ଭୁବନେଶ୍ୱର : ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗୋଟିଏ ବର୍ଷରେ ଦୁଇଗୁଣରୁ ଅଧିକ ବଢିଛି । ୨୦୨୨ ମସିହାରେ ରାଜ୍ୟକୁ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ ରେ ଏହି ସଂଖ୍ୟା ୪୫ହଜାରକୁ ଟପିଯାଇଛି ।
ରାଜ୍ୟକୁ ପର୍ଯ୍ୟଟନଙ୍କ ଆଗମନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟକୁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସୁଥିଲେ । ତେବେ କରୋନା ପ୍ରଭାବରେ ଏହି ସଂଖ୍ୟା ଯଥେଷ୍ଟ ପାଇଥିଲା । ୨୦୨୧ରେ ମାତ୍ର ୨୨୬୯ଜଣ ବିଦେଶୀ ପର୍ଯ୍ୟଟକ ଓଡିଶାକୁ ଆସିଥିଲେ ।
ତେବେ ୨୦୨୨ରୁ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନ ବଢିବାରେ ଲାଗିଛି । ୨୦୨୨ ରେ ୨୨,୧୨୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୪୫,୧୭୩ ରହିଛି । ସେହିଭଳି ଏହି ସମୟରେ ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ପାଖାପାଖି ୨୦ଲକ୍ଷ ବୃଦ୍ଧି ପାଇଛି । ତେବେ ଉଭୟ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ରାଜ୍ୟକୁ ଆଗମନ ପର୍ଯ୍ୟଟକଙ୍କ ସଂଖ୍ୟା ଏକ କୋଟି ଟପିପାରି ନାହିଁ ।
ତେବେ ଓଡିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛନ୍ତି ଦକ୍ଷିଣ ୟୁରୋପୀୟ ପର୍ଯ୍ୟଟକ । ୨୦୨୨ ରେ ୟୁରୋପର ବିଭିନ୍ନ ଦେଶରୁ ୭୦୦୫ ଜଣ ପର୍ଯ୍ୟଟକ ଓଡିଶାକୁ ଆସିଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୧୭,୨୧୬ ରେ ପହଞ୍ଚିଥିଲା । ୟୁରୋପର ୧୭ଟି ଦେଶରୁ ଏହି ପର୍ଯ୍ୟଟକମାନେ ଓଡିଶାକୁ ଆସୁଥିବାବେଳେ ଏମାନଙ୍କ ମଧ୍ୟରେ ମୁଖ୍ୟତଃ ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀରୁ ଅଧିକ ପର୍ଯ୍ୟଟକ ଓଡିଶାକୁ ଆସିଛନ୍ତି ।
ଏହାଛଡା ଉତ୍ତର ଆମେରିକା, ଦକ୍ଷିଣ ଓ କେନ୍ଦ୍ର ଆମେରିକା, ଅଷ୍ଟ୍ରେଲିଆ, ପୂର୍ବ ୟୁରୋପ, ପଶ୍ଚିମ ଏସିଆ ଆଦି ଦେଶରୁ ପର୍ଯ୍ୟଟକମାନେ ଓଡିଶାକୁ ଆସୁଛନ୍ତି । ପଶ୍ଚିମ ଏସିଆରର ବିଭିନ୍ନ ଦେଶ ଯଥା ବାହାରିନ, ଇସ୍ରାଏଲ, ତୁର୍କୀ ଆଦିରୁ ପର୍ଯ୍ୟଟକମାନେ ଆସୁଥିବାବେଳେ ଆମେରିକାରୁ ମଧ୍ୟ ଗତବର୍ଷ ୬ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିବା ରେକର୍ଡ କରାଯାଇଛି । ତେବେ ଓଡିଶାକୁ ଯେତେ ସଂଖ୍ୟକ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ସେମାନେ ମୁଖ୍ୟତଃ ପୁରୀ, କୋଣାର୍କ, ଭୁବନେଶ୍ୱର, ଧଉଳି ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ବିଭିନ୍ନ ଦେବପୀଠ ଓ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଉଛନ୍ତି । (ତଥ୍ୟ)