ଉଭୟ ନେତାଙ୍କୁ କୈଫତ ମଗାଯାଇଥିଲା । ତେବେ ଦୁଇ ନେତା ସେମାନଙ୍କ ଉତ୍ତରରେ ଯାହାସବୁ ଦର୍ଶାଇଥିଲେ କମିଟି ସେଥିରେ ସନ୍ତୁଷ୍ଟ ହୋଇନଥିଲେ । ପରେ କମିଟି ପକ୍ଷରୁ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ସୁପାରିଶ୍ କରାଯାଇଥିଲା ଓ ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ଆଦେଶ ଜାରି ହୋଇଛି ।
ଉଲ୍ଲେଖନୀୟ ଯେ ମହମ୍ମଦ ମୋକିମ ଏବେ କଟକ ବାରବାଟୀ ଆସନରୁ କଂଗ୍ରେସର ବିଧାୟକ ରହିଛନ୍ତି । ସେହିଭଳି ଚୀରଞ୍ଜିବ ବିଶ୍ୱାଳ ପୂର୍ବରୁ ଜଗତ୍ସିଂହପୁର ଆସନରୁ ବିଧାୟକ ଥିଲେ । ଶ୍ରୀ ବିଶ୍ୱାଳ ମଧ୍ୟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପଦରେ ରହିଥିଲେ ।